ଜଙ୍ଗଲରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ବିଜେପି ନେତାଙ୍କୁ ଗୋଡ଼େଇ ହାଣିଲେ

ଗୁରୁତର ଅବସ୍ଥାରେ ଭୁବନେଶ୍ବର ସ୍ଥାନାନ୍ତର, ଉତ୍ତ୍ୟକ୍ତ ଲୋକ ଅଭିଯୁକ୍ତ ଘର, ଗାଡ଼ି ଜାଳିଦେଲେ

ବାରିପଦା/ପଣସିଆ : ଜଙ୍ଗଲ ଭିତରେ ରାସ୍ତା ନିର୍ମାଣ ଘଟଣାକୁ କେନ୍ଦ୍ରକରି ଜଣେ ବିଜେପି ନେତାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି ଭଡ଼ାଟିଆ ଗୁଣ୍ଡା। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ତେବେ, ଏହି ଘଟଣାର ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକମାନେ ଗୁଣ୍ଡା ଲଗାଇଥିବା ଅଭିଯୁକ୍ତ ଫିସେରି ମାଲିକଙ୍କ ଘର, କାର୍‌ ଓ ବାଇକ୍‌ ଜାଳି ଦେଇଛନ୍ତି। ଶତାଧିକ ପୁଲିସ୍‌ ଉପସ୍ଥିତ ଥାଇ ସୁଦ୍ଧା ସେମାନଙ୍କୁ ରୋକିବାକୁ ସକ୍ଷମ ହୋଇନାହାନ୍ତି। ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍‌ ରଘୁପୁରା ପଞ୍ଚାୟତ ଅଞ୍ଚଳରେ ଘଟିଥିବା ଏହି ଘଟଣାକୁ ନେଇ ଉତ୍ତେଜନା ଲାଗିରହିଛି।

ଗୁରୁତର ବିଜେପି ନେତା ହେଉଛନ୍ତି, ରଘୁପୁର ବିଜେପି ମଣ୍ଡଳ ସମ୍ପାଦକ ଚନ୍ଦ୍ରହାସ୍ୟ ପାଣିଗ୍ରାହୀ। ଚନ୍ଦ୍ରହାସ୍ୟ ଏହି ବ୍ଲକ୍‌ ଅଧୀନ ରଘୁପୁର ପଞ୍ଚାୟତ ବଡ଼ଗୋପାଳପୁର ସଂରକ୍ଷିତ ଜଙ୍ଗଲ ଦେଇ ଏକ ଫିସେରିକୁ ହେଉଥିବା ରାସ୍ତା ନିର୍ମାଣକୁ ବି‌ରୋଧର ନେତୃତ୍ବ ନେଉଥିଲେ। ଏହାକୁ ନେଇ ସମ୍ପୃକ୍ତ ଫିସେରି ମାଲିକ ମନୋରଞ୍ଜନ ସାହୁ ଓ ତାଙ୍କର ୨ ପୁଅ ଅକ୍ଷୟ ଏବଂ ସଞ୍ଜୟଙ୍କ ଟାର୍ଗେଟ୍‌ରେ ଥିଲେ ସେ।

ବୁଧବାର ଚନ୍ଦ୍ରହାସ୍ୟ ଘରଠାରୁ ଅଳ୍ପଦୂରରେ ଥିବା ନିଜ ଧର୍ମକଣ୍ଟାକୁ ଯାଇଥିବାବେଳେ ୨ଟି ଗାଡ଼ିରେ ୧୫ରୁ ଅଧିକ ଭଡ଼ାଟିଆ ଗୁଣ୍ଡା ହାତରେ ଖଣ୍ଡା, ଭୁଜାଲି ଧରି ପହଞ୍ଚିଥିଲେ। କାହିଁକି ଗ୍ରାମବାସୀଙ୍କ ନେତୃତ୍ବ ନେଇ ଫିସେରି ମାଲିକଙ୍କୁ ହଇରାଣ କରୁଛୁ ବୋଲି କହି ଚନ୍ଦ୍ରହାସ୍ୟଙ୍କୁ ହାଣିବାକୁ ଗୋଡ଼ାଇଥିଲେ। ତାଙ୍କ ହାତ ଓ କାନ୍ଧକୁ ଏକାଧିକ ଚୋଟ ପକାଇଥିଲେ ଦୁର୍ବୃତ୍ତ। ଚନ୍ଦ୍ରହାସ୍ୟ କୌଣସି ମତେ ସେମାନଙ୍କ କବଳରୁ ବର୍ତ୍ତିଯାଇ ନିଜ ଘର ଭିତରକୁ ପଶିଯିବାରୁ ଅଭିଯୁକ୍ତମାନେ ଚମ୍ପଟ ମାରିଥିଲେ। ଏପଟେ ଚନ୍ଦ୍ରହାସ୍ୟଙ୍କୁ ପ୍ରଥମେ ବୈଶିଙ୍ଗା ଓ ପରେ ସଙ୍କଟାପନ୍ନ ଅବସ୍ଥାରେ ଭୁବନେଶ୍ବର କଳିଙ୍ଗ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଏହି ଖବର ପ୍ରଚାର ହେବାପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଶହଶହ ଲୋକ ରୁପସା-ବୈଶିଙ୍ଗା ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ଅଭିଯୁକ୍ତଙ୍କ ଗିରଫଦାରୀ ଦାବି କରିଥିଲେ। ତେବେ ପୁଲିସର ବିଳମ୍ବିତ କାର୍ଯ୍ୟାନୁଷ୍ଠାନ ପାଇଁ ସନ୍ଧ୍ୟା ବେଳକୁ ଲୋକଙ୍କ କ୍ରୋଧ ସୀମା ଟପିଥିଲା। ୨ ହଜାରରୁ ଊର୍ଦ୍ଧ୍ବ ଲୋକ ସଂଘବଦ୍ଧ ଭାବେ ଫିସେରି ମାଲିକ ମନୋରଞ୍ଜନଙ୍କ ଘର ଉପରେ ଆକ୍ରମଣ କରିଥିଲେ। ସେଠାରେ ବ୍ୟାପକ ଭଙ୍ଗାରୁଜା କରିବା ସହିତ ୨ଟି ବାଇକ୍‌, ଗୋଟିଏ ଏସ୍‌ୟୁଭି କାର୍‌ରେ ନିଆଁ ଲଗାଇ ଦେଇଥିଲେ। ଅଗ୍ନିକାଣ୍ଡ ଯୋଗୁ ଏକ ଗ୍ୟାସ୍‌ ସିଲିଣ୍ଡର ଫାଟି ଯିବାରୁ ନିଆଁ ଭୟଙ୍କର ରୂପ ନେଇ ଘରକୁ ମାଡ଼ି ଯାଇଥିଲା।

ଏ ସମ୍ପର୍କରେ ଏସ୍‌ପି ସ୍ମିତ. ପି ପରମାରଙ୍କୁ ପଚାରିବାରୁ ବେତନଟୀ ଓ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ଏବଂ ସ୍ଥିତି ନିୟନ୍ତ୍ରଣ ପାଇଁ ଚେଷ୍ଟା ଜାରି ରହିଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର