ରେଭେନ୍ସା ବିଶ୍ବବିଦ୍ୟାଳୟରେ ଜଣେ କନିଷ୍ଠ ଛାତ୍ରୀଙ୍କୁ ମାଡ଼

ଭିସୁଟ୍‌ରେ ପୁଣି ର‍୍ୟାଗିଂ

କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟରେ ଜଣେ କନିଷ୍ଠ ଛାତ୍ରୀଙ୍କୁ ମାଡ଼ ମରାଯାଇଛି। ଏ ନେଇ ସମ୍ପୃକ୍ତ ଛାତ୍ରୀଙ୍କ ଅଭିଯୋଗ ପରେ ବିଶ୍ବବିଦ୍ୟାଳୟର ର‍୍ୟାଗିଂ ସେଲ୍ ଓ ଜେଣ୍ଡର ସେନ୍‌ସିଟାଇଜେସନ୍‌ କମିଟି ଅଫ୍ ସେକ୍ସୁଆଲ ହାରସ୍‌ମେଣ୍ଟ (ଜିଏସ୍‌କ୍ୟାସ୍‌) ଘଟଣାର ତଦନ୍ତ କରୁଛି।

ଉଦ୍ଭିଦ ବିଜ୍ଞାନ ବିଭାଗରେ ପଢ଼ୁଥିବା ଛାତ୍ରୀଙ୍କୁ ବିଶ୍ବବିଦ୍ୟାଳୟର ବାୟୋଟେକ୍ନୋଲୋଜିର ଜଣେ ପିଜି ପ୍ରଥମ ବର୍ଷର ଛାତ୍ର ବାରମ୍ବାର ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଛନ୍ତି। ଅଭିଯୋଗ ଅନୁଯାୟୀ, ଛାତ୍ରୀଙ୍କୁ ବାରମ୍ବାର ପ୍ରେମ ନିବେଦନ କରି ବିଫଳ ହେବା ପରେ ସଂପୃକ୍ତ ଛାତ୍ର ତାଙ୍କୁ ମାଡ ମାରିଛନ୍ତି। ବିଭିନ୍ନ ସମୟରେ ଫୋନ୍‌ରେ ଗାଲିଗୁଲଜ କରୁଛନ୍ତି। ଏଥିସହିତ, ଛାତ୍ରୀ ଓ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା ଧମକ ଦେଇଛନ୍ତି। ଏ ସଂପର୍କରେ ଛାତ୍ରୀ ଜଣକ ରେଭେନ୍ସା କର୍ତ୍ତୃପକ୍ଷ, ୟୁଜିସି ଓ ପୁଲିସ ନିକଟରେ ମଧ୍ୟ ଅଭିଯୋଗ କରିଛନ୍ତି। ୧୦ ଦିନ ତଳେ ଏହି ଘଟଣା ଘଟିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ବିଳମ୍ବ ହୋଇଥିବା ଦେଖିବାକୁ ମିଳିଛି। ତେବେ, ଅଭିଯୋଗର ସତ୍ୟାସତ୍ୟ ଅନୁଧ୍ୟାନ ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବ ବୋଲି ଜିଏସ୍‌କ୍ୟାସ୍‌ ଅଧ୍ୟକ୍ଷା ଡକ୍ଟର ସ୍ମୃତିପ୍ରଭା ଦାସ କହିଛନ୍ତି।

ଭିସୁଟ୍‌ରେ ର‍୍ୟାଗିଂ
ସମ୍ବଲପୁର : ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ୍‌)ରେ ପୁଣିଥରେ ‌ର‍୍ୟାଗିଂ ଘଟଣା ସାମ୍‌ନାକୁ ଆସିଛି। ବୁଧବାର ଜଣେ ପ୍ରଥମ ବର୍ଷ ଛାତ୍ରଙ୍କୁ ଦ୍ବିତୀୟ ଓ ତୃତୀୟ ବର୍ଷର ଛାତ୍ରମାନେ ମାଡ଼ ମାରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାରେ ଦଳେ ସିନିୟର ଛାତ୍ର ‌ସଂପୃକ୍ତ ଛାତ୍ରଙ୍କୁ ଗୋଡ଼ାଇ ଗୋଡ଼ାଇ ହଷ୍ଟେଲ ପର୍ଯ୍ୟନ୍ତ ଆଣିବା, ଗାଳିଗୁଲଜ କରିବା ଏବଂ ମାଡ଼ ମାରିବାର ଏକାଧିକ ଭିଡିଓ ଓ ଅଡିଓ ଭାଇରାଲ୍ ହୋଇଛି।

ଉକ୍ତ ଛାତ୍ର ଜଣକ ଏକ ଭିଡିଓ ବାର୍ତ୍ତାରେ ମଧ୍ୟ ତାଙ୍କୁ ଓ ତାଙ୍କ ସାଥୀ ପ୍ରଥମ ବର୍ଷ ଛାତ୍ରମାନଙ୍କୁ ବରିଷ୍ଠ ଛାତ୍ରମାନେ ଦଳବଦ୍ଧ ହୋଇ ମାଡ଼ ମାରିବା ଅଭିଯୋଗ କରିଛନ୍ତି। ୨୫-୩୦ ଜଣ ଛାତ୍ର ଆକ୍ରମଣ କରିଥିଲେ ବି ସେ ଚିହ୍ନିଥିବା ୭-୮ ଜଣ ଦ୍ବିତୀୟ ଓ ତୃତୀୟ ବର୍ଷ ଛାତ୍ରଙ୍କ ନାମ ଭିଡିଓରେ ପ୍ରକାଶ କରିଛନ୍ତି। ବରିଷ୍ଠ ଛାତ୍ରଙ୍କ ଏଭଳି ଉଗ୍ର ବ୍ୟବହାର ଅନୁଷ୍ଠାନର ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଚିନ୍ତାରେ ପକାଇଛି। ଅପରପକ୍ଷରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ଘଟଣାକୁ ଚପାଇବା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର