ପାଟନା: ୟୁଜିସି-ନେଟ୍ ପେପର ଲିକ୍ ମାମଲାର ତଦନ୍ତ ପାଇଁ ଆଜି ଦିଲ୍ଲୀରୁ ବିହାରର ନୱାଦାରେ ପହଞ୍ଚିଥିବା ସିବିଆଇ ଟିମ୍ ଉପରେ ଗ୍ରାମବାସୀମାନେ ସଂଘବଦ୍ଧ ଆକ୍ରମଣ କରିଥିବାର ଖବର ମିଳିଛି। ତଦନ୍ତକାରୀ ଟିମ୍ର ସଦସ୍ୟମାନଙ୍କୁ ଗ୍ରାମବାସୀମାନେ ଆକ୍ରମଣ କରିବା ସହ ସେମାନଙ୍କ ଗାଡ଼ି ଭାଙ୍ଗି ଦେଇଛନ୍ତି। ଟିମ୍ ଅଧିକାରୀଙ୍କୁ ସେମାନେ ବଳପୂର୍ବକ ଅଟକ ରଖିଥିବା ରିପୋର୍ଟ ମିଳିଥିବା ବେଳେ ରଜୌଲି ପୁଲିସ ଘଟଣାସ୍ଥଳରୁ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିଛି। ପୁଲିସ ଅଧୀକ୍ଷକ ଅମରୀଶ ରାହୁଲ କହିଛନ୍ତି ଯେ ୟୁଜିସି-ନେଟ୍ ପେପର ଲିକ୍ ମାମଲାରେ ସିବିଆଇ ଟିମ୍ ନଵାଦା ଜିଲ୍ଲାର ରଜୌଲି ଥାନା ଅନ୍ତର୍ଗତ କାସିଆଡିହ ଗାଁରେ ପହଞ୍ଚିବା ମାତ୍ରେ ଗ୍ରାମବାସୀମାନେ ସେମାନଙ୍କୁ ଘେରିଯାଇଥିଲେ ଏବଂ ନକଲି ଟିମ୍ ବୋଲି କହି ମାଡ଼ ମାରିଥିଲେ। ତେବେ ଏହା ଯୋଜନାବଦ୍ଧ ଆକ୍ରମଣ ଥିଲା ଏବଂ ଭିଡିଓଗ୍ରାଫି ଆଧାରରେ ଆକ୍ରମଣକାରୀଙ୍କୁ ଚିହ୍ନଟ କରାଯାଉଛି ବୋଲି ସେ କହିଛନ୍ତି।
ସୂଚନା ଅନୁଯାୟୀ, ପେପର ଲିକ୍ ଘଟଣାରେ ସମ୍ପୃକ୍ତ ଜଣେ ବ୍ୟକ୍ତିଙ୍କ ମୋବାଇଲ ଲୋକେସନ୍ ଆଧାରରେ ଦିଲ୍ଲୀରୁ ସିବିଆଇ ଟିମ୍ କାସିଆଡିହରେ ଗ୍ରାମରେ ପହଞ୍ଚିଥିଲେ । ଗ୍ରାମରେ ଖୋଳତାଡ଼ ଆରମ୍ଭ କରିବାମାତ୍ରେ ଗ୍ରାମବାସୀମାନେ ହଠାତ ସେମାନଙ୍କୁ ଘେରିଯାଇ ଅତର୍କିତ ଆକ୍ରମଣ କରିଥିଲେ। ଯାଞ୍ଚ ଟିମ୍ର ଗାଡ଼ି ଭଙ୍ଗାରୁଜା କରିବା ସହ ସେମାନଙ୍କ ମୋବାଇଲ ମଧ୍ୟ ଛଡ଼ାଇ ନେବାକୁ ପ୍ରୟାସ କରିଥିଲେ। ସିବିଆଇ ଟିମ୍କୁ ବଳପୂର୍ବକ ଅଟକ ରଖାଯିବା ସଂପର୍କରେ ଖବର ମିଳିବା ମାତ୍ରେ ପୁଲିସ ବାହିନୀ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଏବଂ ଗ୍ରାମବାସୀଙ୍କୁ ବୁଝାସୁଝା କରି ସମସ୍ତ ୪ ଯାଞ୍ଚ ଅଧିକାରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲା। ଏହାପରେ ସିବିଆଇ ଟିମ୍ ପୁଲିସ ଉପସ୍ଥିତିରେ ପୁଣି ତଦନ୍ତ ଆରମ୍ଭ କରିଥିଲା ଏବଂ ଲୋକେସନ ଆଧାରରେ ଦୁଇଟି ମୋବାଇଲ ଫୋନ୍ ଜବତ କରାଯାଇଛି। ପରେ ଅଧିକ ତଦନ୍ତ ଆଧାରରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ଗିରଫ କରାଯିବ ବୋଲି ସିବିଆଇ ଅଧିକାରୀ କହିଛନ୍ତି। ସିବିଆଇ ଟିମ୍ ଉପରେ ଆକ୍ରମଣ ମାମଲାରେ ଏଫ୍ଆଇଆର୍ ରୁଜୁ ହୋଇଛି ଏବଂ ଜଣେ ମହିଳାଙ୍କ ସମେତ ପୁଲିସ ୪ ଜଣ ଗ୍ରାମବାସୀଙ୍କୁ ଗିରଫ କରିଛି। ଏହି ମାମଲାରେ ୧୫୦ ଜଣଙ୍କ ନାମରେ ରଜୌଲି ଥାନାରେ ଏତଲା ରୁଜୁ ହୋଇଛି ଏବଂ ସମସ୍ତଙ୍କୁ ଚିହ୍ନଟ କରିବା ପାଇଁ ଅଧିକ ପୁଲିସ କର୍ମୀ ଉକ୍ତ ଗ୍ରାମରେ ପହଞ୍ଚିଛନ୍ତି। ରାଜ୍ୟ ସରକାର ମଧ୍ୟ ଏହି ମାମଲାକୁ ଗମ୍ଭୀରତାର ସହ ନେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/cbi.jpg)