ଆର୍ଯ୍ୟ ଜ୍ଞାନେନ୍ଦ୍ରଙ୍କୁ ଆକ୍ରମଣ : ଭଦ୍ରକରେ ପ୍ରଫୁଲ୍ଲ ସମର୍ଥକଙ୍କ ଗୁଣ୍ଡାରାଜ, ଗାଡ଼ି ଭଙ୍ଗାରୁଜା, ଜୀବନରୁ ମାରି ଦେବାକୁ ଧମକ, ୧୦ ଜଣଙ୍କ ନାମରେ ଥାନାରେ ଏତଲା

ଭଦ୍ରକ : ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକ ପ୍ରାର୍ଥୀ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁତ୍ର ପ୍ରୟାସକାନ୍ତି ସାମଲଙ୍କ ନିର୍ଦ୍ଦେଶରେ ତାଙ୍କର କିଛି ସମର୍ଥକ ଆଜି ଭଦ୍ରକ ସହରରେ ଗୁଣ୍ଡାରାଜ କରିଥିବା ଅଭିଯୋଗ ହୋଇଛି। ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ବାଚନ ପରିଚାଳନା କରୁଥିବା କଂଗ୍ରେସର ରାଜ୍ୟ ଉପସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କୁ ଭଦ୍ରକର ବନ୍ତ ଛକରେ ଆକ୍ରମଣ କରାଯାଇଛି।

ଅଭିଯୋଗ ଅନୁଯାୟୀ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାବେଳେ ଶ୍ରୀ ଜ୍ଞାନେନ୍ଦ୍ର ଜଳଖିଆ ଖାଇବାକୁ ଭଦ୍ରକ ଟାଉନ ଆଡ଼କୁ ଯାଉଥିବା ବେଳେ ପ୍ରଫୁଲ୍ଲଙ୍କ କିଛି ସମର୍ଥକମାନେ ତାଙ୍କ କାର୍‌ ଡ୍ରାଇଭରକୁ ଧମକ ଦେଇ ଗାଡ଼ି ଅଟକାଇଥିଲେ। ଡ୍ରାଇଭର ପବିତ୍ର ନାୟକ ଗାଡ଼ି ଅଟକାଇବା ପରେ ଶ୍ୟାମ ନାୟକ ନାମକ ଜଣେ ଯୁବକ ଶ୍ରୀ ଜ୍ଞାନେନ୍ଦ୍ରଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ଆକ୍ରମଣ କରିଥିଲେ ଏବଂ ତାଙ୍କର ସୁନା ଚେନ୍‌ ଓ ୪ ହଜାର ଟଙ୍କା ଛଡ଼ାଇ ନେଇଥିଲେ। ଭଦ୍ରକ ଛାଡ଼ି ଭୁବନେଶ୍ବର ପଳାଇଯାଅ, ନ ହେଲେ ତୁମକୁ ମାରି ତମ ଲାସ୍‌ ପଠାଇ ଦେବୁ ବୋଲି ଧମକ ଦେଇଥିଲେ। ଏ ସଂପର୍କରେ ଖବର ପାଇ ଭଦ୍ରକ ଟାଉନ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିବା ବେଳେ ପ୍ରଫୁଲ୍ଲଙ୍କ ଗୁଣ୍ଡାମାନେ ସେଠାରୁ ଦୌଡି ପଳାଇ ଯାଇଥିଲେ ବୋଲି ଶ୍ରୀ ଜ୍ଞାନେନ୍ଦ୍ର ଆଜି ଅପରାହ୍ନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ।

ସେ ଆହୁରି କହିଥିଲେ, ପ୍ରଫୁଲ୍ଲ ସାମଲଙ୍କୁ ଭଣ୍ଡାରିପୋଖରୀରେ ହାରିବାର ଭୟ ଘାରିଲାଣି। ତେଣୁ ଔଷଧ ବିକଳରେ ସେ ଏଭଳି ତାଟିଆ କାମୁଡ଼ିବା ଆରମ୍ଭ କରିଛନ୍ତି। ଗତ କିଛିଦିନ ହେଲା ଘସିପୁରାର ନିର୍ବାଚନ ଶେଷ ହେବା ଦିନଠାରୁ ବଦ୍ରି ପାତ୍ରଙ୍କର ଗୁଣ୍ଡାମାନେ ମଧ୍ୟ ଏଠାରେ ଆତଙ୍କରାଜ ସୃଷ୍ଟି କରିବାକୁ ଯୋଜନା ଚଳାଇଛନ୍ତି। ଭଣ୍ଡାରିପୋଖରୀର ବୁଥ୍‌ ନମ୍ବର ୧୭୧, ୧୩୫, ୧୨୫, ୧୩୪କୁ ଭୋଟ ବେଳେ ରିଗିଂ କରାଯିବ ବୋଲି ମଧ୍ୟ ଆମେ ଭଦ୍ରକ ଏସ୍‌ପି ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛୁ। ବାହାର ଗୁଣ୍ଡାମାନେ ଭଣ୍ଡାରିପୋଖରୀରେ ଆତଙ୍କ ଖେଳାଇ ଭୋଟ ନେବାକୁ ଯେଉଁ ଯୋଜନା କରିଛନ୍ତି। ସେ ସଂପର୍କରେ ଆମେ ଅଭିଯୋଗ କରିବା ପରେ ମୋତେ ଭୟଭୀତ କରାଇ ଏଠାରୁ ହଟାଇ ଦେବାକୁ ଏଭଳି ଯୋଜନା କରାଯାଇଥିଲା ବୋଲି ଶ୍ରୀ ଜ୍ଞାନେନ୍ଦ୍ର କହିଛନ୍ତି। ଭଣ୍ଡାରିପୋଖରୀରେ ବୁଥ୍ ରିଗିଂ କରି ଜିତିବାକୁ ଯୋଜନା କରିବା ଏବଂ ଭୟଭୀତ କରି ଭୋଟ ନେବାକୁ ଯୋଜନା କରୁଥିବା ପ୍ରଫୁଲ୍ଲଙ୍କର ଏଭଳି ରାଜନୀତିକୁ ମଧ୍ୟ ଶ୍ରୀ ଜ୍ଞାନେନ୍ଦ୍ର ତୀବ୍ର ସମାଲୋଚନା କରିଛନ୍ତି। ୪୦ ବର୍ଷର ରାଜନୈତିକ ଜୀବନ ଭିତରେ ମୋତ କେହି ଏଭଳି ଆକ୍ରମଣ କରିବାକୁ ସାହସ କରି ନ ଥିଲେ। ଏଭଳି ଗୁଣ୍ଡାରାଜ ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ଶ୍ରୀ ଜ୍ଞାନେନ୍ଦ୍ର ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ପ୍ରଫୁଲ୍ଲଙ୍କ ସମର୍ଥକଙ୍କର ଏଭଳି ଗୁଣ୍ଡାରାଜ ଭଦ୍ରକବାସୀଙ୍କୁ ହତଚକିତ କରିଦେଇଛି। ଏହି ଆକ୍ରମଣ ଘଟଣା ସଂପର୍କରେ ଦିନ ୧୨ଟା ବେଳେ ଭଦ୍ରକ ଏସ୍‌ପି ଅଫିସ ଯାଇ ଡ୍ରାଇଭର ପବିତ୍ର ନାୟକ ଏତଲା ଦେବା ପରେ ଭଦ୍ରକ ଟାଉନ ପୁଲିସ ପ୍ରୟାସକାନ୍ତି ସାମଲ, ଶ୍ୟାମସୁନ୍ଦର ନାୟକ, ସୋମନାଥ ସାହୁ, ତଥାଗତ ସାମଲ, ତପନ ପରିଡା, ଲଳିତ କୁମାର ନାୟକ, ମନୋଜ କର, ଶୁଭାଶିଷ ମହାନ୍ତି, ଡିସ୍କୋ ପ୍ରମୁଖ ୧୦ ଜଣଙ୍କ ନାମରେ ୧୧୯/୧୯ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୁଲିସ ଘଟଣା ଉପରେ ନଜର ରଖିଥିବା ବେଳେ ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର