ରାଜନୈତିକ ଆକ୍ରୋଶରୁ ବିଜେପି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ

ଉଦଳା: ଗତକାଲି ବିଳମ୍ୱିତ ରାତ୍ରିରେ ଉଦଳାର ଜଣେ ବିଜେପି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ରାତି ପ୍ରାୟ ୧୧.୪୫ ସମୟରେ ଉଦଳା ବ୍ଲକ୍‌ ବଡ଼ସିଙ୍ଗାରିଆ ପଞ୍ଚାୟତ କଅଁରପାଳ ଗ୍ରାମର ବାସିନ୍ଦା ତଥା ବରିଷ୍ଠ ବିଜେପି କର୍ମୀ ରସାନନ୍ଦ ସାହୁ ଉଦଳା-ଦୁଗଧା ରାସ୍ତାରେ ଯାଉଥିବା ବେଳେ କେନାଲ ଛକ ନିକଟରେ ନାଗପାଳ ଗ୍ରାମର ପୁପୁନ ଘୋଷ ଓ ବାବୁଲି ରାଉତ ଆସି ଚଳିତ ନିର୍ବାଚନ ସମୟରେ ଘଟିଥିବା ଏକ ନିର୍ଦ୍ଦିଷ୍ଟ ଘଟଣାକୁ ନେଇ ତାଙ୍କ ସହ ଗଣ୍ଡଗୋଳ ଆରମ୍ଭ କରିଥିବାର ଶ୍ରୀ ସାହୁ କହିଛନ୍ତି। ଏହା ପରେ ପୁପୁନଙ୍କ ବାପା ପ୍ରଦୀପ ଘୋଷ ଓ ଟୁକୁନ ତାଙ୍କୁ ଆକ୍ରମଣ କରିଥିବାର ଶ୍ରୀ ସାହୁ ଥାନାରେ ଅଭିଯୋଗ କରିଥିଲେ। ପୁଲିସ କେସ୍ ନଂ ୬୪/୨୨ରେ ମାମଲା ରୁଜୁ କରିଥିଲା।

ଅପର ପକ୍ଷରେ ଶ୍ରୀ ସାହୁ ଧାନ କିଣାବିକା ମାମଲାରେ ତାଙ୍କୁ ଦୁର୍ବ୍ୟବହାର କରିଥିବାର ନେଇ ୱାର୍ଡ ନଂ ୧୨ର ଯୋଶଦା ରାଉତ ଥାନାରେ ଏକ ପାଲଟା ଅଭିଯୋଗ କରିଛନ୍ତି। ତାଙ୍କ ପୁଅ ଆସି ବିରୋଧ କରିବାରୁ ଶ୍ରୀ ସାହୁ ଗଣ୍ଡୋଗଳ କରିଥିଲେ ଓ ଘଟଣାସ୍ଥଳରୁ ଖସି ଯାଉଥିବା ବେଳେ ଗାଡ଼ିରୁ ପଡି ଆହତ ହୋଇଥିବାର ଶ୍ରୀମତି ରାଉତ ଅଭିଯୋଗରେ ଦର୍ଶାଇଛନ୍ତି। ଏ ନେଇ କେସ୍‌ ନଂ ୬୫/୨୨ରେ ଆଉ ଏକ ମାମଲା ରୁଜୁ ହୋଇଛି। ତେବେ ଆକ୍ରମଣକାରୀମାନେ ବିଜେଡି କର୍ମୀ ବୋଲି ବିଜେପି ପକ୍ଷରୁ ଅଭିଯୋଗ ହେଉଥିବା ବେଳେ ବିଜେଡିର ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ ଏହାକୁ ଖଣ୍ଡନ କରିଛନ୍ତି। ଅପର ପକ୍ଷରେ ଦୋଷୀମାନଙ୍କୁ ତୁରନ୍ତ ଗିରଫ କରାନଗଲେ ବିଜେପି ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବ ବୋଲି ଚେତାବନୀ ଦେଇଛି। ନିର୍ବାଚନ ଫଳାଫଳ ପୂର୍ବରୁ ଏଭଳି ଘଟଣା ସ୍ଥାନୀୟ ରାଜନୀତିକୁ ସରଗରମ କରିଦେଇଛି। ଏପଟେ ଉଭୟ ମାମଲାର ଅଭିଯୁକ୍ତ ଫେରାର ଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର