ଠାକୁରମୁଣ୍ଡା : ଠାକୁରମୁଣ୍ଡା ବ୍ଲକ ଏଦେଲବେଡ଼ା ଗ୍ରାମରେ ସମ୍ବର ମାଂସ ଭାଗ କଲାବେଳେ ଶିକାରୀଙ୍କୁ ଗିରଫ କରିବାକୁ ଯାଇ ପ୍ରାଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି ବଣ୍ୟପ୍ରାଣୀ ବନ କର୍ମଚାରୀ। ଏଥିରେ ରେଞ୍ଜରଙ୍କ ସମେତ ୩ ଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି।
ସୂଚନା ମୁତାବକ, ସୋମବାର ଏଦେଲବେଡ଼ା ବୁରୁସାହି ଗ୍ରାମର କିଛି ଲୋକ ସମ୍ବର ଶିକାର କରି ସନ୍ଧ୍ୟାରେ ମାଂସ ଭାଗବଣ୍ଟା କରୁଥିବାବେଳେ କେନ୍ଦୁମୁଣ୍ଡି ରେଞ୍ଜର ଦୁର୍ଗାଚରଣ ବାସ୍କେ ଓ କର୍ମଚାରୀ ସେଠାରେ ଅତର୍କିତ ଚଢ଼ଉ କରିଥିଲେ। ଫଳରେ ଶିକାରୀଙ୍କ ସମେତ ପାଖାପାଖି ୩୦ରୁ ୪୦ ଗ୍ରାମବାସୀ ଏକାଠି ହୋଇ ବନ କର୍ମଚାରୀଙ୍କୁ ଅଟକ ରଖିବା ସହ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏଥିରେ କେନ୍ଦୁମୁଣ୍ଡି ରେଞ୍ଜ ଅଧିକାରୀ ଦୁର୍ଗାଚରଣ ବାସ୍କେଙ୍କ ମୁଣ୍ଡ ଫାଟିଯିବା ସହ ଟିପିଏଫ୍ କର୍ମଚାରୀ ବାଜୁନ ମାଝୀ, ଠାକୁରମୁଣ୍ଡା ବନାଞ୍ଚଳ ଅଧିକାରୀ ଗୋବିନ୍ଦ ବେଶ୍ରା, ଫରେଷ୍ଟର ହୃଷୀକେଶ ବାରିକ ଗୁରୁତର ଆହତ ହୋଇଥିଲେ। ଚଢ଼ଉରେ ୨୦ ଜଣ ବନ କର୍ମଚାରୀ ସାମିଲ ହୋଇଥିବା ବେଳେ ୪ ଜଣ ଏବେ ବି ନିଖୋଜ ଥିବା ଜଣାପଡ଼ିଛି।
ଖବର ପାଇ ଠାକୁରମୁଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ରେଞ୍ଜର ଦୁର୍ଗାଚରଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର ପାଇଁ ପ୍ରସ୍ତୁତି ଚାଲିଛି। ଅନ୍ୟ ଆହତଙ୍କୁ କରଞ୍ଜିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସନ୍ଧ୍ୟା ୭ଟା ବେଳେ ବନ କର୍ମଚାରୀଙ୍କୁ ଆକ୍ରମଣ ହୋଇଥିବାବେଳେ ପୁଲିସ ସେମାନଙ୍କୁ ଉଦ୍ଧାର କରିବା ବେଳକୁ ରାତି ୧୦ଟା ହୋଇ ଯାଇଥିଲା।