ବରୀ : ନିମ୍ନମାନର ନିର୍ମାଣ କାମକୁ ବିରୋଧ କରିବାରୁ ଯାଜପୁର ଜିଲ୍ଲାର ବରୀ ବ୍ଲକ୍‌ର କନିଷ୍ଠ ଯନ୍ତ୍ରୀ ବିପ୍ଳବ ପରିଜା ଆକ୍ରମଣର ଶିକାର ହୋଇଛନ୍ତି। ବିଜେଡି ଜିଲ୍ଲାପରିଷଦ ସଭ୍ୟ ଦିଲୀପ ମହାନ୍ତି ଓ ତାଙ୍କ ସମର୍ଥକଙ୍କ ସଂଘବଦ୍ଧ ଆକ୍ରମଣରେ ସେ ଲହୁଲୁହାଣ ହୋଇଛନ୍ତି। ତାଙ୍କୁ ଏକ ବନ୍ଦଘରୁ ପୁଲିସ ଉଦ୍ଧାର କରିଛି।

Advertisment

ସୂଚନା ଅନୁସାରେ, ବରୀ ବ୍ଲକ୍ ମହାକାଳପଡ଼ା ପଞ୍ଚାୟତ ଡିହପାଳ ଗ୍ରାମରେ ନିର୍ମାଣାଧୀନ ଏକ ଖଳା କାମକୁ ନେଇ ବ୍ଲକ୍‌ର କନିଷ୍ଠଯନ୍ତ୍ରୀ ବିପ୍ଳବ ପରିଜା ଓ ୨୨ ନଂ ଜିଲ୍ଲାପରିଷଦ ସଭ୍ୟ ଦିଲୀପ ମହାନ୍ତିଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଏହି କାମର ‌ଢଳେଇ ପଡ଼ିବା ସମୟରେ ସେ ଉପସ୍ଥିତ ରହିବେ ବୋଲି କନିଷ୍ଠ ଯନ୍ତ୍ରୀ ସୂଚନା ଦେଇଥିଲେ। ଆଜି ଢଳେଇ ପଡ଼ିବାର ଯୋଜନା ନଥିଲା। ହେଲେ, ହଠାତ୍‌ ଢଳେଇ ପକାଯାଉଥିଲା ବେଳେ କନିଷ୍ଠ ଯନ୍ତ୍ରୀ ଅନୁପସ୍ଥିତ ଥିଲେ। ଏହିସମୟରେ, ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ମହାନ୍ତି ସେରଗଡ଼ ପଞ୍ଚାୟତକୁ ଗସ୍ତରେ ଯାଇଥିବା ସହକାରୀ ଯନ୍ତ୍ରୀ ସନ୍ଦୀପ କୁମାର ଦାସଙ୍କୁ ବାଧ୍ୟକରି ଖଳାକାମ ପାଖକୁ ନେଇଯାଇଥିଲେ। ଖବରପାଇ କନିଷ୍ଠ ଯନ୍ତ୍ରୀ ଶ୍ରୀ ପରିଜା ସେଠାରେ ପହଞ୍ଚିଥିଲେ। ନିର୍ଦ୍ଧାରିତ ମୋଟେଇର ଢଳେଇ ପକାଯାଉ ନଥିବା ଦେଖିଥିଲେ ଏବଂ ଭାଗମାପ ମଧ୍ୟ ନିମ୍ନମାନର ଥିବାରୁ କାମ ବନ୍ଦ କରିବାକୁ ସେ କହିଥିଲେ।

ଏହାକୁ ନେଇ ଜିଲ୍ଲାପରିଷଦ ଓ କନିଷ୍ଠ ଯନ୍ତ୍ରୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ସେହିସମୟରେ ଜିଲ୍ଲା ପରିଷଦ ସଭ୍ୟଙ୍କ ସମର୍ଥକମାନେ ସଂଘବଦ୍ଧ ଭାବେ କନିଷ୍ଠ ଯନ୍ତ୍ରୀଙ୍କ ଉପରେ ଆକ୍ରମଣ କରିଥିଲେ। ଥାନା ଅଧିକାରୀ ମନୋଜ ସ୍ବାଇଁଙ୍କ ନେତୃ୍ତ୍ବରେ ଏକ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ବନ୍ଦଘରୁ କନିଷ୍ଠ ଯନ୍ତ୍ରୀ ଶ୍ରୀ ପରିଜାଙ୍କୁ ଉଦ୍ଧାର କରିଛନ୍ତି। ଏପରିକି, ଉଦ୍ଧାର କରି ଆଣୁଥିବା ସମୟରେ ଶ୍ରୀ ମହାନ୍ତିଙ୍କ ସମର୍ଥକମାନେ ପୁନର୍ବାର ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଥାନାରେ ୨ ଘଣ୍ଟାଧରି ରୁଦ୍ଧଦ୍ବାର ବୈଠକ ପରେ ବିବାଦର ସମାଧାନ ହୋଇଯାଇଥିବା ଜଣାପଡ଼ିଛି।