ଘଟଗାଁ : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ସାନ୍ତରାପୁର ଗ୍ରାମରେ ବନ ବିଭାଗ କର୍ମଚାରୀ ଆକ୍ରମଣ କରିଛନ୍ତି କାଠମାଫିଆ। ଏଥିସହିତ, ଘଟଗାଁ ରେଞ୍ଜର ପ୍ରଭାତ କୁମାର କୁଅଁରଙ୍କ ସମେତ ୫ଜଣ ଆହତ ହୋଇଛନ୍ତି।
ଗତକାଲି ସନ୍ଧ୍ୟାରେ ଘଟଗାଁ ବ୍ଲକ୍ ସାନ୍ତରାପୁର ଗ୍ରାମରୁ ଦୁଇଟି ବୋଲେରୋ ଯୋଗେ ବିଭିନ୍ନ ସାଇଜ୍ର କାଠ ବୋଝେଇ ହୋଇ ଆନନ୍ଦପୁର ଚାଲାଣ ହେଉଥିବା ବନବିଭାଗ ଖବର ପାଇଥିଲା। ରେଞ୍ଜର୍ ପ୍ରଭାତ କୁମାର କୁଅଁର, ଫରେଷ୍ଟର୍ ଯତୀନ୍ଦ୍ର କୁମାର ସାହୁ ଓ ବନ ବିଭାଗର ୪/୫ଜଣ କର୍ମଚାରୀ ଦୁଇଟି ଗାଡ଼ିରେ ବାହାରି ଦୁଇଟି ଜାଗାରେ ଛକି ରହିଥିଲେ। ରାତି ୯ଟାବେଳେ ଗୋଟିଏ ଧଳା ରଙ୍ଗର ବୋଲେରୋରେ କାଠଚାଲାଣ ହେଉଥିବା ଦେଖି ରେଞ୍ଜର୍ ତା’ର ପିଛା କରିଥିଲେ। କାଠ ବୋଝେଇ ଗାଡ଼ିକୁ ପୋଇଜାମୁଳା ନିକଟରେ ବନ ବିଭାଗ କର୍ମଚାରୀମାନେ ଅଟକାଇବା ବେଳେ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ମାଫିଆମାନେ ଗାଡ଼ି ଛାଡ଼ି ଦୌଡ଼ି ପଳାଇଥିଲେ। ତେବେ, ବନ କର୍ମଚାରୀମାନେ ଉକ୍ତ ଗାଡ଼ିକୁ ଜବତକରି ଘଟଗାଁସ୍ଥିତ ରେଞ୍ଜ ଅଫିସକୁ ଆସୁଥିବା ବେଳେ ବାଲିଯୋଡ଼ି ନିକଟରେ ୪/୫ଟି ଗାଡ଼ିରେ ୩୦ରୁ ୪୦ଜଣ କାଠ ମାଫିଆ ଖଣ୍ତା, ଭୁଜାଲି ଧରି ଗାଡ଼ି ଅଟକାଇଥିଲେ। ବନ କର୍ମଚାରୀଙ୍କୁ ନିସ୍ତୁକ ପିଟିବା ସହ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ବନ ବିଭାଗର ଗାଡ଼ି ଭାଙ୍ଗି ଦେଇଥିଲେ। ଜବତ ହୋଇଥିବା କାଠ ବୋଝେଇ ଗାଡ଼ିକୁ ଛଡ଼ାଇ ନେଇଥିଲେ।
କାଠ ମାଫିଆଙ୍କ ଆକ୍ରମଣରେ ରେଞ୍ଜର ଶ୍ରୀ କୁଅଁର, ଗାଡ଼ି ଡ୍ରାଇଭର ଲକ୍ଷ୍ମଣ ମହାନ୍ତ, ଅକ୍ଷୟ ମହାନ୍ତ, କିରାଣି ନାଏକ ଆହତ ହୋଇଛନ୍ତି। ଆହତ କର୍ମଚାରୀଙ୍କୁ ଘଟଗାଁ ଡାକ୍ତରଖାନାରେ ଚିକିତ୍ସା କରାଯିବା ପରେ ଛାଡ଼ି ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/clash-3.jpg)