ଏକତରଫା ପ୍ରେମର କରୁଣ ପରିଣତି : ବିବାହିତ ଯୁବକଙ୍କ ଭୁଜାଲି ମାଡ଼ରେ ଯୁବତୀ ଗୁରୁତର

ସମ୍ବଲପୁର : ଏକତରଫା ପ୍ରେମର କରୁଣ ପରିଣତି। ବିବାହିତ ଯୁବକଙ୍କ ପ୍ରେମ ନିବେଦନ ଗ୍ରହଣ ନକରିବାରୁ ଉତ୍ତ୍ୟକ୍ତ ହୋଇ ସେ ଯୁବତୀଙ୍କୁ ଦୁର୍ବ୍ୟବହାର କରିବା ସହ ମୁହଁରେ ଭୁଜାଲି ଭର୍ତ୍ତି କରିଦେଲା। ଏଭଳି ଲୋମ ହର୍ଷଣକାରୀ ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ଟାଉନ୍‌ ଥାନା ଦେଉଳବନ୍ଧ ଅଞ୍ଚଳରେ। ଯୁବତୀଜଣଙ୍କ ଏବେ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସମୟରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେପଟେ, ଅଭିଯୋଗ ପରେ ଟାଉନ୍‌ ଥାନା ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଆକ୍ରମଣରେ ବ୍ୟବହୃତ ଭୁଜାଲିକୁ ଟାଉନ୍‌ ଥାନା ପୁଲିସ୍‌ ଜବତ କରିଛି ଓ ଆକ୍ରମଣକାରୀ ଯୁବକ ଚେରୁଆପଡ଼ାର ମନୋଜ ଶର୍ମା(୩୦)କୁ ଅଟକ ରଖିଛି।

ମିଳିଥିବା ସୂଚନା ଅନୁସାରେ, ସୁନ୍ଦରଗଡ଼ ବଣାଇ ଅଞ୍ଚଳର ଜଣେ ଯୁବତୀ(୨୨) ସମ୍ବଲପୁର ଜିଲ୍ଲା ଟାଉନ୍‌ ଥାନା ଗୋପାଳମାଲ ଅଞ୍ଚଳରେ ରହି ଏକ ସ୍ଥାନୀୟ କଲେଜରେ ପାଠ ପଢ଼ୁଥିଲେ। ଚେରୁଆପଡ଼ାର ମନୋଜ ତାଙ୍କୁ ଦୀର୍ଘ ଦିନ ହେବ ପ୍ରେମ ନିବେଦନ କରିଆସୁଥିଲା। କିନ୍ତୁ ଏହି ପ୍ରସ୍ତାବକୁ ଯୁବତୀ ଜଣଙ୍କ ଅଗ୍ରାହ୍ୟ କରିଆସୁଥିଲେ। ତେବେ ବୁଧବାର ଅପରାହ୍ଣ ପ୍ରାୟ ସାଢ଼େ ୪ଟା ସମୟରେ ଦେଉଳବନ୍ଧ ଅଞ୍ଚଳକୁ ଯୁବତୀ ଜଣଙ୍କ କୌଣସି କାମରେ ଯାଇଥିବା ସମୟରେ ମନୋଜଙ୍କ ସହ ମୁହାଁମୁହିଁ ହୋଇଥିଲେ। ପୁଣିଥରେ ଯୁବତୀ ଜଣଙ୍କ ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରିବାରୁ ଏଥିରେ ଉତ୍ତ୍ୟକ୍ତ ହୋଇ ମନୋଜ ଯୁବତୀଙ୍କ ସହ ଦୁର୍ବ୍ୟବହାର କରିଥିଲା। ପରେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଏକ ଭୁଜାଲିକୁ ଯୁବତୀଙ୍କ ମୁହଁରେ ପୂରାଇ ଦେଇଥିଲା। ଭୂଜାଲିଟି ଯୁବତୀଙ୍କ ମୁହଁରେ ପଶି ବେକ ପଟରୁ ବାହାରି ଯାଇଥିବାରୁ ରକ୍ତସ୍ରାବ ବନ୍ଦ ହେଉନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର