ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ ମାମଲା: ବ୍ଲକ ଉପାଧ୍ୟକ୍ଷା ସ୍ୱାମୀଙ୍କ ସମେତ ୩ ଗିରଫ

ଜେସିବି ଚଢ଼ାଇଦେବାକୁ ଉଦ୍ୟମ ହୋଇଥିଲା

ବ୍ରହ୍ମପୁର: ଗତକାଲି ରାତିରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅତିରିକ୍ତ ତହସିଲ୍‌ଦାରଙ୍କୁ ଆକ୍ରମଣ କରି ମୋରମ୍‌ ଟ୍ରାକ୍ଟର ଓ ଜେସିବି ଛଡ଼ାଇ ନେବା ଘଟଣାରେ ଦିଗପହଣ୍ଡି ପୁଲିସ ମାମଲା ରୁଜୁ କରିଛି। ଆକ୍ରମଣରେ ସଂପୃକ୍ତ ଅଭିଯୋଗରେ କ୍ରସର ୟୁନିଟ୍‌ର ଲିଜ୍‌ଧାରୀ ତଥା ବ୍ଲକ ଉପାଧ୍ୟକ୍ଷାଙ୍କ ସ୍ୱାମୀ ଏମ୍‌.ନାରାୟଣ ରେଡି, ଚାଳକ ରଞ୍ଜନ ଦାସ ଓ ବିନାୟକ ଦେହୁରିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଟ୍ରାକ୍ଟର ଓ ଜେସିବି ମଧ୍ୟ ଜବତ ହୋଇଥିବା ମାମଲାର ତଦନ୍ତ ଅଧିକାରୀ ଆଦିତ୍ୟ ପ୍ରସାଦ ଜେନା କହିଛନ୍ତି। ବେଆଇନ ମୋରମ ଚାଲାଣକାରୀଙ୍କ ଉପରେ ଚଢ଼ଉ ବେଳେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅତିରିକ୍ତ ତହସିଲଦାରଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ଘଟଣା ଅତର୍କିତ ନଥିଲା। ଏହା ଯୋଜନାବଦ୍ଧ ଓ ପଛରେ ଏକ ପ୍ରଭାବଶାଳୀ ରାକେଟ୍‌ର ହାତ ଥିବା ସୂଚନା ମିଳିଛି। ଯୋଜନା ଅନୁସାରେ, ଗତ ରାତିରେ ଅତିରିକ୍ତ ତହସିଲଦାର ସୌମ୍ୟକାନ୍ତ ସୌମ୍ୟଦର୍ଶୀଙ୍କୁ ଆକ୍ରମଣ କରି କେବଳ ଗାଡ଼ି ଛଡ଼ାଇ ନେବା ଉଦ୍ଦେଶ୍ୟ ନଥିଲା, ବରଂ ସିଧାସଳଖ ଜେସିବି ଚଢ଼ାଇ ପ୍ରାଣରେ ମାରିଦେବାକୁ ଷଡ଼ଯନ୍ତ୍ର ହୋଇଥିଲା। କିନ୍ତୁ ଦୈବ ଯୋଗରୁ ସେ ରକ୍ଷା ପାଇ ଯାଇଥିଲେ। ଏ ଚାଞ୍ଚଲ୍ୟକର ତଥ୍ୟ ନିଜେ ସୌମ୍ୟକାନ୍ତ ଓ ତାଙ୍କ ସହ ଥିବା ଡ୍ରାଇଭର୍‌ ଖୁଲାସା କରିଛନ୍ତି। ଦାୟିତ୍ୱ ନେବା ପରଠାରୁ ବେଆଇନ କ୍ରସର ୟୁନିଟ୍‌ ଓ ମୋରମ ଚାଲାଣ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେଉଥିଲି। ପଦକ୍ଷେପ ନନେବାକୁ ତାଙ୍କ ଉପରେ ବାରମ୍ବାର ଚାପ ପଡୁଥିଲା। ଏହାର ପରିଣାମ ସ୍ୱରୂପ ଗତକାଲି ରାତିରେ ତାଙ୍କୁ ଜେସିବି ଚଢ଼ାଇ ମାରି ଦେବାକୁ ଉଦ୍ୟମ ହୋଇଥିଲା ବୋଲି ସୌମ୍ୟକାନ୍ତ କହିଛନ୍ତି।

ସମ୍ବନ୍ଧିତ ଖବର