ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀଙ୍କ ମୃତ୍ୟୁ; ହତ୍ୟା ଅଭିଯୋଗ ଆଣି ଗ୍ରାମବାସୀଙ୍କ ଗଣ୍ଡଗୋଳ, ଏନଏମ୍ ଓ ଆଶାକର୍ମୀଙ୍କୁ ମାଡ଼

ବାଲେଶ୍ୱର/ଭୋଗରାଇ/ଦେଉଳା : ବାଲେଶ୍ୱରର ଭୋଗରାଇର ଏକ ସଙ୍ଗରୋଧ କେନ୍ଦ୍ରରେ ଜଣେ ପ୍ରବାସୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। କରୋନା ଲକ୍ଷଣ ନଥିବାବେଳେ ତାଙ୍କୁ ଯୋଜନାବଦ୍ଧ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିବା ସହିତ ଗ୍ରାମବାସୀ ଗଣ୍ଡଗୋଳ କରିଛନ୍ତି। ଏପରିକି, ଏଏନ୍‌ଏମ୍‌ ଓ ଆଶାକର୍ମୀଙ୍କୁ ମଧ୍ୟ ଆକ୍ରମଣ କରିଥିବା ଅଭିଯୋଗ ‌ହୋଇଛି। ପରିସ୍ଥିତି ଏମିତି ରୂପ ନେଇଥିଲା ଯେ ପୁଲିସ୍‌କୁ ୨ ପ୍ଲାଟୁନ୍‌ ଫୋର୍ସ ମୁତୟନ କରିବାକୁ ପଡ଼ିଥିଲା। ଏପରିକି, ଗ୍ରାମବାସୀ ବହୁ ସମୟ ଧରି ମୃତଦେହ ଅଟକାଇ ରଖିଥିଲେ।

ଭୋଗରାଇ ବ୍ଲକ ବାରବାଟିଆ କ୍ବାରାଣ୍ଟିନ ସେଣ୍ଟରରେ କଣ୍ଟାବଣିଆର ବୃନ୍ଦାବନ ଦାସଙ୍କ ପୁଅ ରମାକାନ୍ତ ଆଫ୍ରିକାରୁ ଫେରି ସଂଗରୋଧରେ ରହିଥିଲେ। ଆଜି ସକାଳ ପ୍ରାୟ ୮ଟା ବେଳେ ତାଙ୍କୁ ଖାଇବା ପାଇଁ ସହପ୍ରବାସୀ ଉଠାଇଥିଲେ ମଧ୍ୟ ସେ ଉଠି ନ ଥିଲେ। ପରେ ଜଳେଶ୍ବରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ସେଠାରେ ପହଞ୍ଚି ରମାକାନ୍ତଙ୍କୁ ମୃତ ଘୋଷଣା କରିଥିଲେ। ରମାକାନ୍ତଙ୍କର କରୋନା ଲକ୍ଷଣ ନ ଥିବାରୁ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିବା ସହ ଗଣ୍ଡଗୋଳ କରିଥିଲେ। ଏହି ସମୟରେ ଏନଏଏମ୍ ଓ ଆଶାକର୍ମୀ ପାଚେରି ଡେଇଁ ଖସିଯାଉଥିବାବେଳେ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ିଯାଇଥିଲେ। ସେମାନଙ୍କୁ ମଧ୍ୟ ଗ୍ରାମବାସୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର