ଆଳି : କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଆଳି ଥାନା ଭିତରେ ରବିବାର ଦିନ କାର୍ଯ୍ୟରତ ମହିଳା ପୁଲିସ ସବ୍ ଇନ୍‌ସେପେକ୍ଟରଙ୍କୁ ଜଣେ ମହିଳା ମାଡ଼ ମାରିବା ଭଳି ଅଭାବନୀୟ ଘଟଣା ଘଟିଛି। ପୁଲିସ ଆକ୍ରମଣକାରୀ ମହିଳାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

Advertisment

ମହିଳା ଏସ୍‌.ଆଇ ହେଲେ, ମମତା ବିଶ୍ବାଳ। ଗୋପ ଗ୍ରାମର ଏକ ଜମିବାଡ଼ି ବିବାଦ ମାମଲାରେ ସେ ଉଭୟ ପକ୍ଷଙ୍କୁ ଥାନାକୁ ଡାକିଥିଲେ। ଗୋପ ଗ୍ରାମ ନିବାସୀ ଭାସ୍କର ପଲାଇ ଓ ଅପରପକ୍ଷର ଆରତୀ ପରିଡ଼ାଙ୍କଠାରୁ ପୁଲିସ ଅଧିକାରୀ ଶ୍ରୀମତୀ ବିଶ୍ବାଳ ଜମିବାଡ଼ି ବିବାଦ ଘଟଣା ସଂପର୍କରେ ପଚାରି ବୁଝୁଥିଲେ। ବୁଝାସୁଝା ସମୟରେ ଆରତୀ ହଠାତ୍ ଉତ୍‌କ୍ଷିପ୍ତ ହୋଇ ପୁଲିସ ଏସ୍‌.ଆଇ ମମତାଙ୍କ ଉପରେ ଅତର୍କିତ ଆକ୍ରମଣ କରିବା କରିଥିଲେ। ତାଙ୍କ ଚୁଟିକୁ ଭିଡ଼ି ଆଣି ମାଡ଼ ମାରିଥିଲେ। ଥାନାରେ ଉପସ୍ଥିତ ଅନ୍ୟ ପୁଲିସ କର୍ମଚାରୀମାନେ ଏସ୍‌.ଆଇ ମମତାଙ୍କୁ ଆକ୍ରମଣକାରୀ ମହିଳା ଆରତୀଙ୍କ କବଳରୁ ମୁକୁଳାଇଥିଲେ। ଏସ୍‌.ଆଇ ବିଶ୍ବାଳଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା (୨୩୯/୨୨) ରୁଜୁ କରି ଆକ୍ରମଣକାରୀ ମହିଳା ଆରତୀ ପରିଡ଼ାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏଥିସହିତ ଆରତୀଙ୍କ ପରିବାରର ରାଜେନ୍ଦ୍ର ପରିଡ଼ା ଓ ଜୟନ୍ତୀ ପରିଡ଼ାଙ୍କୁ ମଧ୍ୟ ଜମିବାଡ଼ି ମାମଲାରେ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି ବୋଲି ତଦନ୍ତ ଅଧିକାରୀ ପ୍ରଦୋଷ ପଟ୍ଟନାୟକ ସୂଚନା ଦେଇଛନ୍ତି।