ସ୍ତ୍ରୀର ମାନ୍ୟତା ଦାବି କରିବାରୁ ସଂଘବଦ୍ଧ ଆକ୍ରମଣ : ଯୁବତୀଙ୍କୁ ପିଟିପିଟି କେନାଲକୁ ଫିଙ୍ଗିଦେଲେ

ମାହାଙ୍ଗା : ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିବା, ଅନ୍ତଃସତ୍ତ୍ବା ପ୍ରେମିକାଙ୍କ ଗର୍ଭପାତ କରାଇବା ଏବଂ ବିବାହ ପାଇଁ ଜିଦ ଧରିବାରୁ ପ୍ରାଣାନ୍ତକ ଆକ୍ରମଣ କରି ତାଙ୍କୁ ଅଚେତ ଅବସ୍ଥାରେ କେନାଲରେ ଫିଙ୍ଗି ଦେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି ମାହାଙ୍ଗା ଅଞ୍ଚଳରେ। ଯୁବତୀଙ୍କୁ ଗ୍ରାମବାସୀ କେନାଲ ପାଣିରୁ ଉଦ୍ଧାର କରିବାରୁ ତାଙ୍କ ଜୀବନ ବଂଚିଯାଇଛି। ‌ହେଲେ ନ୍ୟାୟ ପାଇଁ ଦୀର୍ଘ ୧୨ ଘଣ୍ଟା କେନାଲ ପୋଲ ଉପରେ ବସି ରହିଥିଲେ ବି ପୁଲିସ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଘଟଣା ସାଧାରଣରେ ପ୍ରତିକ୍ରିୟା ସୃଷ୍ଟି କରିଛି। ମାହାଙ୍ଗା ଥାନା ଭଦ୍ରେଶ୍ବର ଫାଣ୍ଡି ଅଧୀନ ଇଟାମୁଣ୍ଡଳୀ ଗ୍ରାମରେ ଏହି ଭଳି ଏକ ଘଟଣା ଘଟିଛି।

ଅଭିଯୋଗ ମୁତାବକ, ଲକ୍ଷ୍ମୀନାରାୟଣପୁର ଗ୍ରାମର ଜଣେ ଯୁବତୀ ଓ ଇଟାମୁଣ୍ଡଳୀ ଗ୍ରାମର ଟୁନ ମଲିକଙ୍କ ପୁଅ ଅଲେଖଙ୍କ ମଧ୍ୟରେ ୫ବର୍ଷ ହେବ ପ୍ରେମ ସମ୍ପର୍କ ରହିଥିଲା। ଅଲେଖ ସେହି ଯୁବତୀଙ୍କ ସହ ଶାରୀରିକ ସଂପର୍କ ରଖି ଆସୁଥିଲେ। ଏଭଳି ସ୍ଥିତିରେ ଯୁବତୀ ଜଣକ ଜିଦ୍‌ କରିବାରୁ ଅଲେଖ ତାଙ୍କୁ ନେଇ ନିଜ ଘରେ ଦେଢ଼ ମାସ ରଖିଥିଲେ। କିନ୍ତୁ ବଡ଼ଭାଇ ବିବାହ କରି ନ ଥିବା ବାହାନା କରି ପରେ ତାଙ୍କ ଘରକୁ ପଠାଇ ଦେଇଥିଲେ। ଏହା ପରେ ଯୁବତୀ ଅନ୍ତଃସତ୍ତ୍ବା ହେବାରୁ ଅଲେଖ ଔଷଧ ଦେଇ ତାଙ୍କର ଗର୍ଭପାତ କରାଇଥିଲେ। ଏସବୁ ଘଟଣା ପରେ ଗତକାଲି ରାତିରେ ଯୁବତୀ ଜଣକ ସ୍ତ୍ରୀର ମାନ୍ୟତା ଦାବି କରି ଅଲେଖଙ୍କ ଘରକୁ ଆସି ସେଠାରେ ବସି ରହିଥିଲେ। କିନ୍ତୁ ଅଲେଖଙ୍କ ପରିବାର ଲୋକ ସଂଘବଦ୍ଧ ଭାବେ ଯୁବତୀଙ୍କୁ ମାଡ଼ ମାରି ଅଚେତ କରିବା ସହ ଘର ନିକଟ କେନାଲ ପାଣିରେ ଫୋପାଡ଼ି ଦେଇଥିଲେ। କେନାଲକୁ ଆସିଥିବା କିଛି ସ୍ଥାନୀୟ ଯୁବକ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ଏହାପରେ ଯୁବତୀ ନ୍ୟାୟ ପାଇଁ କେନାଲ ପୋଲ ଉପରେ ରାତିତମାମ ବସି ରହିଥିଲେ। ଖବର ପାଇ ପୁଲିସ ସେଠାରେ ପହଞ୍ଚି ଥିଲେ ମଧ୍ୟ ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ଯୁବତୀଙ୍କୁ ଘରକୁ ଫେରିଯିବାକୁ କହି ସେଠାରୁ ଚାଲି ଯାଇଥିବା ଅଭିଯାଗ ହୋଇଛି। ପୀଡ଼ିତାଙ୍କୁ ସୁରକ୍ଷା ଦେବା ବଦଳରେ ଦୋଷୀଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରିବା ଘଟଣାକୁ ଗ୍ରାମବାସୀ ନିନ୍ଦା କରିଛନ୍ତି। ଆଜି ଅଭିଯୋଗ ପାଇବା ପରେ ପୁଲିସ ପୀଡ଼ିତା ଯୁବତୀଙ୍କ ଡାକ୍ତରୀ ପରୀକ୍ଷା କରିବା ସହ ଏକ ମାମଲା (କେସ ନଂ-୧୯୬/୨୦) ରୁଜୁ କରି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର