ଭୁବନେଶ୍ବର : ବିଜୁଳି ସଂଯୋଗରେ ବିଳମ୍ବ ହେବାରୁ ପୁନରୁଦ୍ଧାର କାମ କରିବା ପାଇଁ ରାଜ୍ୟ ବାହାରୁ ଆସିଥିବା ଶ୍ରମିକଙ୍କୁ ମାଡ଼ ହୋଇଛି। ଫଳରେ ୪୦ ଶ୍ରମିକ ଫେରି ଯାଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ମଞ୍ଚେଶ୍ବର ଥାନା ଅଧୀନ ଗାଡ଼କଣ ଅଞ୍ଚଳରେ ଘଟିଛି। ଖବର ପାଇ ସେସୁ ଅଧିକାରୀ ଓ ଅନ୍ୟମାନେ ବୁଝାସୁଝା କରିଥିଲେ ମଧ୍ୟ ସମ୍ପୃକ୍ତ ଶ୍ରମିକ କାମ କରିବା ପାଇଁ ରାଜି ହୋଇ ନାହାନ୍ତି। ବିପର୍ଯ୍ୟୟ ସମୟରେ ସହାୟତାର ହାତ ବଢ଼ାଇଥିବା ଶ୍ରମିକମାନଙ୍କୁ ଏଭଳି ମାଡ଼ ହେବା ଏବଂ ସେମାନେ ଓଡ଼ିଶାରୁ ଫେରିଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିବେଚନା କରାଯାଉଛି। ଅନ୍ୟପଟେ ଏଭଳି ଘଟଣା ଘଟିବା ପରେ ଅନ୍ୟ ଶ୍ରମିକମାନେ ମଧ୍ୟ ଭୟଭୀତ ହୋଇଛନ୍ତି। ପୂର୍ବରୁ ଏକୁଟିଆ କାମ କରୁଥିଲେ ମଧ୍ୟ ସେମାନେ କର୍ମଚାରୀଙ୍କ ବିନା ଉପସ୍ଥିତିରେ କାମ କରିବା ପାଇଁ ଚାହୁଁ ନାହାନ୍ତି। ଗୋଟିଏ ପଟେ ଯଥାଶୀଘ୍ର ବିଜୁଳି ସଂଯୋଗ ପାଇଁ ତୁରନ୍ତ ପୁନରୁଦ୍ଧାର କାମ ଆବଶ୍ୟକତା ଥିବା ବେଳେ ଏହି ଘଟଣା ଏକ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିଛି। ଲୋକଙ୍କର ଏଭଳି ଆଚରଣ ଯୋଗୁ ପୁନରୁଦ୍ଧାର କାମ ବାଧାପ୍ରାପ୍ତ ହୋଇଛି। ଆଗକୁ ଏଭଳି ଆଚରଣ ଜାରି ରହିଲେ ଏହି ପୁନରୁଦ୍ଧାର କାମ ଆହୁରି ବିଳମ୍ବ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗାଡ଼କଣରେ ତୁରନ୍ତ ବିଦ୍ୟୁତ୍ ସଂଯୋଗ ଦେବାପାଇଁ କିଛି ଲୋକ ଏଠାକାର କନିଷ୍ଠଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଏହା ପରେ କାମ ଆରମ୍ଭ ହେବା ପାଇଁ କେତେଜଣ ଶ୍ରମିକଙ୍କୁ ଅଣା ଯାଇଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ କାମ କରିବା ପାଇଁ କିଛି ଯୁବକ ଜିଦ୍ କରିଥିଲେ। ଫଳରେ କିଛି ସମୟ ପାଇଁ କାମ ବିଳମ୍ବ ହୋଇଥିଲା। ଅନ୍ୟପଟେ କାମ ହେବାକୁ ଥିବାରୁ ଶ୍ରମିକମାନେ ଏଠାରୁ ଛାଡ଼ି ଅନ୍ୟ ଜାଗାକୁ କାମ କରିବା ପାଇଁ ଯିବାକୁ ବାହାରିଥିଲେ। ଏଠାରୁ କାମ ଛାଡ଼ି ଚାଲିଯାଉଥିବା ଦେଖି କିଛି ଯୁବକ ସେମାନଙ୍କୁ ଗାଳିଗୁଲଜ କରିବା ସହ ସରଞ୍ଜାମ ଫିଙ୍ଗାଫିଙ୍ଗି କରିଥିଲେ। ଦୁଇଜଣ ଶ୍ରମିକଙ୍କୁ ମାଡ଼ ମଧ୍ୟ ମାରିଥିଲେ। ପରିସ୍ଥିତି ଏଭଳି ହୋଇଥିଲା ଯେ ଏହି ଶ୍ରମିକମାନଙ୍କ ସହ ଆସିଥିବା ପ୍ରାୟ ୪୦ ଜଣ ଏକତ୍ରିତ ହୋଇଥିଲେ। ସେସୁ ନିୟନ୍ତ୍ରଣ କକ୍ଷକୁ ନ ଯାଇ ସିଧା ଟ୍ରେନ୍ରେ ବସିଥିଲେ। ଖବର ପାଇ ସେସୁ କର୍ତ୍ତୃପକ୍ଷ ଓ ପୁଲିସ କର୍ମଚାରୀ ଯାଇ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ଫେରିନଥିଲେ।