ସମ୍ବଲପୁର : ବୁଧବାର ରାତି ପ୍ରାୟ ସାଢ଼େ ୯ଟା ସମୟରେ ଅଇଁଠାପାଲି ଥାନା କେସି ହୋଟେଲ ସମ୍ମୁଖରେ ଜଣେ ଠିକାଦାରଙ୍କୁ ଆକ୍ରମଣ କରାଯିବା ସହ ତାଙ୍କ ଗାଡ଼ିକୁ ଦୁର୍ବୃତ୍ତମାନେ ପୋଡ଼ି ଦେଇଛନ୍ତି। ଏମିତିକି ତାଙ୍କୁ ହତ୍ୟା କରିବା ପାଇଁ ସୁପାରି ଦିଆଯାଇଥିଲା ବୋଲି ସହରରେ ଚର୍ଚ୍ଚା ଚାଲିଛି। ପୁଲିସ ପକ୍ଷରୁ କିନ୍ତୁ ଏହାକୁ ଖଣ୍ଡନ କରାଯାଇଛି। ଠିକାଦାରଜଣକ ସାମାନ୍ୟ ଆହତ ହୋଇଥିବା ବେଳେ ତାଙ୍କ ରେନଲ୍ଟ କାର୍‌ଟି ସଂପୂର୍ଣ୍ଣ ପୋଡ଼ି ଯାଇଛି। ଏହି ଘଟଣା ପରେ ସମ୍ବଲପୁର ସହରରେ ଆଇନଶୃଙ୍ଗଳାକୁ ନେଇ ପ୍ରଶ୍ନ ଉଠିଛି। ଜିଲ୍ଲାର ପୁଲିସ ଅଧୀକ୍ଷକ ଓ ରେଞ୍ଜ୍‌ର ଡିଆଇଜି ପଦ ଖାଲି ପଡ଼ିଥିବା ବେଳେ ଏହା ଦୁର୍ବୃତ୍ତଙ୍କୁ ସୁହାଉଛି ବୋଲି ଆଲୋଚନା ହେଉଛି।

Advertisment

ଆହତ ଠିକାଦାର କ୍ଷେତରାଜପୁରର ପ୍ରମୋଦ ପାଣ୍ଡେ ଏବଂ ତାଙ୍କ କାର୍‌ ପୋଡ଼ି ଦେଇଥିବା ଅଭିଯୁକ୍ତ ଧନୁପାଲି ଥାନା ଅଞ୍ଚଳର ମହମ୍ମଦ କାଦିମ୍‌ ବୋଲି ଜଣାପଡ଼ିଛି। ଏସଂକ୍ରାନ୍ତରେ ଅଇଁଠାପାଲି ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଏହି ଘଟଣାକୁ କେନ୍ଦ୍ର କରି ବେଶ୍‌ କିଛି ସମୟ ଧରି ଅଇଁଠାପାଲି ଛକରେ ଚାପା ଉତ୍ତେଜନା ଲାଗି ରହିଥିଲା। ଉଭୟଙ୍କ ମଧ୍ୟରେ ପୂର୍ବରୁ ଲାଗି ରହିଥିବା ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ର କରି ଏହି ଘଟଣା ଘଟିଛି ବୋଲି ପୁଲିସ କହୁଥିବା ବେଳେ ସହରରେ ଅନ୍ୟ ପ୍ରକାର ଚର୍ଚ୍ଚା ହେଉଛି।

ମିଳିଥିବା ସୂଚନା ଅନୁସାରେ, ପ୍ରମୋଦ ପାଣ୍ଡେ ଆଦିତ୍ୟ ବିର୍ଲା କମ୍ପାନିରେ କଣ୍ଟ୍ରାକ୍ଟର ଭାବେ କାମ କରନ୍ତି। ବୁଧବାର ରାତିରେ ସେ ଗୋଟିଏ କାର୍‌ରେ ଅଇଁଠାପାଲି ଛକରେ ପହଞ୍ଚି ସେଠାରେ ଚା’ ପିଉଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ସେଠାରେ କାଦିମ୍‌ ବି ଉପସ୍ଥିତ ଥିଲେ। ଉଭୟଙ୍କ ମଧ୍ୟରେ ସେଠାରେ ବଚସା ହୋଇଥିଲା। କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ମାର୍‌ପିଟ୍‌ ଓ ଧସ୍ତାଧସ୍ତି ମଧ୍ୟ ହୋଇଥିଲା। ଏହି ଘଟଣାର କିଛି ସମୟ ପରେ କାଦିମ୍‌ ନିଜର ଆଉ କିଛି ସହଯୋଗୀଙ୍କୁ ଡାକି ଆଣିବାରୁ ପୁଣିଥରେ ଝଗଡ଼ା ବଢ଼ିଥିଲା। ଅଭିଯୁକ୍ତମାନେ ଭୁଜାଲି, ବନ୍ଧୁକ ଓ ଅନ୍ୟ ମାରଣାସ୍ତ୍ର ମଧ୍ୟ ବାହାର କରିଥିବା ଅଭିଯୋଗ ହୋଇଛି। କିଛି ଦୁର୍ବୃତ୍ତ ଶ୍ରୀ ପାଣ୍ଡେଙ୍କ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ତେବେ ଲୋକ ଜମା ହୋଇଯିବାରୁ ସେମାନେ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ। ସୂଚନା ପାଇ ଅଗ୍ନିଶମ ବିଭାଗ ଘଟଣା‌ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ବେଳକୁ କାର୍‌ଟି ଜଳି ଯାଇଥିଲା। ଅଇଁଠାପାଲି ପୁଲିସ୍‌ ମାମଲାର ତଦନ୍ତ କରୁଛି।

ଅଇଁଠାପାଲି ଆଇଆଇସି ଯୋଗେଶ ପଣ୍ଡାଙ୍କୁ ଘଟଣା ସଂପର୍କରେ ପଚାରିବାରୁ ସେ ଘଟଣା ପଛରେ ପୂର୍ବ ଶତ୍ରୁତା ଥିବା କହିଛନ୍ତି। ତେବେ ଆହତ ଶ୍ରୀ ପାଣ୍ଡେ ଥାନାରେ ଦେଇଥିବା ଏତଲାକୁ ଭିତ୍ତି କରି କେସ୍ ରୁଜୁ ହେବା ସହ ତଦନ୍ତ ଚାଲିଛି ଏବଂ ଅଭିଯୁକ୍ତ ଫେରାର ରହିଛି ବୋଲି କହିଛନ୍ତି।