ଭାଇକୁ ମାଡ଼ମାରି ଭଉଣୀକୁ ଅପହରଣ, ଜଙ୍ଗଲରେ ଗଣଦୁଷ୍କର୍ମ ପରେ ଫିଙ୍ଗିଦେଲେ

ନୀଳଗିରି: ନୀଳଗିରି ବ୍ଲକ ପଂଚଲିଙ୍ଗେଶ୍ବର ନିକଟସ୍ଥ କଣ୍ଠିଆଟିକର ଛକରେ ଆଜି ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି।  ଭାଇଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ସଂପର୍କୀୟ ନାବାଳିକା ଭଉଣୀକୁ ଦୁଇ ଯୁବକ ଉଠାଇ ନେଇ ଦୁଷ୍କର୍ମ କରିଥିବା ନେଇ ନୀଳଗିରି ଥାନାରେ ଅଭିଯୋଗ ହୋଇଛି।

ସୂଚନା ମୁତାବକ, ଆଜି ରାତି ପ୍ରାୟ ୭.୩୦ ସମୟରେ ଖନ୍ତାପଡ଼ା ଥାନା ଅଧୀନସ୍ଥ ପଣ୍ତାଶୁଣି ଗ୍ରାମର ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ପୁଅ ମନୋରଂଜନ(୨୫) ସଂପର୍କୀୟ ଭଉଣୀକୁ ଧରି ନୀଳଗିରିରୁ ଘରକୁ ଫେରୁଥିବା ବେଳେ କଣ୍ଠିଆଟିକର ଛକ ନିକଟରେ ହଠାତ୍ ଏକ କଳା ପଲସରରେ ଦୁଇ ଯୁବକ ଭୁଜାଲି ଓ ଏକ ଠେଙ୍ଗାରେ ଯୁବକକୁ ଆକ୍ରମଣ କରି ନାବାଳିକା ଭଉଣୀକୁ ଅପହରଣ କରି ଘଟଣାସ୍ଥଳରୁ ଛୁ ମାରିଥିଲେ। ପରେ ଦୁଇ ଯୁବକ ନାବାଳିକାକୁ ପଂଚଲିଙ୍ଗେଶ୍ବର ପାନ୍ଥଶାଳା ପଛପଟ ଜଙ୍ଗଲରେ ଗଣଦୁଷ୍କର୍ମ କରି ମାଡ଼ ମାରି ଘଟଣାସ୍ଥଳରୁ ପଳାଇଯାଇଥିଲେ। ରାତି ଅନ୍ଧକାର ଭିତରେ ନାବାଳିକା ଜଣକ ମୁମୁର୍ଷ ଅବସ୍ଥାରେ ବିଲରେ ଚାଲିଚାଲି ଆସି ମହେନ୍ଦ୍ର ହୋଟେଲ ଆଗରେ ଛିଡ଼ା ହୋଇ କାନ୍ଦୁଥିବା ଦେଖି ହୋଟେଲ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ହୋଟେଲକୁ ଆଣିଥିଲେ। ପରେ ନାବାଳିକାର ସମ୍ପର୍କୀୟଙ୍କୁ ଫୋନ କରିଥିଲେ।

ଅନ୍ୟପଟେ ଆକ୍ରମଣରେ ଶିକାର ହୋଇଥିବା ଯୁବକ ଜଣକ ଗୁରୁତର ଅବସ୍ଥାରେ ରାସ୍ତାରେ ପଡ଼ି ଘଟଣା ସମ୍ପର୍କରେ ଭିଣେଇଙ୍କୁ ଫୋନ କରି ଜଣାଇଥିଲେ। ଘଟଣାସ୍ଥଳରେ ସମ୍ପର୍କୀୟ ଭିଣେଇ ପହଂଚି ଯୁବକଠାରୁ ସମସ୍ତ ଘଟଣା ଶୁଣିବା ପରେ ନାବାଳିକାକୁ ଖୋଜିବା ପାଇଁ ପଂଚଲିଙ୍ଗେଶ୍ବର ପାନ୍ଥଶାଳାକୁ ଯାଇଥିଲେ। ପରେ ସମ୍ପର୍କୀୟ ଭିଣେଇ ଯୁବକ ଓ ନାବାଳିକାକୁ ନୀଳଗିରି ଥାନାକୁ ନେଇଥିଲେ। ଆକ୍ରମଣରେ ଶିକାର ହୋଇଥିବା ସମ୍ପର୍କୀୟ ଭାଇଙ୍କ ଅଭିଯୋଗକ୍ରମେ ଥାନାରେ ୨୮/୨୧ନମ୍ବରରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ମନୋରଂଜନ(୨୫) ଉକ୍ତ ଗ୍ରାମର ନିଜ ମାମୁଁ ଝିଅ ନାବାଳିକା ଭଉଣୀକୁ ଧରି ବାଇକ୍‌ରେ ସଂକ୍ରାନ୍ତି ଚୁଡ଼ା ନେଇ ପଂଚଲିଙ୍ଗେଶ୍ବର ନିକଟସ୍ଥ କଣ୍ଠିଆଟିକର ଗ୍ରାମର ଭିଣେଇ ବାବୁରଣା ଘରକୁ ଯାଇଥିଲେ। ସେଠାରୁ ଦିନ ୪ଟା ସମୟରେ ନୀଳଗିରି ଥାନା ଅଧୀନସ୍ଥ ବାଣପୁର ଗ୍ରାମର ମଉସା ଚୁଚ ବେହେରାଙ୍କ ଘରକୁ ଯାଇ ଭାଇଭଉଣୀ ଘରକୁ ଫେରୁଥିବା ବେଳେ ଏପରି ଅଘଟଣ ଘଟିଥିଲା।

ସମ୍ବନ୍ଧିତ ଖବର