ଠିକା କାମକୁ ନେଇ ବିଜେପି ସଭାପତିଙ୍କୁ ଆକ୍ରମଣ

୨ ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ

ସମ୍ବଲପୁର: ଠିକା କାମର ପ୍ରାପ୍ୟକୁ ନେଇ ବିଜେପି ସଭାପତି ଗିରିଶ ପଟେଲ୍‌ଙ୍କୁ ଆକ୍ରମଣ ହୋଇଛି। ଆକ୍ରମଣ ସଂକ୍ରାନ୍ତରେ ଗିରିଶ ପଟେଲ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଶନିବାର ଅପରାହ୍‌ଣରେ ଗିରିଶ ପଟେଲ ତାଙ୍କ ଘରେ ଥିଲେ। ଅପରାହ୍‌ଣ ୫ଟା ୪୫ ସମୟରେ ସଂଜୀବ ଖଣ୍ଡେଲଵାଲ(୩୫) ଓ ତାଙ୍କର ଜଣେ ସଂପର୍କୀୟ ରାଜେନ୍ଦ୍ର ପୋଢ଼(୩୦) ଓରଫ୍‌ ରାଜା ତାଙ୍କ ଘର ଭିତରେ ପଶି ତାଙ୍କୁ ଗାଳିଗୁଲଜ ଦେଇଥିଲେ।

ଏହାକୁ ବିରୋଧ କରିବାରୁ ୨ ଅଭିଯୁକ୍ତ ତାଙ୍କ ପେଟକୁ ଛୁରିରେ ଆକ୍ରମଣ କରିଥିଲେ। କିନ୍ତୁ ଛୁରିଟି ଗିରିଶଙ୍କ ହାତରେ ବାଜିବାରୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏହାପରେ ତାଙ୍କୁ ମାଡ଼ ମାରିବା ସହ ରାଜା ଧମକ ଦେଇଥିଲା। ଏ ସଂକ୍ରାନ୍ତରେ ରାତିରେ ଟାଉନ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଘଟଣାରେ ସଂପୃକ୍ତତ  ୨ ଅଭିଯୁକ୍ତ ସଂଜୀବ ଓ ରାଜାକୁ ଗିରଫ କରିଛି। ଏକ ଠିକା କାମର ନେଣଦେଣକୁ ନେଇ ଗିରିଶ ଏବଂ ସଂଜୀବଙ୍କ ମଧ୍ୟରେ ବିବାଦ ରହିଥିଲା। ଏହାକୁ କେନ୍ଦ୍ରକରି ଗିରିଶଙ୍କୁ  ଆକ୍ରମଣ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ପୁଲିସ ପକ୍ଷରୁ କହାଯାଇଛି। ଉଭୟ ସଂଜୀବ ଓ ରାଜା ବିରୋଧରେ ଏକାଧିକ ମାମଲା ରହିଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର