ଅଫିସ୍‌ରେ ପଶି ଅତିରିକ୍ତ ତହସିଲ୍‌ଦାରଙ୍କୁ ଆକ୍ରମଣ

୭୦ ଲକ୍ଷର ଭୂ-ସମ୍ପତ୍ତି ଜଣଙ୍କ ନାମରେ କରିବାକୁ ଚାପ, ଫାଇଲ୍‌ ଫେରାଇ ଦେବାରୁ ଆକ୍ରମଣ, ଦୁଇ ଅଟକ

ଗଞ୍ଜାମ : ଗଞ୍ଜାମ ତହସିଲଦାରଙ୍କ ଅପରିଣାମଦର୍ଶିତାରୁ ପୂର୍ବରୁ ଏକାଧିକ ଥର ତହସିଲ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଛି। ଥରେ ବାଲି ମାଫିଆଙ୍କ ଆକ୍ରମଣରେ ଅତିରିକ୍ତ ତହସିଲଦାର ଓ ଆର୍‌ଆଇ, ଅମିନ ଲହୁଲୁହାଣ ହୋଇଥିଲେ। ଆଜି ପୁଣି ବିବାଦ ଘେରକୁ ଆସିଛନ୍ତି ଗଞ୍ଜାମ ତହସିଲଦାର। ତାଙ୍କ ଛତ୍ରଛାୟାରେ ଚାଲିଥିବା ବେଆଇନ କାମକୁ ପ୍ରଶ୍ରୟ ଦେବାକୁ ମନା କରିବାରୁ ଅଫିସ୍‌ ଭିତରେ ଅତିରିକ୍ତ ତହସିଲ୍‌ଦାର ଆକ୍ରମଣର ଶିକାର ହୋଇଛନ୍ତି। ଗୋଟିଏ ପରିବାରର ୭ ଜଣ ଉତ୍ତରାଧିକାରୀଙ୍କ ଅଧିକାର ଥିବା ପ୍ରାୟ ୭୦ଲକ୍ଷ ଟଙ୍କାର ଭୂ-ସମ୍ପତ୍ତିକୁ ଜଣଙ୍କ ନାମରେ କରିବାକୁ ତହସିଲ ଅଫିସରେ ଚାଲିଥିଲା ମସୁଧା। ଏଥିପାଇଁ ତହସିଲଦାରଙ୍କ ସମ୍ମତି ରହିଥିଲା। ଫାଇଲ୍ ପ୍ରୋସେସ୍‌ ହୋଇ ଅତିରିକ୍ତ ତହସିଲଦାରଙ୍କ ପାଖରେ ପହଞ୍ଚିଥିଲା। କିନ୍ତୁ ଏହା ଆଇନସମ୍ମତ ନୁହେଁ ବୋଲି ଦର୍ଶାଇ ସେ ଫାଇଲ୍‌ ଫେରାଇ ଦେବାରୁ ଆଜି ତାଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଛି। କିଛି ଲୋକ ଗଞ୍ଜାମ ଅତିରିକ୍ତ ତହସିଲଦାର ଶୁଭେନ୍ଦୁ କୁମାର ଜେନାଙ୍କୁ ଆକ୍ରମଣ କରିଛନ୍ତି।

ଗଞ୍ଜାମ ସହରର ଦୁର୍ଗାଦେବୀ ସାହିର ସ୍ବର୍ଗତ ରାଧାମୋହନ ଦାସଙ୍କ ନାମରେ ପ୍ରାୟ ୭୦ଲକ୍ଷ ଟଙ୍କାର ଜମି ରହିଛି। ଗଞ୍ଜାମ ମୌଜାର ଖାତା ନମ୍ବର ୩୩୪, ୪୩୨, ୨୪୬, କାଇଞ୍ଚପୁର ମୌଜାର ଖାତା ନମ୍ବର ୧୬୬, ଦାମୋଦରପୁର ମୌଜାର ଖାତା ନମ୍ବର ୧୩୨ ଓ ପାଳିବନ୍ଧ ମୌଜାର ଖାତା ନମ୍ବର ୯୫ରେ ଜମି ରହିଛି। ମ୍ୟୁଟେସନ୍‌ କେସ୍ ନମ୍ବର ୩୧୦୯, ୩୧୧୦, ୩୧୧୧, ୩୧୧୩, ୩୧୧୪/୨୨ ପ୍ରକାରେ ଗଞ୍ଜାମ ତହସିଲଦାର ଜମି ପଟ୍ଟାରେ ପ୍ରଜାର ନାମ ସଂଶୋଧନ କରି ବସନ୍ତ ଦାସଙ୍କ ନାମରେ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗଞ୍ଜାମ ତହସିଲଦାର ନିଜ ମୁଣ୍ଡରୁ ଦୋଷ ଛଡ଼ାଇବାକୁ ଯାଇ ଅତିରିକ୍ତ ତହସିଲଦାରଙ୍କୁ ଏହି କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅତିରିକ୍ତ ତହସିଲଦାର ସମସ୍ତ ନଥିପତ୍ର ତର୍ଜମା କରିବା ପରେ ଜାଣିବାକୁ ପାଇଥିଲେ ଯେ ଜମିବାଡ଼ି, ଘର, ପଟ୍ଟାରେ ସ୍ୱର୍ଗତ ରାଧାମୋହନ ଦାସଙ୍କ ସମେତ ପରିବାରର ସାତଜଣଙ୍କ ନାମ ଉଲ୍ଲେଖ ରହିଛି। ଉତ୍ତରାଧିକାରୀ ପ୍ରମାଣପତ୍ରରେ ମଧ୍ୟ ସମସ୍ତ ପରିବାର ସଦସ୍ୟଙ୍କ ନାଁ ଥିବା ବେଳେ ତହସିଲଦାର କେବଳ ବସନ୍ତଙ୍କ ନାମରେ ପ୍ରଜାର ନାମ ପରିବର୍ତ୍ତନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅତିରିକ୍ତ ତହସିଲଦାର ତର୍ଜମା କରି ୩ଟି ବିଷୟରେ ସ୍ପଷ୍ଟୀକରଣ ମାଗିଥିଲେ। ଫଳରେ ଫାଇଲ୍‌ଟି ପୁଣିଥରେ ବିଭାଗୀୟ ସେକ୍ସନ୍‌କୁ ଫେରି ଆସିଥିଲା। ବସନ୍ତ ଗଞ୍ଜାମ ତହସିଲଦାରଙ୍କ ଜଣେ ନିକଟ ସମ୍ପର୍କୀୟ ହୋଇଥିବାରୁ ସେ ନିଜେ ଏଭଳି ବେନିୟମ କାର୍ଯ୍ୟ ନକରି ଅତିରିକ୍ତ ତହସିଲଦାରଙ୍କ ମୁଣ୍ଡରେ ଦୋଷ ଢାଳିବା ପାଇଁ ଯୋଜନା କରିଥିବା ଅଭିଯୋଗ ଉଠିଲାଣି।

ଯୋଜନା ଭଣ୍ଡୁର ହୋଇଯିବା ଜାଣିବା ପରେ ବସନ୍ତଙ୍କ ପୁଅ ଆଶୁତୋଷ ଦାସ କ୍ଷୁବ୍ଧ ହୋଇ ତିନିଜଣ ସହଯୋଗୀଙ୍କ ସହିତ ନିଜ ମାଙ୍କୁ ଧରି ଅପରାହ୍‌ଣରେ ଅତିରିକ୍ତ ତହସିଲଦାରଙ୍କ ଅଫିସ୍‌ରେ ପହଞ୍ଚିଥିଲେ। ମା ଦେବଜାନୀ ଦାସ ଅଫିସ୍‌ ବାହାରେ ରହିଥିଲେ। ମୋର କାମ କାହିଁକି ହୋଇ ନାହିଁ ବୋଲି ଅତିରିକ୍ତ ତହସିଲଦାରଙ୍କୁ ପ୍ରଶ୍ନ କରିଥିଲେ। କିଛି ତ୍ରୁଟି ଥିବାରୁ ଫାଇଲ୍‌ ଫେରାଇ ଦିଆଯାଇଛି। ଏ ନେଇ ତହସିଲଦାରଙ୍କୁ ପଚାରନ୍ତୁ ବୋଲି ଅତିରିକ୍ତ ତହସିଲଦାର କହିଥିଲେ। ଅତିରିକ୍ତ ତହସିଲଦାରଙ୍କ ଉତ୍ତରରେ ଆଶୁତୋଷ ଉତ୍ତ୍ୟକ୍ତ ହୋଇ ତାଙ୍କର ସାର୍ଟ କଲର୍‌ ଧରି ଚେୟାର୍‌ରୁ ଟାଣି ଆଣିଥିଲେ। ତାଙ୍କର ଦୁଇଜଣ ସହଯୋଗୀ ଅତିରିକ୍ତ ତହସିଲଦାରଙ୍କ ବେକକୁ ଧରି ମରଣାନ୍ତକ ଆକ୍ରମଣ କରିଥିଲେ। ଅତିରିକ୍ତ ତହସିଲଦାରଙ୍କ ଚିତ୍କାର ଶୁଣି ଅନ୍ୟ କର୍ମଚାରୀ ସେଠାକୁ ଦୌଡ଼ି ଯାଇଥିଲେ। ଗଞ୍ଜାମ ଥାନା ଅଧିକାରୀ ସନ୍ତୋଷ ବେହେରାଙ୍କ ନେତୃତ୍ବରେ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ତହସିଲ କାର୍ଯ୍ୟାଳୟକୁ ସଂଯୋଗ କରୁଥିବା ଦୁଇଟି ରାସ୍ତାକୁ ତୁରନ୍ତ ସିଲ୍‌ କରା ଯାଇଥିଲା। ଅଭିଯୁକ୍ତ ଆଶୁତୋଷ, ତାଙ୍କ ମା ଦେବଜାନୀଙ୍କ ସମେତ ଅନ୍ୟମାନଙ୍କୁ ପୁଲିସ କାବୁ କରି ଅଟକ ରଖିଥିଲା। ଏନେଇ ଅତିରିକ୍ତ ତହସିଲଦାରଙ୍କ ଏତଲା ଓ ସିସିଟିଭି ଫୁଟେଜକୁ ଆଧାର କରି ଗଂଜାମ ଥାନାରେ କେସ୍‌ ନମ୍ବର ୨୮୮/୨୨ ଏକ ଆଟ୍ରୋସିଟି ମାମଲା ରୁଜୁ ହୋଇଛି। ଛତ୍ରପୁର ଏସ୍‌ଡିପିଓ ଗୌତମ କିଷାନ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଅନୁସଂଧାନ ଆରମ୍ଭ କରିଛନ୍ତି। ଏହି ଘଟଣାରେ ଶନିବାର ରାତିରେ ଥାନାରେ ଦୁଇ ଜଣଙ୍କୁ ଅଟକ ରଖା ଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର