ରାଜଧାନୀ‌ରେ ବିଜେପି ଜିଲ୍ଲା ସଭାପତିଙ୍କୁ ଆକ୍ରମଣ, ପଦାରେ ପଡ଼ିଲା କନ୍ଦଳ

ସାଂସଦଙ୍କ ଭୂମିକାକୁ ଇଙ୍ଗିତ କଲେ ସଭାପତି, ଆଇନ୍ ତା’ ବାଟରେ ଯିବ: ସାଂସଦ

ଭୁବନେଶ୍ବର : ବିଜେପି ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କ ଉପରେ ଆଜି ଆକ୍ରମଣ ହୋଇଛି। ରାଜଧାନୀର ମଧ୍ୟ ସ୍ଥଳ ଏକାମ୍ର ହାଟ ସମ୍ମୁଖରେ ୧୫ରୁ ଅଧିକ ମୁଖା ପିନ୍ଧା ଯୁବକ ତାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି। ସେଠାରେ ଥିବା ଏକ କିଓସ୍କକୁ ଭଙ୍ଗାରୁଜା କରିବା ସହ ଶ୍ରୀ ଖୁଣ୍ଟିଆଙ୍କ ସହଯୋଗୀଙ୍କୁ ମଧ୍ୟ ଛାଡ଼ି ନ ଥିଲେ। ଏହି ଘଟଣା ଆତଙ୍କ ଖେଳାଇ ଦେଇଥିଲା ବେଳେ ପୁଲିସ୍‌ ଜଣଙ୍କୁ ଅଟକ ରଖିଛି। ଭୁବନେଶ୍ବର ବିଜେପି ସଂଗଠନରେ ଥିବା‌ ଅନ୍ତର୍ଦ୍ବନ୍ଦ୍ବ ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି।

ଦିନ ପ୍ରାୟ ୧ଟା। ଖାରବେଳ ନଗର ଥାନା ଅଧୀନସ୍ଥ ଏକାମ୍ର ହାଟ ଫାଟକ ନିକଟରେ ଥିବା କିଓସ୍କରେ ବିଜେପି ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ ବସିଥିଲେ। ହଠାତ ୧୫ରୁ ଅଧିକ ଯୁବକ ମୁହଁରେ ମୁଖା ପିନ୍ଧି କିଓସ୍କ ଭିତରକୁ ଧ‌େସଇ ପଶିଥିଲେ। ସମସ୍ତଙ୍କ ହାତରେ ଥିଲା ହକି ଷ୍ଟିକ୍ ଓ କୋଦାଳ ବେଣ୍ଟ। ସେମାନଙ୍କ ମଧ୍ୟରୁ କିଛି ହରେକୃଷ୍ଣଙ୍କୁ ପିଟୁଥିଲା ବେଳେ ଆଉ କିଛି କିଓସ୍କକୁ ଭାଙ୍ଗିବାରେ ଲାଗିଥିଲେ। ହରେକୃଷ୍ଣଙ୍କୁ ରକ୍ଷା କରିବାକୁ ଆଗେଇ ଆସୁଥିବା ଲୋକଙ୍କୁ ବି ସେମାନେ ଛାଡ଼ି ନ ଥିଲେ। ଏହି ଯୁବକମାନେ ଏକାମ୍ର ହାଟ ସାମ୍ନାରେ ଆତଙ୍କ ଖେଳାଇଥିଲେ। ସେଠାରେ ଥିବା ଲୋକମାନେ ଭୟଭୀତ ‌େହାଇପଡ଼ିଥିଲେ। କିଛି ସମୟ ପରେ ଆକ୍ରମଣକାରୀ ଯୁବକମାନେ ସେହି ସ୍ଥାନ ଛାଡ଼ି ଚାଲିଯାଇଥିଲେ। ଏହା ପରେ ହରେକୃଷ୍ଣଙ୍କ ବନ୍ଧୁମାନେ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ।

ଖବର ପାଇ ଖାରବେଳ ନଗର ଥାନା ପୁଲିସ୍‌ ସହିତ ବରିଷ୍ଠ ଅଧିକାରୀମାନେ ଘଟଣା ସ୍ଥଳକୁ ଯାଇ ଛାନ୍‌ଭିନ୍ କରିଥିଲେ। ଏ ନେଇ ଖାରବେଳ ନଗର ଥାନାରେ ଏକ ମାମଲା ରୁଜୁ ହୋଇଛି। ପୁଲିସ୍‌ ଦେବାଶିଷ ନାୟକ ଓରଫ୍ ବାପି ନାମକ ଜଣେ ଯୁବକଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଛି। ପୂର୍ବରୁ ବାପି ନାମରେ ଏକାଧିକ ମାମଲା ରହିଛି ଓ ସେ ଗିରଫ ହୋଇ ଜେଲ୍‌ ମଧ୍ୟ ଯାଇଥିଲେ।

ଏହି ଘଟଣା ଭୁବନେଶ୍ବର ବିଜେପି ସଂଗଠନରେ ଗତ କିଛି ଦିନ ହେଲା ଚାଲିଥିବା ଅନ୍ତର୍ଦ୍ବନ୍ଦ୍ବକୁ ପଦାରେ ପକାଇଛି। ଆକ୍ରମଣର ଶିକାର ହୋଇଥିବା ଜିଲ୍ଲା ସଭାପତି ଶ୍ରୀ ଖୁଣ୍ଟିଆ ଏହି ଆକ୍ରମଣ ପାଇଁ ପରୋକ୍ଷରେ ନିଜ ଦଳର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଆଡ଼କୁ ଆଙ୍ଗୁଠି ଉଠାଇଛନ୍ତି। ହସ୍ପିଟାଲ୍‌ରେ ଗଣମାଧ୍ୟମକୁ ସେ କହିଛନ୍ତି ଯେ ରାଜନୈତିକ କାରଣରୁ ମୋତେ ଆକ୍ରମଣ ହୋଇଛି। ଭୁବନେଶ୍ବର ସାଂସଦଙ୍କ ପ୍ରତିନିଧି ଦେବାଶିଷ ନାୟକ ଏହି ଆକ୍ରମଣ କରିଛନ୍ତି। ରାସ୍ତାରୁ କଣ୍ଟା ହଟାଇବା ପାଇଁ ଏମିତି କରୁଛନ୍ତି।

ଯଦିଓ ଶ୍ରୀ ଖୁଣ୍ଟିଆ ସାଂସଦଙ୍କ ସହ ତାଙ୍କର ବିବାଦ ଓ ବାପି ତାଙ୍କୁ ଆକ୍ରମଣ କରିବାର ନିର୍ଦ୍ଦିଷ୍ଟ କାରଣ କହି ନାହାନ୍ତି, ତେବେ ଦଳ ଭିତରେ ବଡ଼ ଧରଣର ବିବାଦ ମୁଣ୍ଡ ଟେକୁଥିବାର ଆଭାସ ମିଳିଛି। ନିର୍ବାଚନ ଜିତିଲା ପରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସହ ଜିଲ୍ଲା ସଂଗଠନର ବିବାଦ ଆରମ୍ଭ ହୋଇଛି। ଏ ନେଇ କିଛି କର୍ମକର୍ତ୍ତା ମଧ୍ୟ ରାଜ୍ୟ ନେତୃତ୍ବ ନିକଟରେ ଫେରାଦ ହୋଇଛନ୍ତି। ଅପରାଜିତା ଜିଲ୍ଲା ସଂଗଠନକୁ ଅଣଦେଖା କରି ସମାନ୍ତରାଳ ସଂଗଠନ କରୁଛନ୍ତି ବୋଲି ଅଭିଯୋଗ ଉଠିଥିଲା। ଅପରାଜିତାଙ୍କ କୌଣସି କାର୍ଯ୍ୟକ୍ରମରେ ଶ୍ରୀ ଖୁଣ୍ଟିଆଙ୍କ ସମେତ ଜିଲ୍ଲା ସଂଗଠନର ଅନ୍ୟ କର୍ମକର୍ତ୍ତାଙ୍କୁ ଦେଖିବାକୁ ମିଳୁ ନ ଥିଲା। ଭୁବନେଶ୍ବରରେ ବିଜେପି ବସ୍ତୁତଃ ଦୁଇ ଫାଳ ହୋଇଯାଇଥିଲା।

ଆକ୍ରମଣ ସମ୍ପର୍କରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଥିଲେ, ଆଇନ୍ ତା’ ବାଟରେ ଯିବେ। ଯିଏ ଏପରି କାମ କରିଛି, ତାଙ୍କୁ ନିଶ୍ଚିତ ଦଣ୍ଡ ମିଳିବା ଆବଶ୍ୟକ। ମୁଁ ନିଜେ ମଧ୍ୟ ଡିସିପିଙ୍କୁ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରିଛି। ଜିଲ୍ଲା ସଭାପତିଙ୍କ ପ୍ରତି ମୋର ଯଥେଷ୍ଟ ଶ୍ରଦ୍ଧା ଅଛି। ଦଳରେ କୌଣସି ଅନ୍ତର୍ଦ୍ବନ୍ଦ୍ବ ନାହିଁ।

ଅପରପକ୍ଷରେ ରାଜଧାନୀର କେନ୍ଦ୍ର ସ୍ଥଳରେ ଦିନ ଦି ପହରରେ ଅପରାଧୀମାନଙ୍କ ଏପରି ଆତଙ୍କରାଜ ସହରବାସୀଙ୍କ ଚିନ୍ତା ବଢ଼ାଇଦେଇଛି। ପୁଲିସ୍‌କୁ ସେମାନେ ଖୋଲା ଚ୍ୟାଲେଞ୍ଜ୍ ଦେଇ ଏପରି କାଣ୍ଡ ଭିଆଇବା ରାଜଧାନୀର ବିପର୍ଯ୍ୟସ୍ତ ଆଇନ୍‌ଶୃଙ୍ଖଳା ପରିସ୍ଥିତିକୁ ଇଙ୍ଗିତ କରୁଛି।

ସମ୍ବନ୍ଧିତ ଖବର