ରାଜଧାନୀରେ ଆତଙ୍କରାଜ

ପାଣ୍ଡିଆନଙ୍କ ବାସଭବନକୁ ଧସେଇ ପଶିଲେ ବିଜେପି କର୍ମୀ

ଧରାପଡ଼ିଲା କମିସନରେଟ୍‌ ପୁଲିସର ହୁଗୁଳାପଣ
ବାସଭବନକୁ ଗୋବର ଓ ଢେଲା ମାଡ଼
ଗିରଫ ୪ ବିଜେପି କର୍ମୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା
ବିଜେପି କର୍ମୀଙ୍କ ମୁହଁରେ ଧର୍ମେନ୍ଦ୍ର ଓ ବୈଜୟନ୍ତଙ୍କ ନାଁ
ସବ୍‌-ଇନ୍‌ସପେକ୍ଟରଙ୍କୁ ବିଜେପି କର୍ମୀଙ୍କ ଅପହରଣ ଅଭିଯୋଗ

ଭୁବନେଶ୍ୱର : ରାଜଧାନୀରେ ହୁଗୁଳା ଆଇନଶୃଙ୍ଖଳାର ଚରମ ଉଦାହରଣ ଆଜି ସାମ୍ନାକୁ ଆସିଛି। ଦିନ ଦି’ପହରେ କିଛି ବିଜେପି କର୍ମୀ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କ ୟୁନିଟ୍‌-୬ସ୍ଥିତ ସରକାରୀ ବାସଭବନରେ ପଶି ହଙ୍ଗାମା କରିଛନ୍ତି। ତାଙ୍କ ଘରକୁ ଗୋବର ଓ ଢେଲା ମାଡ଼ କରାଯାଇଛି। ୩୦ରୁ ଅଧିକ ବିଜେପି କର୍ମୀ ଏଭଳି ଅଭାବନୀୟ କାଣ୍ଡ ଭିଆଇଛନ୍ତି।

ଖବର ଅନୁସାରେ, ବିଜେପି କର୍ମୀ ସୁରକ୍ଷାକର୍ମୀଙ୍କୁ ମାଡ଼ ମାରିଛନ୍ତି ଓ ବାସଭବନରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। କେବଳ ସେତିକି ନୁହେଁ, ପାଣ୍ଡିଆନଙ୍କ ବିରୋଧରେ ନାରାବାଜି କରିବା ସହିତ ଆତଙ୍କ ସୃଷ୍ଟି କରିବାକୁ ଉଦ୍ୟମ କରିଥିଲେ। ପାଖାପାଖି ୨୫ମନିଟ୍‌ ଧରି ବିଜେପିର କିଛି କର୍ମୀ ଔଦ୍ଧତ୍ୟ ପ୍ରଦର୍ଶନ କରିଥିଲେ ହେଁ କମିସନରେଟ୍‌ ପୁଲିସର ବଡ଼ ବାବୁମାନେ ନା ଘଟଣା ସଂପର୍କରେ ଆଗରୁ ସୁରାକ୍‌ ପାଇପାରିଥିଲେ ନା ଘଟଣା ଘଟିବା ବେଳେ ତତ୍କାଳ ସେଠାରେ ପହଞ୍ଚିବାରେ ସକ୍ଷମ ହେଲେ।

ଏହି ଘଟଣା ଆଜି ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି କରିଛି। ବିଜେଡି କଡ଼ା ଭାଷାରେ ବିଜେପିକୁ ନିନ୍ଦା କରିଛି। ବିଜେପି ନେତାମାନେ ଏହି ଅନୁଶୋଚନା ପ୍ରକଟ କରିନାହାନ୍ତି। ବରଂ ବିଜେଡି କାହିଁକି ଓକିଲାତି କରୁଛି ବୋଲି ଓଲଟା ପ୍ରଶ୍ନ କରିଛନ୍ତି। ଏହାକୁ ନେଇ ଆଜି ଦିନତମାମ ବୟାନ ବାଜି ଜାରି ରହିଛି। ହେଲେ ସାଧାରଣ ଲୋକେ ଏହି ଘଟଣାକୁ ନେଇ ଯେତିକି ଆଲୋଚନା କରୁଛନ୍ତି, ବିଜେପି କାର୍ଯ୍ୟକୁ ନିନ୍ଦା କରୁଛନ୍ତି, କମିସନରେଟ୍‌ ପୁଲିସର ଉଦାସୀନତାକୁ ସେତିକି ପରିମାଣରେ ଭର୍ତ୍ସନା କରୁଛନ୍ତି। ଯଦି ରାଜ୍ୟ ସଚିବାଳୟ ପଛପାଖରେ ଜଣେ ଆଇଏଏସ୍‌ ଦମ୍ପତି (ଯାହାଙ୍କୁ ପ୍ରଭାବଶାଳୀ ବୋଲି କୁହାଯାଉଛି)ଙ୍କ ପରିବାର କ୍ଷେତ୍ରରେ ପୁଲିସର ଭୂମିକା ଏୟା, ତେବେ ସାଧାରଣ ଲୋକେ କେତେ ସୁରକ୍ଷିତ?

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ଦଳର ଏଭଳି କାର୍ଯ୍ୟରେ ଦୁଃଖ ପ୍ରକାଶ କରିଛନ୍ତି, ନିନ୍ଦା ବି କରିଛନ୍ତି। ହେଲେ ପୁଲିସ ବିଭାଗର ଅପରାଗପଣିଆ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି। ଅଫିସରସ୍ତରରେ ମଧ୍ୟ ରାଜଧାନୀର ଢିଲା ସୁରକ୍ଷା ସଂପର୍କରେ ତତ୍କାଳ ତନାଘନା କରାଯାଇନାହିଁ।

ଉଲ୍ଲେଖଯୋଗ୍ୟ, ଆଜି ବିଜେପି କର୍ମୀ ଏଭଳି କାଣ୍ଡ ଭିଆଉଥିବା ବେଲେ ପାଣ୍ଡିଆନ ତାଙ୍କ ବାସଭବନରେ ଉପସ୍ଥିତ ନ ଥିଲେ। ଘଟଣା ସଂପର୍କରେ ଖବର ପାଇବା ପରେ ସେ ବାସଭବନରେ ପହଞ୍ଚିଥିଲେ। କିଛି ସମୟ ପରେ ପୁଣି ସଚିବାଳୟ ଫେରି ଯାଇଥିଲେ। ସବୁଠାରୁ ଉଲ୍ଲେଖନୀୟ କଥା ହେଲା, ମାତ୍ର ଏକ କିମ୍ବା ଦୁଇ କିଲୋମିଟର ପରିଧି ମଧ୍ୟରେ ରହୁଥିବା ପୁଲିସ କମିସନର, ଡିସିପି, ଅନ୍ୟ ବରିଷ୍ଠ ଅଧିକାରୀ ଘଟଣା ଘଟିବା ପରେ ହିଁ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ଘଟଣାରେ ପୁଲିସ ୪ଜଣ ବିଜେପି କର୍ମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଅନ୍ୟପକ୍ଷରେ ଏହି ଘଟଣା ଜଣାପଡ଼ିବା ପରେ ବିଜେଡି ତାତି ଯାଇଥିଲା। ପାଣ୍ଡିଆନଙ୍କ ବାସଭବନକୁ ବିଜେଡି ନେତାଙ୍କ ସୁଅ ଛୁଟିଥିଲା। ମେୟର ଅନନ୍ତ ନାରାୟଣ ଜେନା ଓ କର୍ପୋରେଟର ଅମରେଶ ଜେନାଙ୍କ ସହିତ ସେମାନଙ୍କ ସମର୍ଥକ ସେଠାରେ ପହଞ୍ଚିଥିଲେ। ପରବର୍ତ୍ତୀ ସମୟରେ ଯୁବ ବିଜେଡି ନେତାମାନେ ମାଷ୍ଟରକ୍ୟାଣ୍ଟିନ୍‌, ହାଉସିଂ ବୋର୍ଡ , ରାମ ମନ୍ଦିର ଛକ ଦେଇ ମଟର ସାଇକେଲ୍‌ ରାଲି କରିବା ସହିତ ଗର୍ଜନ କରିଥିଲେ। ସେମାନଙ୍କ ତାକତ୍‌ ଦେଖାଇବାକୁ ଉଦ୍ୟମ କରିଥିଲେ। ସର୍ବଶେଷ ତଥ୍ୟ ଅନୁସାରେ, ସୁରକ୍ଷା ଦୃଷ୍ଟିରୁ ପାଣ୍ଡିଆନଙ୍କ ବାସଭବନ ପୁଲିସ ଛାଉଣିରେ ପରିଣତ କରି ଦିଆଯାଇଛି।

ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୧୦ଟା ସମୟରେ କ୍ୟାପିଟାଲ ହସ୍ପିଟାଲ ପଛ ପଟ ରାସ୍ତାରୁ ୩୦/୪୦ ବିଜେପି କର୍ମୀ ପତାକା ଧରି ଶ୍ରୀ ପାଣ୍ଡିଆନଙ୍କ ବାସଭବନ ଆଡ଼କୁ ମାଡ଼ି ଆସିଥିଲେ। ଏମାନଙ୍କ ଏଭଳି ଅତର୍କିତ ଆକ୍ରମଣ ସଂପର୍କରେ ପୁଲିସ ସୁରାକ ପାଇପାରିନଥିଲା। ବିଜେପି କର୍ମୀ ବାସଭବନ ଗେଟ୍‌କୁ ଗୋଇଠା ମାରିବା ସହିତ ଭିତରକୁ ଧସେଇ ପଶିଥିଲେ। ହାତରେ ଧରିଥିବା ଗୋବର ଓ ଢେଲା ମାଡ଼ ମାରିଥିଲେ। ବାସଭବନର ଗେଟ୍‌, ଉପସ୍ଥିତି କିଛି ସୁରକ୍ଷା କର୍ମୀ ଓ ସାମ୍ବାଦିକଙ୍କ ଦେହ ଗୋବରର ଛିଟା ପଡ଼ିଥିଲା। ସୁରକ୍ଷା କର୍ମୀ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ସେମାନଙ୍କୁ ମଧ୍ୟ ଗୋଇଠା, ବିଧା ମାରିଥିଲେ। ବାସଭବନ ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷା କର୍ମୀଙ୍କୁ ବିଜେପି ପତାକା ଧରିବା ପାଇଁ ବାଧ୍ୟ କରିଥିଲେ। ବେଶ କିଛି ସମୟ ପାଇଁ ବିଜେପି କର୍ମୀମାନେ ସେଠାରେ ଆତଙ୍କ ଖେଳାଇଥିଲେ। ପାଣ୍ଡିଆନ ବିରୋଧୀ ନାରାରେ କମ୍ପାଇଥିଲେ। ଏହି ଘଟଣାରେ ତାଙ୍କ ପରିବାର ବର୍ଗ ଭୟଭୀତ ହୋଇପଡିଥିଲେ। ବିଜେପି କର୍ମୀଙ୍କ ଆଚରଣ ତାଙ୍କ ଛୋଟ ଛୋଟ ପିଲାଙ୍କୁ ସ୍ତବ୍ଧ କରିଦେଇଥିଲା।

ସୁରକ୍ଷା ଦାୟିତ୍ୱରେ ଥିବା କନେଷ୍ଟବଳ ଦୁଷ୍ମନ୍ତ ଦାସ ଗଣମାଧ୍ୟମକୁ କହିଛନ୍ତି, ହଠାତ୍‌ ୩୦/୪୦ ବିଜେପି କର୍ମୀ ବାସଭବନ ଭିତରକୁ ପଶିବା ଉଦ୍ୟମ କରିଥିଲେ। ସେ ଗେଟ୍‌ ବନ୍ଦ କରିବା ପାଇଁ ଉଦ୍ୟମ କରିବାରୁ ପେଟ ଓ ଅନ୍ୟାନ୍ୟ ସ୍ଥାନକୁ ଗୋଇଠା ଓ ବିଧା ମାରିଥିଲେ। ଘର ଭିତରେ ଥିବା ଗୋଟିଏ ଫୁଲ କୁଣ୍ଡକୁ ନେଇ କାଚକୁ ଫୋପାଡ଼ିଥିଲେ। ରକ୍ତମୁଖା ହୋଇ ସମସ୍ତଙ୍କୁ ମାରିବା ପାଇଁ ଗୋଡ଼ାଇଥିଲେ। ବିଜେପି କର୍ମୀମାନେ ଧର୍ମେନ୍ଦ୍ର ପ୍ରଧାନ ଓ ବୈଜୟନ୍ତ ପଣ୍ଡାଙ୍କ ନାଁ ନେଇ ହୋ ହଲ୍ଲା କରିଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ ସୁରକ୍ଷା କର୍ମୀମାନେ ଭୟରେ ଦୌଡ଼ିଥିଲେ ବୋଲି ଶ୍ରୀ ଦାସ କହିଛନ୍ତି।

ପୁଲିସ କମିସନର ଓ୍ଵାଇ.ବି ଖୁରାନିଆ କହିଥିଲେ, ଜଣେ ସରକାରୀ କର୍ମଚାରୀଙ୍କ ବାସଭବନକୁ ଏଭଳି ଆକ୍ରମଣ କରାଯିବା ଏକ ନିନ୍ଦନୀୟ ଘଟଣା। ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଘଟଣାରେ କିଛି ବ୍ୟକ୍ତିଙ୍କୁ ପୁଲିସ ଗିରଫ କରି ଘଟଣାର ଅନୁସନ୍ଧାଳନ ଚଳାଇଥିବା କହିଥିଲେ।

ଏହି ଘଟଣାରେ ପୁଲିସ ବିଶ୍ୱରଂଜନ ବଡ଼ଜେନା, ଯୁଗଜ୍ୟୋତି ସ୍ୱାଇଁ, ବିଭୂତି ଭୂଷଣ ପୃଷ୍ଟି ଓ ରଶ୍ମୀରଂଜନ ମୁଦୁଲିଙ୍କୁ ଗିରଫ କରିଛି। ସେମାନଙ୍କ ବିରୋଧରେ ହତ୍ୟା ଉଦ୍ୟମ, ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟରେ ବାଧା ଦେବା, ସର୍ବସାଧାରଣ ସ୍ଥାନରେ ଗାଳି ଗୁଲଜ, ବେଆଇନ ଭାବେ ଗୃହ ପ୍ରବେଶ ଓ ଅପରାଧିକ ଷଡ଼ଯନ୍ତ୍ର କରିବା ଭଳି ଦଫା ଲଗାଇଛି ପୁଲିସ। ଅପରପକ୍ଷରେ ଜଣେ ସବ୍‌-ଇନସପେକ୍ଟର ମାର୍କଣ୍ଡ ମିଶ୍ରଙ୍କୁ ଅପହରଣ କରିବା ଅଭିଯୋଗରେ ପୁଲିସ ୬ଜଣଙ୍କ ନାଁରେ ମାମଲା ରୁଜୁ କରିଛି।

ସୂଚନାଯୋଗ୍ୟ, ବିଜେଡି-ବିଜେପି ପରସ୍ପର ମୁହାଁମୁହିଁ ହୋଇ ରହିଛନ୍ତି। ହେଲେ ଗତ କିଛି ଦିନ ଧରି ରାଜ୍ୟ ବିଜେପି ନେତା ହଠାତ୍‌ ନିଜ ରଣକୌଶଳ ବଦଳାଇଛନ୍ତି। ବିଜେଡି ନେତାଙ୍କୁ ଟାର୍ଗେଟ କରିବା ବଦଳରେ ଅଫିସରଙ୍କୁ ନେଇ ବୟାନ ବାଜି ଚଳାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ପାଣ୍ଡିଆନଙ୍କୁ ସିଧାସଳଖ ବିବାଦକୁ ଆଣି ବୟାନବାଜି ଚଳାଇଥିଲେ। ଆଜି ତାଙ୍କ ଘର ଉପରକୁ ଆକ୍ରମଣ ହୋଇଛି। ସେପଟେ ମୁଖ୍ୟମନ୍ତ୍ରୀଙ୍କ ଅଫିସର କିଛି ଅଧିକାରୀଙ୍କ ନାମରେ ମଧ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛନ୍ତି ବିଜେପିର ନେତାମାନେ। ଅଫିସରଙ୍କୁ ନେଇ ଦେଖାଦେଇଥିବା ଅସନ୍ତୋଷରୁ ଜନମତ ଗୋଟାଇବା ପାଇଁ ବିଜେପି ଏଭଳି ନୂଆ କୌଶଳ ପ୍ରୟୋଗ କରିଛି। ଏହି ରଣନୀତି ଦଳକୁ ଆଗକୁ ଟାଣିବ କି ଭାବମୂର୍ତି ସଙ୍କଟ ଜାଲରେ ଛନ୍ଦି ଦେବ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର