ପୁଣି ଏକଲବ୍ୟ ଆଦର୍ଶ ଆବାସିକ ସ୍କୁଲରେ ଭଙ୍ଗାରୁଜା, ଚୋରି ଅଭିଯୋଗ

ଲାଞ୍ଜିଗଡ଼ : ଲାଞ୍ଜିଗଡ଼ ବ୍ଲକ୍‌ ବିଶ୍ୱନାଥପୁର ନିକଟସ୍ଥ ଧଅଁରାଭଟାଠାରେ ଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଭଙ୍ଗାରୁଜା ଓ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି।

ସୂଚନାନୁଯାୟୀ, ଲାଞ୍ଜିଗଡ ବ୍ଲକ୍‌ର ଧଅଁରାଭଟାସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକା ବିଦ୍ୟାଳୟଟି ଗତ ୨୦୨୧ ନଭେମ୍ବର ୨୪ ତାରିଖରେ ଉଦଘାଟନ ହୋଇଥିଲା। ଏ ବର୍ଷ ନାମଲେଖା ପାଇଁ ବିଜ୍ଞାପନ ପରେ ଗତ ୨୭ ତାରିଖ ଦିନ କଳାହାଣ୍ଡି ଜିଲ୍ଲା ସଦର ବ୍ଲକ୍‌ ପାଷ୍ଟିକୁଡି ଠାରେ ପ୍ରବେଶିକା ପରୀକ୍ଷା ମଧ୍ୟ ଶେଷ ହୋଇଛି। ଏହାକୁ ଦୃଷ୍ଟିରେ ରଖି ସ୍କୁଲ କର୍ତ୍ତୃପକ୍ଷ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ତେବେ ସ୍କୁଲର ଛାତ୍ରାବାସର ଗାଧୁଆ ଘରେ ଲାଗିଥିବା ୱାସ ବେସିନ୍ ଗୁଡ଼ିକୁ ଭଙ୍ଗାରୁଜା କରିବା ସହିତ ସେଠାରେ ଲାଗିଥିବା ପାଣି ଟ୍ୟାପ୍‌ଗୁଡ଼ିକୁ କେହି ଦୁର୍ବୃତ୍ତ ଚୋରି କରି ନେଇଯାଇଛି। ଏ ସମ୍ପର୍କରେ ସ୍କୁଲ ପରିସରରେ ଥିବା ୩ ଜଣ ରୋଷେୟା କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ଗୁରୁବାର ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ, ସ୍କୁଲ ଦାଇତ୍ଵରେ ଥିବା ଲାଞ୍ଜିଗଡ଼ ଏସ୍‌ଏସ୍‌ଡି ସ୍କୁଲ ଅଧ୍ୟକ୍ଷ ପାର୍ଥବ ତାଣ୍ଡି, ଲାଞ୍ଜିଗଡ ବିଧାୟକଙ୍କ ପ୍ରତିନିଧି ପ୍ରଦୀପ ଘଡେଇ ସ୍କୁଲକୁ ଆସି ସ୍ଥିତି ଦେଖିଥିଲେ। ପରେ ସ୍କୁଲର ୩ ଜଣ ରୋଷେୟା ଏ ବାବଦରେ ବିଶ୍ୱନାଥପୁର ଥାନାରେ ଅଭିଯୋଗ କରିଛନ୍ତି।

ଏହା ପୂର୍ବରୁ ଏହି ସ୍କୁଲର ଛାତ୍ରୀବାସରେ ମଧ୍ୟ ଗତ ଅକ୍ଟୋବର ମାସରେ ଅଜଣା ଦୁର୍ବୃତ୍ତମାନେ ସ୍କୁଲ ବାଡ଼ ଡେଇଁ ସ୍କୁଲ ପରିସରରେ ଭଙ୍ଗାରୁଜା କରିଥିଲେ। ହେଲେ ଏନେଇ ଥାନାରେ ଅଭିଯୋଗ ହୋଇଥିଲା। କିନ୍ତୁ ୫ ମାସ ପରେ ପୁଣି ଦୁର୍ବୃତ୍ତମାନେ ସମାନ ଢଙ୍ଗରେ ସ୍କୁଲ ପରିସରରେ ଉତ୍ପାତ କରିଛନ୍ତି। ତେଣୁ ପୁଲିସ ପକ୍ଷରୁ ତଦନ୍ତ କରାଯାଇ ତୁରନ୍ତ ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର