କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଅଭାବନୀୟ ଘଟଣା : ନୋଡାଲ ଅଧିକାରୀଙ୍କୁ ମାଡ଼ମାରି ଅଟକ ରଖିଲେ

୨୯ ଜଣଙ୍କ ବିରୋଧରେ ତିହିଡି ଥାନାରେ ଏତଲା

ତିହିଡି : କଣ୍ଟେନ୍‌ମେଣ୍ଟ ଜୋନ୍‌ ଏବେ ସୁରକ୍ଷିତ ନୁହେଁ! ଭଦ୍ରକ ଜିଲ୍ଲା ତିହିଡି ବ୍ଲକ୍‌ ଅନ୍ତର୍ଗତ କାଁପଡା ପଞ୍ଚାୟତରେ ଘଟିଥିବା ଏକ ଘଟଣା ହିଁ ଏହା ସୂଚେଇଛି। ଏଠାରେ କୋଭିଡ୍‌-୧୯ ଆଇନ୍‌ ଉଲ୍ଲଙ୍ଘନ ସାଙ୍ଗକୁ ନୋଡାଲ ଅଧିକାରୀ ଓ ସରପଞ୍ଚଙ୍କ ପ୍ରତିନିଧିଙ୍କୁ ଆକ୍ରମଣ କରାଯାଇଛି। ଏ ନେଇ ଅଭିଯୋଗ ପରେ ୨୯ ଜଣଙ୍କ ନାଁରେ ତିହିଡି ଥାନାରେ ଏତଲା ଦିଆଯାଇଛି।

ମଙ୍ଗଳବାର ରାତିରେ ୧୫ ଜଣଙ୍କୁ ଚିହ୍ନଟ କରାଯିବାପରେ ସେମାନଙ୍କୁ କ୍ବାରାଣ୍ଟିନ୍‌ରେ ରଖାଯାଇଥିଲା। ବୁଧବାର ସକାଳେ ଗ୍ରାମ କମିଟି ଓ ସରପଞ୍ଚଙ୍କ ନିକଟରେ ୩ ଜଣ ନିଜ ଭୁଲ ସ୍ବୀକାର କରିବା ପରେ ଘରକୁ ଫେରିଥିଲେ। କ୍ବାରାଣ୍ଟିନ କେନ୍ଦ୍ରରେ ଥିବା ଅନ୍ୟ ୧୨ ଜଣଙ୍କ ମଧ୍ୟରୁ ଦକ୍ଷିଣପାରି ଗ୍ରାମର ପଞ୍ଚାନନ ମଳିକ(୨୫)ଙ୍କ ଦେହ ସାମୟିକ ଭାବେ ଅସୁସ୍ଥ ହେବା ନେଇ ବିବାଦ ଉପୁଜିଥିଲା। କେତେକ ବ୍ୟକ୍ତି ଏହାକୁ ରାଜନୈତିକ ରୂପ ଦେବା ସହିତ କ୍ବାରାଣ୍ଟିନ କେନ୍ଦ୍ରରେ ହୋହାଲ୍ଲା କରିଥିଲେ। ପରେ ଶତାଧିକ ପୁରୁଷ ଓ ମହିଳା ସେଠାରେ ନୋଡାଲ ଅଧିକାରୀ ଅଲେଖ ତିର୍କୀ ଓ ସରପଞ୍ଚଙ୍କ ପ୍ରତିନିଧି ଚକ୍ରଧର ମଳିକଙ୍କୁ ଘେରି ଯାଇ ଆକ୍ରମଣ କରିଥିଲେ। ନୋଡାଲ ଅଧିକାରୀଙ୍କୁ ଏକାଧିକ ବ୍ୟକ୍ତି ମାଡ଼ ମାରି ଗୋଟିଏ ଘରେ ପୂରେଇ ଦେଇଥିବାବେଳେ ଚକ୍ରଧରଙ୍କୁ ଜଣେ ମହିଳା ଚପଲରେ ପିଟିଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ବହୁ କଷ୍ଟରେ ସ୍ଥିତି ନିୟନ୍ତ୍ରଣ କରିଥିଲା। ଅସୁସ୍ଥ ପଞ୍ଚାନନଙ୍କୁ ତିହିଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି।

ଅନ୍ୟପକ୍ଷରେ କଣ୍ଟେନ୍‌ମେଣ୍ଟ ଜୋନରେ ଆଇନ୍‌ ଅବମାନନା କରିବା ଓ ନୋଡାଲ ଅଧିକାରୀ, ସରପଞ୍ଚଙ୍କ ପ୍ରତିନିଧିଙ୍କୁ ଆକ୍ରମଣ କରିବା ଘଟଣାରେ ମୋଟ୍‌ ୨୯ ଜଣଙ୍କ ବିରୋଧରେ ତିହିଡି ଥାନାରେ ଏତଲା ଦିଆଯାଇଥିବା ବିଡିଓ ରମେଶ ଚନ୍ଦ୍ର ପଣ୍ତା ସୂଚନା ଦେଇଛନ୍ତି। ସୂଚନାଥାଉକି, ଗତ ସପ୍ତାହରେ ତିହିଡି ବ୍ଲକ ଭାଟପଡା ପଞ୍ଚାୟତ କ୍ବାରାଣ୍ଟିନ୍ କେନ୍ଦ୍ରରେ ୬ ଜଣ ନାଚଗୀତ କରିବା ସହ ଏହାର ଟିକ୍‌ଟକ୍ ଭିଡିଓ ଭାଇରାଲ କରିଥିଲେ। ଯାହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର