ସଭା ଚାଲିଥିଲା ବେଳେ ଥାନାରେ ପଶିଲେ ଉତ୍ତ୍ୟକ୍ତଲୋକ, ଚିତ୍ରକୋଣ୍ଡା ଥାନାରେ ବ୍ୟାପକ ଭଙ୍ଗାରୁଜା

ଥାନା ବଲେରୋ ଚୂନା, ବ୍ୟାପକ କ୍ଷୟକ୍ଷତି
ଆରଏସ୍‌ସି-୧୩ରେ ପୁଲିସର ବର୍ବରତା ଘଟଣାକୁ ନେଇ ତାତିଲେ

ମାଲକାନଗିରି/ଚିତ୍ରକୋଣ୍ଡା : ନକ୍ସଲଙ୍କ ପ୍ରଭାବ କମିବା ପରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍‌ରେ ଶାନ୍ତି ଫେରିଥିଲା। କିନ୍ତୁ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଯୋଗୁ ଲୋକଙ୍କ ମଧ୍ୟ କୁହୁଳୁଥିବା ସନ୍ତୋଷ ଆଜି ବିସ୍ଫୋରକ ରୂପ ନେଇଛି। ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିବାକୁ ଆସିଥିବା ହଜାର ହଜାର ସଂଖ୍ୟାରେ ଲୋକ ସୋମବାର ଦିନ ଆଇନ ହାତକୁ ନେଇଛନ୍ତି। ‌ ଚିତ୍ରକୋଣ୍ଡା ଥାନାରେ ଧସେଇ ପଶି ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି। ଏପରିକି, ଥାନାରେ ଥିବା ବଲେରୋ ବି ଲୋକଙ୍କ ଆକ୍ରମଣରେ ଚୂନା ହୋଇଯାଇଛି। କିଛିଦିନ ତଳେ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଆରଏସ୍‌ସି-୧୩ ଗାଁରେ ପୁଲିସ ପଶିଥିବା ଘଟଣାକୁ କେନ୍ଦ୍ରକରି ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ଗଞ୍ଜେଇ ଆଳରେ ଆରଏସ୍‌ସି-୧୩ ଗାଁକୁ ପୁଲିସ ପଶି ମହିଳାଙ୍କ ଉପରେ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହାକୁ ନେଇ ତୀବ୍ର ଅସ‌ନ୍ତୋଷ ପ୍ରକାଶ ପାଇବା ସହ ଦୋଷୀ ପୁଲିସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀ ଦାବି କରିଥିଲେ। ଏ ନେଇ ଏସ୍‌ପିଙ୍କୁ ବି ଏକ ଦାବିପତ୍ର ଦେଇଥିଲେ। ତେଣୁ, ପୁଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧକରି ଆଜି ଚିତ୍ରକୋଣ୍ଡାରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ପୂର୍ବ ନିଷ୍ପତ୍ତି ଅନୁଯାୟୀ, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ନେତୃତ୍ବରେ କଂଗ୍ରେସ ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର, ବରିଷ୍ଠ ନେତା ଶରତ ଚନ୍ଦ୍ର ବୁରୁଦାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆଜି ଚିତ୍ରକୋଣ୍ଡା ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା କରାଯାଇଥିଲା। ଏଥିରେ ଆରଏସ୍‌ସି-୧୩ ସହ ଆଖପାଖ ଗାଁର ହଜାର ହଜାର ଲୋକ ସାମିଲ ହୋଇଥିଲେ। ଗଞ୍ଜେଇ ଆଳରେ ପୁଲିସର ବର୍ବରତାକୁ ଆଉ ବରଦାସ୍ତ କରିବେ ନାହିଁ। ନିରୀହ ଜନତାଙ୍କୁ ପୁଲିସ ଦେଉଥିବା ନିର୍ଯାତନାର କଡ଼ା ଜବାବ ଦିଆଯିବ ବୋଲି ଚେତାବନୀ ଦିଆଯାଇଥିଲା। ଉପସ୍ଥିତ କଂଗ୍ରେସର ନେତା ମଧ୍ୟ ପୁଲିସର ହିଂସାତ୍ମକ କାର୍ଯ୍ୟକଳାପକୁ ନିନ୍ଦା କରିଥିଲେ। ଦୋଷୀ ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଖୋଲାଖୋଲି ଧମକ ଦେଇଥିଲେ।

ଶାନ୍ତିପୂର୍ଣ୍ଣ ଭାବେ ବୈଠକରେ ଯୋଗ ଦେଇଥିବା ଲୋକ ଭାଷଣ ଶୁଣିଥିଲେ। ପ୍ରତି ପଞ୍ଚାୟତରେ ଚାଷ ଜମିରେ ଜଳସେଚନ ସୁବିଧା, ପ୍ରତି ଗାଁରେ ପାନୀୟ ଜଳ ସୁବିଧା, ଗାଁକୁ କଂକ୍ରିଟ ରାସ୍ତା ସହ ଷ୍ଟ୍ରିଟ ଲାଇଟ୍‌, ଟେମ୍ପରାରି କଲୋନୀ ଠାରୁ ଚିତ୍ରକୋଣ୍ଡା ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ, ଚିତ୍ରକୋଣ୍ଡା ଗେଟ ଛକ ଠାରୁ ଗୁଣ୍ଠାଵାଡା ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତ, ଘରଡିହ ଓ ଜଂଗଲ ଜମି ପଟ୍ଟା ବଣ୍ଟନ, ଜାତି ପ୍ରମାଣ ପତ୍ର ବଣ୍ଟନ, ଭଗ୍ନ ଅବସ୍ଥାରେ ଥିବା ଅଙ୍ଗନବାଡି ଏବଂ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ମରାମତି, ପ୍ରତ୍ୟେକ ପଞ୍ଚାୟତରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ଦାବି ହୋଇଥିଲା। ତେବେ ପ୍ରତିବାଦ ସଭା ମଧ୍ୟରେ କିଛି ନେତା ‌ଉତ୍ତେଜିତ କରିବା ଭଳି ଭାଷଣ ଦେଇଥିଲେ। ଯାହା ଲୋକଙ୍କ ଭିତରେ ପୁଞ୍ଜିଭୂତ ଅସନ୍ତୋଷକୁ ଭୀଷଣ ରୂପ ଦେଇଥିଲା। ନେତାଙ୍କ ଭାଷଣ ଚାଲିଥିବା ବେଳେ ଉତ୍ତେଜିତ ଶହ ଶହ ଲୋକ ହଠାତ୍‌ ନିଜ ନିଜ ସ୍ଥାନରୁ ଉଠି ଚିତ୍ରକୋଣ୍ଡା ଥାନା ଆଡ଼କୁ ଦୌଡ଼ିଥିଲେ। କେହି କିଛି ବୁଝିବା ପୂର୍ବରୁ ଭଙ୍ଗାରୁଜା ଆରମ୍ଭ କରିଥିଲେ। ଏତେ ମାତ୍ରାରେ ଉତ୍ତେଜିତ ହୋଇ ରହିଥିଲେ ଯେ ଆଖି ସାମ୍ନାରେ ଯାହା ପଡ଼ିଲା ଛାରଖାର ହୋଇଗଲା। ଏପରିକି ଥାନାର ବଲେରୋ ଗାଡ଼ିକୁ ବି ଚୂନା କରି ଦେଇଥିଲେ। ଏତିକିରେ ଶାନ୍ତ ନ ପଡ଼ି ଥାନା ଭିତରେ ପୁଲିସ ବିରୋଧରେ ସ୍ଲୋଗାନ ଦେଇଥିଲେ।

ଏତେ ସବୁ ଘଟିବା ସତ୍ତ୍ବେ ପୁଲିସ ସେଠାରେ ନିରବଦ୍ରଷ୍ଟା ସାଜିବାକୁ ବାଧ୍ୟ ହୋଇଥିଲା। ପୁଲିସ ସାମାନ୍ୟ ପ୍ରତିକ୍ରିୟାଶୀଳ ହୋଇଥିଲେ ପରିସ୍ଥିତି ଅଣାୟତ୍ତ ହୋଇଥାନ୍ତା ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

ଅନ୍ୟପକ୍ଷରେ, ସରକାରୀ ସଂପତ୍ତି ଭଙ୍ଗାରୁଜା କରି ପୁଲିସ ଓ ପ୍ରଶାସନ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି।

ସମ୍ବନ୍ଧିତ ଖବର