ରୋଗୀ ମୃତ୍ୟୁ, ଡାକ୍ତରଙ୍କୁ ଆକ୍ରମଣ ଘଟଣାରୁ ଉତ୍ତେଜନା, ୫ ଘଣ୍ଟା ଧରି ରାସ୍ତାରୋକ କଲେ ଲୋକେ

କଳାବ୍ୟାଜ ପିନ୍ଧି କାର୍ଯ୍ୟରେ ଯୋଗଦେଲେ ଡାକ୍ତର

ବଲାଙ୍ଗୀର : ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନା କୋଭିଡ ଆଇସୋଲେସନ ୱାର୍ଡରେ ଶନିବାର ବିଷ୍ଣୁମୁଣ୍ଡାର ଜିତେନ୍ଦ୍ର ସୁନା(ଜିତୁ)ଙ୍କ ମୃତ୍ୟୁ ହୋଇଯାଇଥିଲା। ଚିକିତ୍ସା ଅବହେଳା ଅଭିଯୋଗ କରି ଉତ୍ତ୍ୟକ୍ତ ଲୋକେ କାର୍ଯ୍ୟରତ ଡାକ୍ତର ସୀମାଞ୍ଚଳ ଡାକୁଆଙ୍କୁ ଆକ୍ରମଣ କରିଥିଲେ। ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି। ତେବେ, ଗତକାଲି ଭଳି ଏହି ଘଟଣାକୁ ନେଇ ଆଜି ମଧ୍ୟ ଉତ୍ତେଜନା ପ୍ରକାଶ ପାଇଛି। ଗୋଟିଏ ପଟେ, ଗିରଫ ବ୍ୟକ୍ତିଙ୍କୁ ଛାଡ଼ିବା ପାଇଁ ଲୋକମାନେ ରାସ୍ତାରୋକ କରିଛନ୍ତି। ଅନ୍ୟପଟେ, ଘଟଣା ପ୍ରତିବାଦରେ ଡାକ୍ତରମାନେ କଳାବ୍ୟାଜ୍‌ ପିନ୍ଧି କାର୍ଯ୍ୟରେ ଯୋଗଦେଇଛନ୍ତି।

ଗତକାଲି ଆଇସୋଲେସନ ୱାର୍ଡରେ ରୋଗୀଙ୍କ ମୃତ୍ୟୁ ପରେ ଉତ୍ତ୍ୟକ୍ତ ଯୁବକମାନେ ଡାକ୍ତରଖାନାରେ କାର୍ଯ୍ୟରତ ଡା. ଡାକୁଆଙ୍କୁ ପ୍ରାଣାନ୍ତକ ଅକ୍ରମଣ କରିଥିଲେ। ଡାକ୍ତରମାନେ ଘଟଣାର ପ୍ରତିବାଦ କରିବା ସହିତ ସୁରକ୍ଷା ଦାବିରେ ଧାରଣାରେ ବସିଥିଲେ। ଏହାକୁ ନେଇ ରାତିଯାଏ ଉତ୍ତେଜନା ଲାଗି ରହିଥିଲା। ପରେ ଏହି ମାମଲାରେ ବିଷ୍ଣୁମୁଣ୍ଡାଠାର ମୃତକଙ୍କ କାକା ବେଣୁଧର ସୁନା, ଭାଇ ବିଶ୍ୱନାଥ ସୁନା, ତିତେନ୍ଦ୍ର ସୁନା, ଶ୍ରୀକାନ୍ତ ସୁନା ଓ ଶ୍ୱଶୁର ଚଞ୍ଚଳ ଶିକାଙ୍କୁ ଆଣି ଅଟକ ରଖିଥିଲା। ଆଜି ମଧ୍ୟ ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଗିରଫ ସମସ୍ତଙ୍କୁ ଛାଡ଼ିବା ଏବଂ ଡାକ୍ତରଙ୍କ ବିରୋଧରେ ବି ମାମଲା ରୁଜୁ ଦାବିରେ ଲୋକମାନେ ବିଷ୍ଣୁମୁଣ୍ଡାଠାରେ ପୁଣି ରାସ୍ତାରୋକ ଆନ୍ଦୋଳନ ହୋଇଥିଲା। ଏପରିକି ଶବକୁ ମଧ୍ୟ ଠିକ୍‌ରେ ବ୍ୟବଚ୍ଛେଦ କରାଯାଇ ନଥିବା ଅଭିଯୋଗ କରିଥିଲେ। ରାସ୍ତାରୋକର ୫ଘଣ୍ଟା ପରେ ପ୍ରଶାସନ ମୃତକଙ୍କ ପତ୍ନୀଙ୍କୁ ୩୦ହଜାର ଟଙ୍କା ରେଡକ୍ରସ ସହାୟତା ଦେବା ସହିତ ଘଟଣାର ଏକ ନିରପେକ୍ଷ ତଦନ୍ତ କରାଯିବାକୁ ପ୍ରତିଶ୍ରୁତି ଦେବା ପରେ ଧାରଣା ହଟିଥିଲା। ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ସଂଜୟ ମିଶ୍ର, ସଦର ଏସଡିପିଓ ଶ୍ରୀମନ୍ତ ବାରିକ, ଆଦର୍ଶ ଥାନାର ଆଇଆଇସି ସଂଗ୍ରାମକେଶରୀ ପଟ୍ଟନାୟକ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ। ବାରମ୍ବାର ଡାକ୍ତରମାନଙ୍କ ଅବହେଳାରୁ ଗରିବ ଓ ଦଳିତ ଲୋକଙ୍କ ଜୀବନ ଯାଉଥିବାରୁ ଏଭଳି ଘଟଣାର ତଦନ୍ତ କରା ନଗଲେ ଆଗକୁ ଜନଆନ୍ଦୋଳନ ଜୋରଦାର କରିବାକୁ ଦଳିତ ନେତା ଦ୍ରୋଣ କୁମ୍ଭାର, ଦୀନେଶ ନାଗ, ଶମ୍ଭୁ ନାଗ ପ୍ରମୁଖ ଚେତାବନୀ ଦେଇଛନ୍ତି।

ଅନ୍ୟପଟେ ପୁଲିସ ଆକ୍ରମଣକାରୀଙ୍କୁ ଥାନାକୁ ଆଣିବା ପରେ ଡାକ୍ତରମାନେ କଳାବ୍ୟାଜ୍‌ ପିନ୍ଧି ନିଜ ନିଜ କାର୍ଯ୍ୟରେ ଯୋଗଦେଇଥିଲେ। ସରକାର କେବଳ ଡାକ୍ତରଙ୍କୁ କୋଭିଡ ଯୋଦ୍ଧା କହିଦେଲେ ହେବ ନାହିଁ, ବରଂ ଡାକ୍ତରଙ୍କୁ ସୁରକ୍ଷା ବି ଦିଆଯାଉ ବୋଲି ଡାକ୍ତରମାନେ କହିଥିଲେ।

କାର୍ଯ୍ୟାନୁଷ୍ଠାନ ନ ହେଲେ ସୋମବାରଠୁ କଳାବ୍ୟାଜ୍‌ ପିନ୍ଧିବେ ଡାକ୍ତରୀ ଛାତ୍ରଛାତ୍ରୀ
କଟକ : ବଲାଙ୍ଗୀର ଭୀମଭୋଇ ମେଡିକାଲ୍ କଲେଜର କରୋନା ଯୋଦ୍ଧା ଡାକ୍ତର ସୀମାଞ୍ଚଳ ଡାକୁଆଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରି ଏସ୍‌ସିବି ମେଡିକାଲ କଲେଜରେ ଡାକ୍ତରୀ ଛାତ୍ରଛାତ୍ରୀ ଆଜି ଅପରାହ୍ନରେ ପ୍ରତିବାଦ କରିଛନ୍ତି।

ଯଦି ସରକାର ଯଥାଶୀଘ୍ର ଡାକ୍ତରଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପଦକ୍ଷେପ ନ ନିଅନ୍ତି ଓ ଆକ୍ରମଣକାରୀଙ୍କ ବିରୋଧରେ ଏନ୍‌ଏସ୍‌ଏ ଆଇନ୍‌ ଲଗାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତେବେ, ଏହାର ପ୍ରତିବାଦରେ ସୋମବାରଠୁ ଏସ୍‌ସିବି ରେସିଡେଣ୍ଟ୍‌ ଡାକ୍ତର ସଂଘ, ଜୁନିୟର ଡାକ୍ତର ସଂଘ, ହାଉସ୍‌ ସର୍ଜନ ଡାକ୍ତର ସଂଘ ଓ ୟୁଜି ଷ୍ଟୁଡେଣ୍ଟ ଆସୋସିଏସନ୍‌ କଳାବ୍ୟାଜ୍‌ପିନ୍ଧି କାର୍ଯ୍ୟ କରିବା ପାଇଁ ନି‌ସ୍ପତ୍ତି ଗ୍ରହଣ କରିଛନ୍ତି। ଏ ସମ୍ପର୍କରେ ଓଡ଼ିଶା ଡାକ୍ତରୀ ଛାତ୍ର ସଂଘ ସଭାପତି ଡାକ୍ତର ଦୀପକ କୁମାର ସାମଲ ସୂଚନା ଦେଇଛନ୍ତି। ଆବଶ୍ୟକ ପଡ଼ିଲେ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ମଧ୍ୟ ପଛାଇବେ ନାହିଁ ବେଲି ଡାକ୍ତର ସାମଲ ସୂଚନା ଦେଇଛନ୍ତି। ଆଜି ଡାକ୍ତରୀ ଛାତ୍ରଛାତ୍ରୀମାନେ ଏସ୍‌ସିବି ପରିସରସ୍ଥ ଶ୍ରୀରାମଚନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତି ତଳେ ସାମାଜିକ ଦୂରତା ରଖି ପ୍ରତିବାଦ କରିଛନ୍ତି।

ସମ୍ବନ୍ଧିତ ଖବର