ବକେୟା ଦରମା ମାଗିବାରୁ ପ୍ରାଣାନ୍ତକ ଆକ୍ରମଣ, ଆଇସ୍‌କ୍ରିମ୍‌ ପାର୍ଲର ମାଲିକ ଗିରଫ

ରାଉରକେଲା: ବକେୟା ଦରମା ଦେବାକୁ ଘରକୁ ଡାକି ଜଣେ କର୍ମଚାରୀ ଓ ତାଙ୍କ ଭାଇଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣାରେ ସେକ୍ଟର-୭ ପୁଲିସ ଆଇସ୍‌କ୍ରିମ୍‌ ପାର୍ଲର ମାଲିକକୁ ଗିରଫ କରିଛି। ଗିରଫ ମାଲିକ ହେଲେ ସେକ୍ଟର-୬, ଏଚ୍‌-୧୫୫ର କୃଷ୍ଣଚନ୍ଦ୍ର ସ୍ବାଇଁ। ଜାମିନ୍‌ ନାମଞ୍ଜୁର ହେବାକୁ ତାଙ୍କୁ ଜେଲ ପଠାଇ ଦିଆଯାଇଛି। ସେକ୍ଟର-୭ ପୁଲିସ ଉଭୟ ମାଲିକଙ୍କ ପତ୍ନୀ ଓ କର୍ମଚାରୀଙ୍କ ଲିଖିତ ଅଭିଯୋଗ ଆଧାରରେ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଛେଣ୍ଡ କଲୋନି ଟିସ୍କୋ କ୍ବାରିଂ ସାଇଡିଂରେ ଶିବ ନାରାୟଣ ଷଡଙ୍ଗୀ ପରିବାର ସହ ରହନ୍ତି। ଶିବନାରାୟଣଙ୍କ ଦାଦା ହେମନ୍ତ କୁମାର ଷଡଙ୍ଗୀଙ୍କ କହିବାନୁଯାୟୀ ଶିବନାରାୟଣ କୃଷ୍ଣଚନ୍ଦ୍ର ସ୍ବାଇଁଙ୍କ ସେକ୍ଟର-୧୯ସ୍ଥିତ ଆଇସ୍‌କ୍ରିମ୍‌ ପାର୍ଲରେ କାମ କରୁଥିଲେ। କୃଷ୍ଣଚନ୍ଦ୍ର ତାଙ୍କୁ ମାସିକ ୧୧ ହଜାର ଟଙ୍କା ଦରମା ଦେବାକୁ କହିଥିଲେ। କିଛି ମାସ କାମ କରିବା ପରେ ପାର୍ଲର ପରିବର୍ତ୍ତେ ଶିବ ନାରାୟଣଙ୍କୁ କାଲ୍‌ଟାକୁ କାମ କରିବାକୁ ପଠାଇଦେଇଥିଲେ। ଏମିତି ମୋଟ ୮ ମାସ କାମ କରିଥିଲେ। ମାଲିକ କୃଷ୍ଣଚନ୍ଦ୍ର କିନ୍ତୁ ଶିବ ନାରାୟଣଙ୍କୁ ଦୁଇ ମାସରେ ଦରମା ଦେଇଥିଲେ। ଠିକ୍‌ ଭାବେ ଦରମା ନ ମିଳିବାରୁ ଶିବନାରାୟଣ କାମ ଛାଡି ଘରକୁ ଚାଲି ଆସିଥିଲେ। କିଛି ଦିନ ପରେ କୃଷ୍ଣଚନ୍ଦ୍ରଙ୍କୁ ୬ ମାସର ବକେୟା ଦରମା ଦେବାକୁ ଶିବନାରାୟଣ କଲ୍‌ କରିଥିଲେ। ଗତକାଲି କୃଷ୍ଣଚନ୍ଦ୍ର ଶିବନାରାୟଣଙ୍କୁ ଘରକୁ ଡାକିଥିଲେ।

କାଗଜପତ୍ର ଧରି କ୍ବାର୍ଟର୍ସକୁ ଆସିଲେ ବକେୟା ଦରମା ମିଳିଯିବ ବୋଲି କହିଥିଲେ। କୃଷ୍ଣଚନ୍ଦ୍ରଙ୍କ କହିବାନୁଯାୟୀ ଶିବନାରାୟଣ ଓ ତା’ ଭାଇ ଆଦିତ୍ୟ ନାରାୟଣ ଦୁହେଁ ଅପରାହ୍ନ ଅଢ଼େଇଟାରେ କୃଷ୍ଣଚନ୍ଦ୍ରଙ୍କ ସେକ୍ଟର-୬ସ୍ଥିତ କ୍ବାର୍ଟର୍ସରେ ପହଞ୍ଚିଥି‌ଲେ। କୃଷ୍ଣଚନ୍ଦ୍ରଙ୍କ ନିକଟରେ ଆବଶ୍ୟକୀୟ କାଗଜପତ୍ର ଜମା କରି ଦରମା ଦେବାକୁ କହିଥିଲେ। କୃ‌ଷ୍ଣଚନ୍ଦ୍ର ମାସିକ ୧୧ ହଜାର ପରିବର୍ତ୍ତେ ୬ ହଜାର ଟଙ୍କା ଦେବାକୁ କହିଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ତେଜିତ ହୋଇ କୃଷ୍ଣଚନ୍ଦ୍ର କ୍ବାର୍ଟର୍ସରୁ କ୍ରିକେଟ୍‌ ବ୍ୟାଟ୍‌ ଆଣି ଶିବନାରାୟଣଙ୍କୁ ଆକ୍ରମଣ କରିଥିଲେ। ବ୍ୟାଟ୍‌ଟି ଶିବନାରାୟଣ ଉପରେ ନ ବାଜି ତାଙ୍କ ଭାଇ ଆଦିତ୍ୟଙ୍କ ମୁଣ୍ଡରେ ବାଜିବାରୁ ବେହୋସ ହୋଇ ପଡିଯାଇଥିଲେ। ତଥାପି କୃଷ୍ଣଚନ୍ଦ୍ରଙ୍କ ରାଗ ଶାନ୍ତ ପଡିନଥିଲା। ଉଭୟଙ୍କୁ ବ୍ୟାଟ୍‌ରେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। କୃଷ୍ଣଚନ୍ଦ୍ରଙ୍କ ପତ୍ନୀ ମଧ୍ୟ ଶିବନାରାୟଣଙ୍କୁ ଆକ୍ରମଣ କରିଥିଲେ। ଗୁରୁତର ଆଦିତ୍ୟଙ୍କୁ ଆଇଜିଏଚ୍‌ ଆଇସିୟୁ ଓ ଶିବନାରାୟଣଙ୍କୁ ରାଉର‌କେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଶିବନାରାୟଣଙ୍କ ମାଡରେ ଅଭିଯୁକ୍ତ କୃଷ୍ଣଚନ୍ଦ୍ରଙ୍କ ପତ୍ନୀ ମଧ୍ୟ ଆହତ ହୋଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର