ବରଯାତ୍ରୀଙ୍କୁ ଆକ୍ରମଣ ଓ ଗାଡ଼ି ଭଙ୍ଗାରୁଜା, ୪ ଗିରଫ

ବଡ଼ବିଲ: ବରଯାତ୍ରୀଙ୍କୁ ଆକ୍ରମଣ, ଗାଡ଼ି ଭଙ୍ଗାରୁଜା ଓ ଲୁଟ୍ ଅଭିଯୋଗରେ ବଡ଼ବିଲ ପୁଲିସ ୪ଜଣଙ୍କୁ ଗିରଫ କରିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ୪ ତାରିଖ ସନ୍ଧ୍ୟାରେ ଝାଡ଼ଖଣ୍ଡ ଚାଇଁବସା ଅଞ୍ଚଳରୁ ଏକ ବରଯାତ୍ରୀ ଦଳ ବଡ଼ବିଲ ୭ ନମ୍ବର ୱାର୍ଡକୁ ଆସିଥିଲେ। ବାହାଘର ସରିବା ପରେ ବରକନ୍ୟା ସହ ବରଯାତ୍ରୀ ଦଳ ଝିଅଘରୁ ବରଗାଡ଼ି ପାଖକୁ ଯିବା ସମୟରେ କିଛି ଅସାମାଜିକ ଯୁବକ ସେମାନଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ କିଛି ବରଯାତ୍ରୀ ଆହତ ହୋଇଥିଲେ। ସମ୍ପୃକ୍ତ ଯୁବକମାନେ ଏକ ଗାଡ଼ି ଭାଙ୍ଗିଦେବା‌ ସହ ମହିଳାଙ୍କ ଗହଣା ଲୁଟି ନେଇଥିଲେ। ଏନେଇ କନ୍ୟାପକ୍ଷ ବଡ଼ବିଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ କେସ୍ ନମ୍ବର ୫୮/୨୧ ଦଫା ୧୪୭, ୧୪୮, ୩୨୩, ୩୦୭, ୩୯୨, ୪୨୭, ୨୯୪, ୫୦୬, ୧୪୯ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ଏହି ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ ୭ ନମ୍ବର ୱାର୍ଡ କ୍ରିଷ୍ଣାନଗର ଅଞ୍ଚଳର ଅଭିଷେକ ପ୍ରସାଦ (୨୧), ଓମ୍ କର୍ମକାର(୧୯), ଶ୍ରୀରାମନଗର ଅଞ୍ଚଳର ନିରୋଜ ଚୌରାସିଆ (୨୦), ମହାନ୍ତବସ୍ତିର ରାହୁଲ ପାତ୍ର (୧୮)। ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବରଯାତ୍ରୀଙ୍କୁ ଆକ୍ରମଣ ଏବଂ ଗାଡ଼ି ଭଙ୍ଗାରୁଜା କରାଯାଇଥିଲା ବୋଲି ବଡ଼ବିଲ ଥାନା ଅଧିକାରୀ ସୁଶାନ୍ତ କୁମାର ଦାଶ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର