ପିପିଲି : ପିପିଲି ଥାନା ଦୁର୍ଗାଦାସପୁର ଗାଁର ଜଣେ ଆଶାକର୍ମୀଙ୍କୁ ଘରୁ ଭିଡ଼ି ଆଣି ଗାଁ ଦାଣ୍ତରେ ବତା ଫାଳିଆରେ ନିସ୍ତୁକ ମାଡ଼ ମରାଯାଇଥିବା ପିପିଲି ଥାନାରେ ଅଭିଯୋଗ ହୋଇଛି। କରୋନା ପଜିଟିଭ୍ ରିପୋର୍ଟ ବାହାରିବା ପରେ ଜଣେ ଆକ୍ରାନ୍ତଙ୍କୁ ଘରକୁ ଯାଇ ତାଙ୍କୁ ଆଣିବାରେ ଏଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି ଆଶାକର୍ମୀ ଶୈଳବାଳା ସ୍ବାଇଁ। ଏନେଇ ଶୈଳବାଳା ପିପିଲି ଥାନାରେ ଗତ ଶନିବାର ଏ ନେଇ ଅଭିଯୋଗ କରିଥିଲେ। ଏହି ଘଟଣାରେ ପିପିଲି ପୁଲିସ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଥାନା ଅଧିକାରୀ ଗୌରାଙ୍ଗ ଚରଣ ପୃଷ୍ଟି କହିଛନ୍ତି।
ପୁଲିସ ସୂତ୍ରରୁ ପ୍ରକାଶ, ଦୁର୍ଗାଦାସପୁର ଅଞ୍ଚଳର ଜଣେ ମହିଳା ଅସୁସ୍ଥ ଅନୁଭବ କରିବାରୁ ଗତ ୨୧ ତାରିଖରେ ତାଙ୍କର ସ୍ବାବ୍ ପରୀକ୍ଷା ନିମନ୍ତେ ପଠାଯାଇଥିଲ। ସେହି ଦିନ ସନ୍ଧ୍ୟା ସମୟରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ପରେ ଆଶାକର୍ମୀ ଶୈଳବାଳା ଆକ୍ରାନ୍ତ ମହିଳାଙ୍କ ଘରକୁ ଅବରୋଧ ଅଞ୍ଚଳ ଚିହ୍ନଟ କରିବା ସହ ଆକ୍ରାନ୍ତଙ୍କୁ କୋଭିଡ୍ କେୟାର ସେଣ୍ଟରକୁ ପଠାଇବା ପାଇଁ ଏକ ଡାକ୍ତରୀ ଦଳ ସହ ତାଙ୍କ ଘରକୁ ଯାଇଥିଲେ। ସେଠାରେ ଅକ୍ରାନ୍ତ ମହିଳାଙ୍କ ସ୍ବାମୀ ଶୈଳବାଳାଙ୍କୁ ଗାଳିଗୁଲଜ କରିବାରୁ ସେ ସେଠାରୁ ଫେରି ଆସିଥିଲେ। ପରଦିନ ଅକ୍ରାନ୍ତଙ୍କ ପୁଅ ଶୈଳବାଳାଙ୍କ ଘରକୁ ଯାଇ ତାଙ୍କୁ ବାହାରକୁ ଆଣି ଗାଁ ଦାଣ୍ତରେ ଏକ ବତା ଫାଳିଆରେ ନିସ୍ତୁକ ପିଟିଥିବା ନେଇ ପିପିଲି ଥାନାରେ ଶୈଳବାଳା ଲିଖିତ ଅଭିଯୋଗ କରିଥିଲେ। ଏହି ମାମଲାରେ ପୁଲିସ କାହାରିକୁ ଗିରଫ କରି ନଥିବା ଜଣାପଡ଼ିଛି।