ତଥାପି ଚେତୁ ନାହାନ୍ତି, ଦିନକୁ ଦିନ ‌ବଢୁଛି ହବିଷ୍ୟାଳୀଙ୍କ ଉପରେ ଆକ୍ରମଣ

ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବେଳେ ହବିଷ୍ୟାଳୀଙ୍କୁ ସେବାୟତ ମାଡ଼ ମାରିବା ଘଟଣାକୁ ୩୬ ଘଣ୍ଟା ବିତିଥିଲେ ବି ସମ୍ପୃକ୍ତ ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇନି। ସେହିପରି ହିବିଷ୍ୟାଳୀ ଶିବିର ବୃନ୍ଦାବତୀ ନିବାସରେ ନିଜ ଚିହ୍ନା ପରିଚିତଙ୍କୁ ରଖିବା ପାଇଁ ସେଠାରେ ରହୁଥିବା ହବିଷ୍ୟାଳୀଙ୍କୁ ଜୋର ଜବରଦସ୍ତ କାଢ଼ିଦେବା ଘଟଣାକୁ ମଧ୍ୟ ୩୬ ଘଣ୍ଟା ପୂରିଲାଣି। ସେ ଦିଗରେ ମଧ୍ୟ ପ୍ରଶାସନ ଚୁପ୍‌ ବସିଛି। ବରଂ ଆଜି ଏହି ଘଟଣାର ପୁନରାବୃତ୍ତି ଘଟିଛି। ପୂର୍ବରୁ ଶ୍ରୀମନ୍ଦିରେ ଭକ୍ତଙ୍କୁ ଦୁର୍ବ୍ୟବହାର ନେଇ ଦେଶର ସର୍ବୋଚ୍ଚ ଅଦାଲତ ଅସନ୍ତୋଷ ପ୍ରକାଶ କରିବା ସହ ଶ୍ରୀମନ୍ଦିର ସଂସ୍କାର ପାଇଁ ନିର୍ଦ୍ଦେଶ ଦେଇସାରିଛନ୍ତି। ଏହା ସତ୍ତ୍ବେ ସେବାୟତ କି ପ୍ରଶାସନ ଏହାକୁ କେହି ଗୁରୁତ୍ବ ଦେଉନାହାନ୍ତି।

ଏହାକୁ ନେଇ ଆଜି ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଛି। ବିଭିନ୍ନ ମହଲରୁ ଏହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ, ବୁଦ୍ଧିଜୀବୀମାନେ ଏଭଳି ଉନ୍ମତ୍ତକାଣ୍ଡ ଘଟାଇଥିବା ସେବାୟତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଇତିମଧ୍ୟରେ ଆଜି ଆଉ ଜଣେ ହବିଷ୍ୟାଳୀଙ୍କୁ ଶ୍ରୀମନ୍ଦିର ଭିତରେ ଜଣେ ସେବାୟତ ଓ ଜଣେ ଜେଟିପି ସେହି ‘ମାଗଣା ଖିଆ’ କହି ମାଡ଼ ମାରିଛନ୍ତି। ଦିନକୁ ଦିନ ‌ ହବିଷ୍ୟାଳୀଙ୍କ ଉପରେ ଆକ୍ରମଣ ବଢ଼ୁଥିବା ବେଳେ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମା ଏହାକୁ ବେଶ୍‌ ହାଲୁକା ଭାବେ ନେଇଛନ୍ତି। ମାଡ଼ ଖାଇଥିବା ହବିଷ୍ୟାଳୀ ଏନେଇ ଅଭିଯୋଗ କରିନଥିବାରୁ ସେବାୟତଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ବୋଲି ଜିଲ୍ଲାପାଳ ଶ୍ରୀ ବର୍ମା କହିଛନ୍ତି।

ସୂଚନାଯୋଗ୍ୟ ଯେ ପୂର୍ବରୁ ହବିଷ୍ୟାଳୀମାନେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ମଠ, ମନ୍ଦିରରେ ରହି ସକାଳେ, ସଂଧ୍ୟାରେ ଭଜନକୀର୍ତ୍ତନ କରୁଥିଲେ। ଯେହେତୁ ଶ୍ରୀମନ୍ଦିର ପାଖରେ ମଠ, ମନ୍ଦିର ରହୁଥିଲା, ସେ ଦୃଷ୍ଟିରୁ ହବିଷ୍ୟାଳୀମାନେ ମହାପ୍ରଭୁଙ୍କ ଦର୍ଶନ ବି ସୁବିଧାରେ କରି ପାରୁଥିଲେ। ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୭୫ ଉଚ୍ଛେଦ ପରେ ମନ୍ଦିର ଚାରିପଟେ ଥିବା ମଠ, ମନ୍ଦିର ସବୁ ଭାଙ୍ଗି ଦିଆଗଲା। ହବିଷ୍ୟାଳୀମାନେ ମଠ, ମନ୍ଦିରରେ ରହିବାର ସୁ ଯୋଗ ହରାଇଲେ। ଏବେ ସରକାର ହବିଷ୍ୟାଳୀଙ୍କ ପାଇଁ ମାଗଣାରେ ରହିବା, ଖାଇବା, ଦର୍ଶନ ଆଦି ବ୍ୟବସ୍ଥା କରିବାକୁ ହବିଷ୍ୟାଳୀ କାର୍ତ୍ତିକ ବ୍ରତ ଯୋଜନ ଆରମ୍ଭ କରିଛନ୍ତି। ହେଲେ ଜିଲ୍ଲା ପ୍ରଶାସନ ଏହି ଯୋଜନାକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରିପାରୁନି। ଯେଉଁଥିପାଇଁ ହବିଷ୍ୟାଳୀମାନେ ହିନସ୍ତା ହେଉଛନ୍ତି। ଦର୍ଶନ ବେଳେ ସେବାୟତଙ୍କଠାରୁ ମାଡ଼ ଖାଉଛନ୍ତି।

ଏ ସଂପର୍କରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର କହିଛନ୍ତି, ଶ୍ରୀମନ୍ଦିର ଭିତରେ ହବିଷ୍ୟାଳୀଙ୍କୁ ମାଡ଼ ନିନ୍ଦନୀୟ। ଯେଉଁ ସେବାୟତ ଏଥିରେ ସମ୍ପୃକ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ପ୍ରଶାସନ ଶ୍ରୀମନ୍ଦିର ସିସିଟିଭି ଯାଞ୍ଚ କରି ସମ୍ପୃକ୍ତ ସେବାୟତଙ୍କୁ ତୁରନ୍ତ ଚିହ୍ନଟ କରୁ। ହବିଷ୍ୟାଳୀଙ୍କ ରହଣି ସମ୍ପର୍କରେ ଶ୍ରୀ ମହାପାତ୍ର କହିଛନ୍ତି, ବୃନ୍ଦାବତୀ ନିବାସରେ ରହିବାକୁ ସମସ୍ତଙ୍କର ଆଗ୍ରହ ରହିଛି। କାରଣ ବୃନ୍ଦାବତୀ ନିବାସରେ ଯେଉଁ ସୁବିଧା ରହିଛି, ତାହା ଅନ୍ୟ ଶିବିରରେ ନାହିଁ। ଯେଉଁଥିପାଇଁ ପାତରଅନ୍ତରର ପ୍ରଶ୍ନ ଉଠୁଛି। ଏଣୁ ବୃନ୍ଦାବତୀ ନିବାସ ଭଳି ଅନ୍ୟ ଏକ ନିବାସ ହେବା ଜରୁରୀ। ଏଥିପାଇଁ ମଙ୍ଗଳାଘାଟଠାରେ ପ୍ରାୟ ୧୫ଶହ ହବିଷ୍ୟାଳୀ ରହିବା ପାଇଁ ଏକ ହବିଷ୍ୟାଳୀ ଶିବିର ନିର୍ମାଣର ଯୋଜନା କରାଯାଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ବରିଷ୍ଠ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କହିଛନ୍ତି, ହବିଷ୍ୟାଳୀ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ମଠ, ମନ୍ଦିରରେ ରହି ଯେଉଁ ଆନନ୍ଦ ପାଉଥିଲେ, ତାହା ଆଉ ଦେଖିବାକୁ ମିଳୁନି। ଏବେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ମଠ, ମନ୍ଦିରକୁ ଭାଙ୍ଗି ଚତୁଃପାର୍ଶ୍ବ ସୌନ୍ଦର୍ଯ୍ୟୀକରଣ କାମ ଚାଲିଛି। ଏଭଳି ସ୍ଥିତିରେ ମଠ, ମନ୍ଦିରରେ ପୁଣି ହବିଷ୍ୟାଳୀ ଆସି ରହିବା କଥା ଭାବିବା ଏକ ଉଦ୍ଭଟ ଚିନ୍ତାଧାରା ହେବ। ଶ୍ରୀମନ୍ଦିର ଚତୁଃପାର୍ଶ୍ବ ବିକାଶ କାର୍ଯ୍ୟ ଆଗ ପୂର୍ଣ୍ଣରୂପ ନେଉ। ତେବେ ହବିଷ୍ୟାଳୀଙ୍କୁ ସେବାୟତଙ୍କ ଚାପୁଡ଼ା ମାରିବା ଆଦୌ ଗ୍ରହଣୀୟ ନୁହେଁ। ଏହା ଶ୍ରୀମନ୍ଦିର ପ୍ରଶାସନର ଅବହେଳା। ଏ ଦିଗରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଫଳରେ ଭବିଷ୍ୟତରେ ଏଭଳି କେହି ବି କରିବାକୁ ଦୁଃସାହସ କରିବେନି।

ଶ୍ରୀଜଗନ୍ନାଥ ଭକ୍ତ ପରିଷଦ ଆବାହକ ସୂର୍ଯ୍ୟନାରାୟଣ ରଥ କହିଛନ୍ତି, ହବିଷ୍ୟାଳୀଙ୍କୁ ସେବାୟତଙ୍କ ମାଡ଼ ଅତ୍ୟନ୍ତ ନିନ୍ଦନୀୟ, ଦୁଃଖଦ ଘଟଣା। ଏହା ସରକାରଙ୍କର ଭୁଲ। ସରକାର ଯେହେତୁ ସେବାୟତଙ୍କୁ ଗେହ୍ଲାପୁଅ କରି ରଖିଛନ୍ତି, ବାରମ୍ବାର ଭୁଲ ପରେ କାର୍ଯ୍ୟାନୁଷ୍ଠାନ ବଦଳରେ ଘଣ୍ଟ ଘୋଡ଼ାଇ ରଖୁଛନ୍ତି, ତାର ପରିଣାମ ଆଜି ଦେଖିବାକୁ ମିଳିଛି। ପ୍ରଶାସନ ବି ଏ ଦିଗରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଉନି। ଆଜି ସାମାନ୍ୟ ମୋବାଇଲ୍‌ କଟକଣା କାର୍ଯ୍ୟକାରୀ ହୋଇପାରୁନି। ଫଳରେ ସେବାୟତଙ୍କ ‌‌ଔଦ୍ଧତ୍ୟ ବଢ଼ିଚାଲିଛି। ସରକାର କାର୍ଯ୍ୟାନୁଷ୍ଠାନ ବଦଳରେ ସେବାୟତଙ୍କ ସହ ସାଲିସ୍‌ କରିଛନ୍ତି। ହବିଷ୍ୟାଳୀଙ୍କୁ ମାଡ଼ ଘଟଣାରେ ପ୍ରଶାସନ କ’ଣ କାର୍ଯ୍ୟାନୁଷ୍ଠାନ ନେଉଛି ତାକୁ ଅପେକ୍ଷା। ଘର ଛାଡ଼ି ଦୂରଦୂରାନ୍ତରରୁ ଆସିଥିବା ହବିଷ୍ୟାଳୀମାନଙ୍କୁ ଯଦି ଏପରି ଅସହାୟ ଭାବେ ଛାଡ଼ି ଦିଆଯିବ, ତାଙ୍କୁ କିଏ ସାହାଯ୍ୟ, ସୁରକ୍ଷା ଦେବ ବୋଲି ଶ୍ରୀ ରଥ କହିଛନ୍ତି।

ସୂଚନାଯୋଗ୍ୟ ଯେ ବୃନ୍ଦାବତୀ ନିବାସ ଉଦ୍‌ଘାଟନ ଦିନ ମୁଖ୍ୟମନ୍ତ୍ରୀ ହବିଷ୍ୟାଳୀଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବରାକୁ ନିର୍ଦ୍ଦେଶ ଦେଇଥିଲେ। କେବଳ ସେତିକି ନୁହେଁ, ଶୀତ ଦିନ ପାଇଁ ସବୁ ହବିଷ୍ୟାଳୀଙ୍କୁ ସାଲ୍‌ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟରେ ଖୁସି ହୋଇ ହବିଷ୍ୟାଳୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିଥିଲେ। ହେଲେ ତଳସ୍ତରରେ ସରକାରଙ୍କ ହବିଷ୍ୟାଳୀ ଯୋଜନାକୁ କାର୍ଯ୍ୟକାରୀ କରୁଥିବା ଅଧିକାରୀଙ୍କ ଉଦାସନୀତା ଓ ପ୍ରଶାସନର ସେବାୟତ ପ୍ରୀତି ପାଇଁ ସରକାରଙ୍କ ଏହି ମହତ ଯୋଜନାକୁ ଆରମ୍ଭରୁ ଝଟ୍‌କା ଲାଗିଛି।

ସମ୍ବନ୍ଧିତ ଖବର