ବିଜେପିକର୍ମୀଙ୍କ ଉପରେ ଚଢ଼ିଗଲା ଚିଲିକା ବିଧାୟକଙ୍କ ଗାଡ଼ି; ପ୍ରଶାନ୍ତ ଜଗଦେବଙ୍କ ଉପରେ ମରଣାନ୍ତକ ଆକ୍ରମଣ

ବାଣପୁର: ବିଜେପି କର୍ମୀଙ୍କ ଉପରେ ଗାଡ଼ି ଚଢ଼ିଯିବା ଘଟଣାର ପ୍ରତିବାଦ କରାଯାଇ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଏ ନେଇ ହୋଇଥିବା ଅଭିଯୋଗ ଅନୁସାରେ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଗାଡ଼ି ଚଢ଼ାଇବା ଫଳରେ ବହୁ ସଂଖ୍ୟକ  ବିଜେପି କର୍ମୀ ଓ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଏହାର ପ୍ରତିବାଦରେ ଲୋକେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଉପରେ ଆକ୍ରମଣ କରିଥିଲେ। ବିଧାୟକ ଲହୁଲୁହାଣ ହୋଇ ପ୍ରଥମେ ବାଣପୁର ଓ ପରେ ଟାଙ୍ଗୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାଯାଇଛି। ଏହି ଘଟଣାରେ ସ୍ଥାନୀୟ ପୁଲିସ ଆଇଆଇସିଙ୍କୁ ବି ଆକ୍ରମଣ ହୋଇଥିବା ସୂଚନା ରହିଛି।

ଆଜି  ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ବେଳେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ନିର୍ବାଚନ ମଣ୍ଡଳୀ ନିଜେ ଗାଡ଼ି ଚଳାଇ ଯାଉଥିଲେ ଓ ତାଙ୍କ ଗାଡ଼ି ୩ ବିଜେପି କର୍ମୀଙ୍କ ଉପରେ ଚଢ଼ିଯାଇଥିଲା। ଏଥିରେ ତିନିଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମହିଳା ବିଜେପି କର୍ମୀଙ୍କ ମୃତ୍ୟୁ ଘଟିଥିବା ଖବର ପ୍ରଘଟ ହୋଇଥିଲେ ହେଁ ପୁଲିସ ପକ୍ଷରୁ ଏହାକୁ ଅସ୍ବୀକାର କରାଯାଇଛି।

ଏହି ଘଟଣାକୁ ଉତ୍ତର ପ୍ରଦେଶର ଲଖିମପୁର ଖେରିରେ ଘଟିଥିବା ଘଟଣାର ପୁନରାବୃତ୍ତି ‌ବୋଲି କୁହାଯାଉଛି। ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗାଡ଼ି ବିଜେପି କର୍ମୀଙ୍କ ଉପରେ ଚଢ଼ିଯିବାର ଏକ ଭିଡିଓ ଗଣମାଧ୍ୟମରେ ପ୍ରସାରିତ ହେଉଛି। ସେଥିରେ କର୍ମୀମାନଙ୍କ ଉପରେ ଗାଡ଼ି ଚଢ଼ାଇ ଚାଲିଯିବା ଲାଗି ବିଧାୟକ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର