ଜନଶୁଣାଣି ଶିବିରରେ ବିଇଓ, ସରପଞ୍ଚଙ୍କୁ ନିସ୍ତୁକ ମାଡ଼; ଗୁରୁତର ଅବସ୍ଥାରେ ଉଭୟ ଡାକ୍ତରଖାନାରେ ଭର୍ତ୍ତି

ସୋର : ଶିକ୍ଷକଙ୍କ ବଦଳିକୁ କେନ୍ଦ୍ରକରି ଜନଶୁଣାଣି ସମୟରେ ଦୁଇଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଶିକ୍ଷାଧିକାରୀ ଓ ସରପଞ୍ଚ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ପ୍ରଥମେ ସୋର ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଆଜି ଜିଲ୍ଲା ପ୍ରଶାସନର ଜନଶୁଣାଣି ସମୟରେ ଏହି ଘଟଣା ଘଟିଛି।

ସୂଚନା ଅନୁସାରେ, ଆଜି ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍‌ ସମ୍ମିଳନୀ କକ୍ଷରେ ବାଲେଶ୍ବର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ଓ ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ରଙ୍କର ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର ପରେ ଟେଣ୍ଟେଇ ଭିକାରୀ ଚରଣ ଉଚ୍ଚବିଦ୍ୟାପୀଠର ଶିକ୍ଷକ ବିଜୟ କୁମାର ବିଶ୍ବାଳଙ୍କ ଅନ୍ୟତ୍ର ସ୍ଥାନାନ୍ତର ନିର୍ଦ୍ଦେଶକୁ ନେଇ ଦୁଇଗୋଷ୍ଠୀଙ୍କ ମଧ୍ୟରେ ମାଡ଼ପିଟ ହୋଇଥିଲା। ଫଳରେ, ସେଠାରେ ଉପସ୍ଥିତ ଥିବା ଗୋଷ୍ଠୀ ଶିକ୍ଷାଧିକାରୀ ସୁଧାଂଶୁ ଶେଖର ଜେନାଙ୍କ ସହ ଟେଣ୍ଟେଇ ସରପଞ୍ଚ ଲକ୍ଷ୍ମୀକାନ୍ତ ମହାଳିକ ଓ ତାଙ୍କ ସହଯୋଗୀ ପରମାନନ୍ଦ ମହାଳିକଙ୍କୁ ନିସ୍ତୁକ ମାଡ଼ ମରାଯାଇଥିଲା। ଆକ୍ରମଣରେ ଗୁରୁତର ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଜେନାଙ୍କୁ ସୋର ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ରାକେଶ କୁମାର ପଣ୍ତା ସେଠାରୁ ଉଦ୍ଧାର କରି ସୋର ଡାକ୍ତରଖାନା ନେଇ ପ୍ରାଥମିକ ଚିକିତ୍ସା କରାଇଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ବର ସ୍ଥାନାନ୍ତର କରାଯାଇଛି। ସରପ‌ଞ୍ଚ ଶ୍ରୀ ମହାଳିକ ଓ ସହଯୋଗୀ ପରମାନନ୍ଦଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସୋର ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର