ତିଗିରିଆରେ ଅବକାରୀ କର୍ମଚାରୀଙ୍କୁ ମଦ ମାଫିଆଙ୍କ ଆକ୍ରମଣ : ୬ ଆହତ; ଜବତ ଗାଡ଼ି ଛଡ଼ାଇନେଲେ

ତିଗିରିଆ : ମଦ ମାଫିଆଙ୍କ ୨୫ରୁ ଅଧିକ ସହଯୋଗୀଙ୍କ ଆକ୍ରମଣରେ ଅବକାରୀ ବିଭାଗର ୬ ଜଣ କର୍ମଚାରୀ ଆହତ ହୋଇଛନ୍ତି। ଦୁର୍ବୃତ୍ତମାନେ ଅବକାରୀ କର୍ମଚାରୀଙ୍କ ଗାଡ଼ି ଭାଙ୍ଗି ଦେଇଛନ୍ତି। କଟକ ଜିଲ୍ଲା ତିଗିରିଆ ବ୍ଲକ ଅନ୍ତର୍ଗତ ଜେମାଦେଇପୁର ପଞ୍ଚାୟତ ସ୍ଥିତ ପେଟ୍ରୋଲ ପମ୍ପ ନିକଟରେ ଆଜି ରାତିରେ ଏଭଳି ଅଭ‌ାବନୀୟ କାଣ୍ଡ ଘଟିଛି। ଅବକାରୀ ବିଭାଗ ପକ୍ଷରୁ ଗୋଟିଏ ଦେଶୀ  ମଦ ଭର୍ତ୍ତି ଗାଡିକୁ ଜବତ କରାଯାଇଥିବା ବେଳେ ମଦ ମାଫିଆ ଏଭଳି କାଣ୍ଡ କରିଥିବା ସଂପର୍କରେ ତିଗିରିଆ ଥାନାରେ ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ ଆଜି ରାତି ପ୍ରାୟ ୯ ଟା ସମୟରେ ଏକ ଗାଡ଼ିରେ ଚୋରା ଦେଶୀ ମଦ ତିଗିରିଆ ବ୍ଲକ ଅନ୍ତର୍ଗତ ଭିରୁଡ଼ାଠାରୁ ବଡମ୍ବା ଆଡ଼କୁ ଯାଉଥିବା ଖବର ପାଇ ଅବକାରୀ ଅଧିକାରୀ ସଞ୍ଜିତ ବାର୍ଲାଙ୍କ ନେତୃତ୍ୱରେ କର୍ମଚାରୀମାନେ ସେହି ଗାଡ଼ିକୁ ଜେମାଦେଇପୁର ପଞ୍ଚାୟତ ସ୍ଥିତ ପେଟ୍ରୋଲ ପମ୍ପ ନିକଟରେ ଅଟକାଇଥିଲେ। ସେହି ସମୟରେ ମଦ ମାଫିଆ ଓ ତାଙ୍କର ପ୍ରାୟ ୨୫ ରୁ ଅଧିକ ସହଯୋଗୀ ଏକାଧିକ ଦୁଇ ଚକିଆ ଗାଡ଼ିରେ ଆସି ଅବକାରୀ ବିଭାଗର ଗାଡ଼ିକୁ ଟେକା ପଥର ମାରିବା ସହ ବିଭାଗର କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଅବକାରୀ କର୍ମଚାରୀ ଦୁଷ୍ମନ୍ତ ବସନ୍ତରା ଓ ସୀମାଲ ଟୁଡୁଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ହତ୍ୟା ଉଦ୍ୟମ କରିଥିଲେ। ପରେ ଦୁର୍ବୃତ୍ତମାନେ ଅବକାରୀ ବିଭାଗ ଅଟକ ରଖିଥିବା ମଦ ବୋଝେଇ ଗାଡ଼ିଟିକୁ ଛଡ଼ାଇ ନେଇଥିଲେ। ଦୁର୍ବୃତ୍ତଙ୍କ ଟେକା ପଥର ମାଡ଼ରେ ଅବକାରୀ ବିଭାଗ ଏସ୍‌ଆଇ ବିଜୟ ଭଞ୍ଜ, ଏଏସଆଇ ଦେବାନନ୍ଦ ଭୂୟାଁ, କନେଷ୍ଟବଳ ଚୈତନ୍ୟ ମାଝୀ ଓ ପଙ୍କଜ କଁହର, ଡ୍ରାଇଭର ନିରଞ୍ଜନ ବାରିକ ଓ ଅବକାରୀ ବିଭାଗର ଅଧିକାରୀ ସଞ୍ଜିତ ବାର୍ଲା ପ୍ରମୁଖ ଆହତ ହୋଇଛନ୍ତି। ଆହତମାନେ ପ୍ରଥମେ ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ତିଗିରିଆ ଥାନାରେ ଏ ନେଇ ଏକ ଏତଲା ଦେଇଥିବା ଅବକାରୀ ଅଧିକାରୀ ଶ୍ରୀ ବାର୍ଲା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର