ପୋଖରୀରେ ଗାଧୋଇବାକୁ ନେଇ ଗଣ୍ଡଗୋଳ : କରୋନା‌ ଆକ୍ରାନ୍ତଙ୍କ ମୁଣ୍ଡ ଫଟାଇଦେଲେ

ଘର ନ ଥାଇ ହୋମ୍‌ ଆଇସୋଲେସନ୍‌

ପୁରୀ/ଗୋପ : କରୋନାକୁ କେନ୍ଦ୍ର କରି ଏବେ ଗାଁ ଗାଁରେ ସାମାଜିକ ବ୍ୟବସ୍ଥା ବିଗିଡ଼ିବାରେ ଲାଗିଛି। କଥା କଥାରେ ମାଡ଼ଗୋଳ ଓ ଅଛୁଆଁ ଭେଦଭାବ ଆଦି ପରିସ୍ଥିତି ସୃଷ୍ଟି ହେଲାଣି। ପୁରୀ ଜିଲ୍ଲା ଗୋପ ବ୍ଲକ ରାୟଗୋରଡ଼ା ପଞ୍ଚାୟତ ସାନୁଆ ଗାଁରେ ଗତକାଲି ଏଭଳି ଏକ ଘଟଣା ଲୋକଲୋଚନକୁ ଆସିଛି। ଗାଁ ପୋଖରୀରେ ଗାଧୋଇବାକୁ କେନ୍ଦ୍ର କରି କରୋନା ଆକ୍ରାନ୍ତଙ୍କୁ ଗାଁ ଲୋକଙ୍କ ନିସ୍ତୁକ ମାଡ଼ ହୋଇଛି। ଆକ୍ରାନ୍ତଙ୍କୁ ଘର ଦୁଆରେ ମୁହଁରେ ମାଡ଼ ମାରି ମୁଣ୍ଡ ଫଟାଇ ଦିଆଯାଇଛି। ସେପଟେ ଆକ୍ରାନ୍ତଙ୍କୁ ଯେଉଁ ଅବସ୍ଥାରେ ଛାଡ଼ି ଦିଆଯାଇଛି, ତାକୁ ନେଇ ଗାଁରେ ଅସନ୍ତୋଷ ଦେଖାଦେଇଛି। ଘର ନ ଥାଇ ସଂପୃକ୍ତ ଆକ୍ରାନ୍ତଙ୍କୁ ହୋମ୍‌ ଆଇସୋଲେସନ୍‌ରେ ରଖାଯାଇଛି।

ମିଳିଥିବା ସୂଚନା ମୁତାବକ, ସାନୁଆ ଗାଁର ଜନୈକ ବ୍ୟକ୍ତି କରୋନା ଆକ୍ରାନ୍ତ ଥିବା କିଛିଦିନ ତଳେ ଜଣାପଡ଼ିବା ପରେ ତାଙ୍କୁ ହୋମ୍‌ ଆଇସୋଲେସନ୍‌ରେ ରଖାଯାଇଛି। କିନ୍ତୁ ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ସଂପୃକ୍ତ ବ୍ୟକ୍ତିଙ୍କ ଏଥି ପାଇଁ ଆବଶ୍ୟକ ଘର ନାହିଁ। ଗୋଟିଏ ଘରେ ପୂରା ପରିବାର ରହୁଛନ୍ତି। ଅନ୍ୟପଟେ ଗତକାଲି ସଂପୃକ୍ତ ବ୍ୟକ୍ତିଙ୍କ ଗାଁର କିଛି ଲୋକ ପାଖ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ପାଖ ଗାଁର ଲୋକେ ବି ପୋଖରୀରେ ଗାଧୋଉଥିଲେ। କରୋନାକୁ କେନ୍ଦ୍ର କରି ଉଭୟ ପକ୍ଷ ମଧ୍ୟରେ ପାଟିତୁଣ୍ଡ ଓ ପରେ ଏହା ରକ୍ତପାତର ରୂପ ନେଇଥିଲା। ମାରପିଟ, ମୁଣ୍ଡ ଫଟାଫଟି ପର୍ଯ୍ୟନ୍ତ କଥା ଯାଇଥିଲା। ଏଥିରେ ଆହତମାନେ ଏବେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ସେପଟେ ଏହି କଥାକୁ କେନ୍ଦ୍ର କରି କରୋନା ଆକ୍ରାନ୍ତଙ୍କୁ ଆକ୍ରମଣକାରୀମାନେ ମାଡ଼ ମାରିଛନ୍ତି। ଦୁଆଁର ମୁହଁରେ ସଂପୃକ୍ତ ବ୍ୟକ୍ତି ଛିଡ଼ା ହୋଇଥିବାବେଳେ ତାଙ୍କ ମୁଣ୍ଡକୁ କେହି ଠେଙ୍ଗାରେ ପିଟିଦେବାରୁ ମୁଣ୍ଡ ଫାଟି ଯାଇଥିବା ଜଣାପଡ଼ିଛି। ଆକ୍ରାନ୍ତଙ୍କୁ କିଛି ଔଷଧ ଦେଇ ଡାକ୍ତରୀ ଦଳ କାମ ସାରି ଦେଇଛନ୍ତି। ଅନ୍ୟପଟେ ଏହି ଘଟଣାରେ ସବର୍ଣ୍ଣ-ଅସବର୍ଣ୍ଣ ବିବାଦ ବି ରହିଥିବା ଜଣାପଡ଼ିଛି। ଘଟଣାକୁ ଦୁଇଦିନ ବିତିବାକୁ ବସିଥିଲେ ବି ଥାନାରେ କୌଣସି ଅଭିଯୋଗ ହୋଇନି କି ପୁଲିସ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନି। ଏଭଳି ପରିସ୍ଥିତିରେ ଗାଁ ଲୋକେ ସଂପୃକ୍ତ ଆକ୍ରାନ୍ତଙ୍କୁ କୋଭିଡ୍‌ ଡାକ୍ତରଖାନାକୁ ସ୍ଥାନାନ୍ତର ପାଇଁ ଦାବି କରିଛନ୍ତି। ନଚେତ୍‌ ଆହୁରି ଅନେକ ଏହା ଦ୍ବାରା ଆକ୍ରାନ୍ତ ହୋଇପାରନ୍ତି ବୋଲି ସାଧାରଣରେ ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର