ଢେଙ୍କାନାଳ : ଢେଙ୍କାନାଳ ବନଖଣ୍ଡ ଅଧିକାରୀ (ଡିଏଫ୍ଓ) ପ୍ରକାଶଚାନ୍ଦ ଗୋଗିନେନୀଙ୍କୁ ସଂଘବଦ୍ଧ ଆକ୍ରମଣ କରିଛନ୍ତି ମାଫିଆ। ତାଙ୍କ ମୁଣ୍ଡକୁ ଇଟାରେ ଛେଚି ଦେଇଛନ୍ତି। ତାଙ୍କ ସହିତ ଯାଇଥିବା ଅନ୍ୟ କର୍ମଚାରୀମାନେ ମଧ୍ୟ ଆକ୍ରମଣରେ ଆହତ ହୋଇଛନ୍ତି।
ଗତକାଲି ରାତିରେ ଡିଏଫ୍ଓ ଶ୍ରୀ ଗୋଗିନେନୀ ସଦର ରେଞ୍ଜ କପିଳାସ ଅଭୟାରଣ୍ୟରେ ହାତୀମାନଙ୍କ ଗତିବିଧି ଏବଂ ହାତୀ ସ୍କ୍ବାଡ୍ର କାର୍ଯ୍ୟକାରିତା ସଂପର୍କରେ ଅନୁଧ୍ୟାନ କରିବା ଲାଗି ପାଟ୍ରୋଲିଂରେ ଯାଉଥିଲେ। ସେହିସମୟରେ କୁରୁମଟାଙ୍ଗର ବେଆଇନ୍ ପଥର ଖଣିରୁ ଏକ ଟ୍ରକ୍(ଓଆର୍-୦୪-ଇ-୩୪୧୫)ରେ ମାଙ୍କଡ଼ା ପଥର ଚାଲାଣ ହେଉଥିବା ଦେଖି ସେ ଗାଡ଼ିକୁ ଅଟକାଇଥିଲେ। ସଂପୃକ୍ତ ଟ୍ରକ୍ ଚାଳକକୁ ପଚରାଉଚରା କରିବା ସହିତ କାଗଜପତ୍ର ଦେଖାଇବାକୁ କହିଥିଲେ। ଏଥିରେ ଟ୍ରକ୍ ଚାଳକ ଉତ୍ତ୍ୟକ୍ତ ହୋଇ ନିଜ ମାଲିକକୁ ଫୋନ୍ କରିଥିଲା। ଏହିସମୟରେ ମାଲିକ ସହ ସେଠାରେ ଭୋଜି କରୁଥିବା ଅନ୍ୟ ପଥର ମାଫିଆମାନେ ଘଟଣାସ୍ଥଳରେ ପହଞ୍ଚି ଡିଏଫ୍ଓଙ୍କୁ ଆକ୍ରମଣ କରିଥିଲେ। ମାଫିଆମାନେ ନିଷ୍ଠୁର ଭାବେ ରାସ୍ତାକଡ଼ରୁ ଇଟା ଉଠାଇ ଡିଏଫ୍ଓଙ୍କ ମୁଣ୍ତରେ ଛେଚି ଦେଇଥିଲେ। ଏଥିରେ ଡିଏଫ୍ଓଙ୍କ ମୁଣ୍ତର ଡାହାଣ ପାର୍ଶ୍ବରେ ଗଭୀର ଆଘାତ ଲାଗିଛି।
ଡିଏଫ୍ଓ ଏବଂ କର୍ମଚାରୀମାନେ ଆକ୍ରମଣର ଶିକାର ହେବାପରେ ଗୋବିନ୍ଦପୁର ଫାଣ୍ତିକୁ ଜଣାଇଥିଲେ। ପରେ ଘଟଣାସ୍ଥଳରେ ଗୋବିନ୍ଦପୁର ଫାଣ୍ତି ଅଧିକାରୀଙ୍କ ସମେତ ପୁଲିସ୍ କର୍ମଚାରୀମାନେ ପହଞ୍ଚିଥିଲେ। ହେଲେ, ଆକ୍ରମଣ କରିବା ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ। ଡିଏଫ୍ଓ ଶ୍ରୀ ଗୋଗିନେନୀ ଚୋରାଚାଲାଣ ହେଉଥିବା ପଥର ବୋଝେଇ ଟ୍ରକ୍କୁ ଜବତ କରି ସଦର ରେଞ୍ଜ୍ କାର୍ଯ୍ୟାଳୟକୁ ଆଣିଥିଲେ। ଗତକାଲି ରାତିରେ ଆହତ ଡିଏଫ୍ଓ ଏବଂ ଅନ୍ୟ କର୍ମଚାରୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ଚିକିତ୍ସିତ ହୋଇଥିଲେ।
ରବିବାର ପୂର୍ବାହ୍ନରେ ଡିଏଫ୍ଓ ସଦର ଥାନାକୁ ଯାଇ ଘଟଣା ସଂପର୍କରେ ଏତଲା ଦେଇଥିଲେ। ଅଭିଯୋଗ ଅନୁଯାୟୀ, ଥାନାରେ ୬୪୪/୨୨ରେ ଏକ ମାମଲା ରୁଜୁ ହୋଇଥିଲା। ଏହି ଘଟଣାରେ ସଂପୃକ୍ତ ସଦର ଥାନା ଅଞ୍ଚଳର ପାଇକଦହିକୋର ଗ୍ରାମର ଅକ୍ଷୟ କୁମାର ବେହେରା(୪୨) ଓ ପ୍ରଭାକର ବେହେରା(୫୦), କୁରୁମଟାଙ୍ଗର ଗ୍ରାମର ପ୍ରଦୀପ କୁମାର ସ୍ବାଇଁ(୩୨), ସାନକୁରୁମଟାଙ୍ଗର ଗ୍ରାମର ସୁଧାଂଶୁ ଶେଖର ରାଉତ(୩୧), ବଳଦିଆବନ୍ଧ ଗ୍ରାମର ଜଟିଆ ଦେହୁରୀ(୪୫), ବଡ଼ କୁରୁମଟାଙ୍ଗର ଗ୍ରାମର ଅଭିମନ୍ୟୁ ରାଉତ (୪୫)ଙ୍କୁ ଗିରଫ କରାଯାଇଥିବା ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ କହିଛନ୍ତି।
ଢେଙ୍କାନାଳରେ ଦିନକୁ ଦିନ ଚୋରା କାଠ ଓ ପଥରର ବ୍ୟାପକ ଚାଲାଣ ସହ ମାଫିଆମାନଙ୍କ ଦୌରାତ୍ମ୍ୟ ବଢ଼ି ଚାଲିଛି। ପ୍ରକାଶ ଥାଉକି, ଗତ ମେ ମାସରେ ଆଇଏଏସ୍ ପ୍ରୋବେସନର ବିଭୂତି ଭୂଷଣ ନାଏକ ଇନ୍ଦିପୁର ପଥର ଖଣିରେ ଚଢ଼ଉ କରିବାକୁ ଯାଇଥିବାବେଳେ ପଥରମାଫିଆମାନେ ତାଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ପୁଣିଥରେ ବନବିଭାଗର ଜଣେ ବରିଷ୍ଠ ଅଧିକାରୀ ଆକ୍ରମଣର ଶିକାର ହୋଇଛନ୍ତି। ନେତା ଓ ସରକାରୀ ଅଧିକାରୀଙ୍କ ବାହୁଛାୟା ତଳେ ମାଫିଆମାନେ ରହୁଥିବାରୁ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ ହୋଇଆସୁଛି।