ବ୍ରହ୍ମଗିରିରେ ୪୮ ଦଳିତ ପରିବାରଙ୍କୁ ଆକ୍ରମଣ ମାମଲା: ଜୋର୍‌ ଧରିଲା କଡ଼ା କାର୍ଯ୍ୟାନୁଷ୍ଠାନ ଦାବି

ଅନୁସୂଚିତ ଜାତି, ଜନଜାତି, ପଛୁଆ, ସଂଖ୍ୟାଲଘୁ ଆକ୍ସନ କମିଟିର ଅଭିଯୋଗ

ଭୁବନେଶ୍ୱର : ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ନାଥପୁରରେ ୪୮ ଦଳିତ ପରିବାର ଉପରେ ହୋଇଥିବା ସଂଘବଦ୍ଧ ଆକ୍ରମଣ, ବୋମାମାଡ଼ ଓ ଗୃହଦାହ ଘଟଣା ସମ୍ପୂର୍ଣ୍ଣ ପ୍ରଶାସନିକ ଅବହେଳାର ପରିଣତି। ଏହି ଅମାନବୀୟ କାଣ୍ଡ ବର୍ଷ ବର୍ଷ ଧରି ଦଳିତମାନଙ୍କ ଉପରେ ଉଚ୍ଚ ଜାତିର ଲୋକଙ୍କ ଆଧିପତ୍ୟ ଓ ଅତ୍ୟାଚାରର କରୁଣ ଚିତ୍ର ପ୍ରଦର୍ଶନ କରୁଛି। ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ ଓ ସଂଖ୍ୟାଲଘୁ ଆକ୍ସନ କମିଟି ପକ୍ଷରୁ ତଥ୍ୟ ଅନୁସନ୍ଧାନ ପରେ ଏହି ମତ ଦିଆଯାଇଛି। କମିଟି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉକ୍ତ ୪୮ ଦଳିତ ପରିବାରକୁ ସବୁ ପ୍ରକାର ସରକାରୀ ସହାୟତା ଯୋଗାଇ ଦେବା ସହ ଆକ୍ରମଣକାରୀମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଦାବି କରାଯାଇଛି।

ତଥ୍ୟ ଅନୁସନ୍ଧାନ କମିଟି ଅଭିଯୋଗ ଅନୁସାରେ ୨୦୧୨ ମସିହାରୁ ଏହି ବିବାଦର ସୂତ୍ରପାତ ହୋଇଛି। କୃଷ୍ଣପ୍ରସାଦ ଥାନା ବରହମ୍‌ପୁର ଗାଁର ଏହି ଦଳିତ ପରିବାରବର୍ଗ ପାରମ୍ପରିକ ସେବା ବନ୍ଦ କରିବା ଯୋଗୁଁ ବିବାଦ ସୃଷ୍ଟି ହୋଇଥିଲା। ଗତ ଫେବ୍ରୁଆରିରେ କିଛି ସଂଖ୍ୟାଗରିଷ୍ଠ ଗୋଷ୍ଠୀ ଖାପ୍‌ ପଞ୍ଚାୟତ ବସାଇ ୪୮ ପରିବାରକୁ ବାସନ୍ଦ କରିଥିଲେ। ସାମାଜିକ ବାସନ୍ଦ କାରଣରୁ ସେମାନେ ପିଇବା ପାଣି ମଧ୍ୟ ପାଇଲେ ନାହିଁ। ଏ ନେଇ ସେମାନେ ପ୍ରଶାସନ ନିକଟରେ ଗୁହାରି କଲେ ମଧ୍ୟ କିଛି ସୁଫଳ ମିଳିନଥିଲା। ତେଣୁ ବାଧ୍ୟ ହୋଇ ଉକ୍ତ ୪୮ ପରିବାର ଭିଟାମାଟି ଛାଡ଼ି ନିକଟସ୍ଥ ନାଥପୁର ଗାଁରେ ଏକ ସରକାରୀ ଜମିରେ ଅସ୍ଥାୟୀ ଭାବେ ଆଶ୍ରୟ ନେଇଥିଲେ। ଏହାକୁ ନାଥପୁର ଗ୍ରାମବାସୀ ବିରୋଧ କରିନଥିଲେ। କିନ୍ତୁ ସ୍ଥାନୀୟ ୩୫ ଗାଁର କିଛି ବ୍ୟକ୍ତି ଏହାକୁ ବିରୋଧ କରିଥିଲେ ଓ ଏକ ବୈଠକକୁ ସେମାନଙ୍କୁ ଡକାଇ ସେହି ସ୍ଥାନ ଛାଡ଼ି ଯିବାକୁ ବାଧ୍ୟ କରିଥିଲେ। କିନ୍ତୁ ନାଥପୁର ଗ୍ରାମବାସୀଙ୍କ ବିରୋଧ ନଥିବାରୁ ସେମାନେ ସେଠାରେ ରହିଥିଲେ।

ଗତ ୭ ତାରିଖରେ ଏହି ଅସ୍ଥାୟୀ ଶିବିର ଉପରେ ଘନଘନ ବୋମାମାଡ଼ କରାଯାଇଥିଲା। ଫଳରେ ସେମାନଙ୍କ ଘର ପୋଡ଼ି ପାଉଁଶ ହୋଇଯାଇଥିଲା। ତଥ୍ୟ ଅନୁସନ୍ଧାନ କମିଟିର କହିବା କଥା ଏତେ କାଣ୍ଡ ଘଟିବା ପୂର୍ବରୁ ପୁଲିସ ଓ ଜିଲ୍ଲା ପ୍ରଶାସନ ସେମାନଙ୍କୁ ସୁରକ୍ଷା ଦେଇପାରିନାହିଁ। ଆକ୍ରମଣ ପରେ ବି ପୀଡ଼ିତ ବ୍ୟକ୍ତିଙ୍କୁ ଚିକିତ୍ସା, ଆଶ୍ରୟ, ଖାଦ୍ୟ, ବସ୍ତ୍ର, ରୋଷେଇ ସାମଗ୍ରୀ ଓ ଉପକରଣ ଯୋଗାଇ ଦିଆଯାଇନାହିଁ। ପରିତାପର କଥା ଏହି ଅଞ୍ଚଳରେ ଅନୁସୂଚିତ ବର୍ଗର ଲୋକଙ୍କୁ ଅତ୍ୟାଚାର କରାଯାଉଥିଲେ ମଧ୍ୟ ଜନପ୍ରତିନିଧିମାନେ ସ୍ବର ଉତ୍ତୋଳନ କରୁନାହାନ୍ତି। ତେଣୁ ଏହାକୁ ନେଇ କମିଟି କ୍ଷୋ‌ଭ ପ୍ରକାଶ କରିଛି। ତୁରନ୍ତ ପୀଡ଼ିତ ୪୮ ପରିବାରକୁ ସବୁ ପ୍ରକାର ସହାୟତା ଯୋଗାଇବା ସହ ଆକ୍ରଣକାରୀଙ୍କୁ ଗିରଫ କରିବାକୁ କମିଟି ଏହି ସାମ୍ବାଦିକ ସମ୍ମିଳନୀରେ ଦାବି କରିଛି। ପୀଡ଼ିତ ପରିବାରମାନଙ୍କୁ ୧୦ ଡେସିମିଲ ଜମି, ଏକ ଏକର ଚାଷପୋଯୋଗୀ ଜମି, ଗୃହ ନିର୍ମାଣ ପାଇଁ ଆର୍ଥିକ ସହାୟତା ଯୋଗାଇବା ଭଳି ୬ଟି ଦାବି କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଅଭିରାମ ମଲ୍ଲିକ, ସଂଗ୍ରାମ ମଲ୍ଲିକ, ଭଜମନ ବେହେରା, ପ୍ରଫୁଲ୍ଲ ସାମନ୍ତରାୟ, ବିଶ୍ବପ୍ରିୟ କାନୁନଗୋ, ନରେନ୍ଦ୍ର ମହାନ୍ତି, ଦେବେନ୍ଦ୍ର ରାୟ, ଅରବିନ୍ଦ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର