ଭୁବନେଶ୍ବର : ଶାସକ ବିଜେଡି ପୁଣି ଥରେ ଚିରାଚରିତ ଭାବେ ଭୟ ଓ ହିଂସାକୁ ଅସ୍ତ୍ର ଭାବେ ବ୍ୟବହାର କରି ନିର୍ବାଚନ ଜିତିବା ପାଇଁ ପ୍ରୟାସ ଆରମ୍ଭ କରିଛି। ବିଜେପି ସମର୍ଥକମାନଙ୍କୁ ଶାସକ ବିଜେଡିର କର୍ମୀମାନେ ଅତର୍କିତ ଆକ୍ରମଣ କରି ଭୟଭୀତ କରିବାର ଅପଚେଷ୍ଟା ଅତ୍ୟନ୍ତ ଘୃଣ୍ୟ ଓ ନିନ୍ଦନୀୟ। ଚଳିତ ଉପନିର୍ବାଚନରେ ଶାସକ ବିଜେଡି ପ୍ରାର୍ଥୀଙ୍କ ଚେହେରା ବଦଳିଛି ସତ, କିନ୍ତୁ ହିଂସାର ଆଭିମୁଖ୍ୟ ବଦଳି ନାହିଁ।
ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀର ରାଇଗୁରୁପୁରଠାରେ ବିଜେପି ରାଲି ଓ ସମର୍ଥକମାନଙ୍କୁ ଆକ୍ରମଣ ଘଟଣାରେ ଏପରି କ୍ଷୋଭ ପ୍ରକାଶ କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ। କହିଛନ୍ତି, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଯଦି ଦୋଷୀକୁ ଗିରଫ କରାଯାଇ କଠୋର କାର୍ଯ୍ୟାନୁଷ୍ଠାନ କରା ନଯାଏ, ତାହେଲେ ପୁଲିସ ପ୍ରଶାସନ ବିରୋଧରେ ବିଜେପି ଆନ୍ଦୋଳନ କରିବ।
ଶ୍ରୀ ହରିଚନ୍ଦନ କହିଛନ୍ତି, ଦୀର୍ଘ ୩୫ ବର୍ଷରୁ ଅଧିକ ସମୟ ଧରି ବିଜେଡି ଓ କଂଗ୍ରେସ ମିଳିମିଶି ପିପିଲି-ଡେଲାଙ୍ଗ ଅଞ୍ଚଳକୁ ହିଂସା ଓ ଅରାଜକତାର ଚରାଭୂଇଁ ଭାବେ ବ୍ୟବହାର କରିଆସିଛନ୍ତି। ଏବେ ଯେତେବେଳେ ପିପିଲି-ଡେଲାଙ୍କ ଅଞ୍ଚଳବାସୀ ହିଂସା ଓ ଅରାଜକତାକୁ ପ୍ରତ୍ୟାଖ୍ୟାନ କରି ବିକାଶ ସହ ଯୋଡ଼ି ହେବା ପାଇଁ ମନ ସ୍ଥିର କରିସାରିଛନ୍ତି, ସେତେବେଳେ ଶାସକ ବିଜେଡି ପୁଣି ଥରେ ଚିରାଚରିତ ଭାବେ ଭୟ ଓ ହିଂସାକୁ ଅସ୍ତ୍ର ଭାବେ ବ୍ୟବହାର କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/Prithviraj-Harichandan.jpg)