ଅଶାନ୍ତ ବାଲିଆପାଳ : ଆଇଆଇସିଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ

ଢାବା ଭିତରୁ ନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା କରି ଆତ୍ମହତ୍ୟା ରୂପ ଦେବାକୁ ଉଦ୍ୟମ, କଟାଯାଇଛି ଗୁପ୍ତାଙ୍ଗ, ରାସ୍ତା ଅବରୋଧ, ଢାବା ଓ ମାଲିକଙ୍କ ଘର ଭଙ୍ଗାରୁଜା, ପୋଡ଼ି, ୧୪୪ ଧାରା ଜାରି, ତଦନ୍ତ କଲେ ଏସ୍‌ପି

ବାଲିଆପାଳ : ବାଲିଆପାଳ ଥାନା ଅଞ୍ଚଳରେ ଆଜି ଏକ ଢାବାରେ ଜଣେ ନାବାଳକର ସନ୍ଦେହଜନକ ମୃତ୍ୟୁକୁ କେନ୍ଦ୍ରକରି ସ୍ଥାନୀୟ ଲୋକେ ତୁମୁଳକାଣ୍ଡ ଭିଆଇଛନ୍ତି। ଲୋକେ ସ୍ଥାନୀୟ ଆଇଆଇସିଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି। ଅଭିଯୁକ୍ତକୁ ଗିରଫ ଦାବିରେ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ ମଧ୍ୟ କରିଛନ୍ତି। ଘଟଣାସ୍ଥଳରେ ପୁଲିସର ଉଚ୍ଚାଧିକାରୀ ପୁଲିସ ଫୋର୍ସ ସହ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ। ତେବେ ନାବାଳକର ମୃତଦେହ ଉଦ୍ଧାର ପରେ ଗୁପ୍ତାଙ୍ଗ କଟା ହୋଇଥିବା ଦେଖିବାକୁ ମିଳିଥିଲା। ଏହି ଖବର ପ୍ରଚାରିତ ହେବାପରେ ପୁଣି ସଂଧ୍ୟାରେ ଉତ୍ତ୍ୟକ୍ତ ଲୋକମାନେ ଢାବା ମାଲିକର ଘର ଓ ଆସବାବପତ୍ରକୁ ଜାଳି ଦେଇଥି‌େଲ। ଉତ୍ତ୍ୟକ୍ତ ଲୋକେ ଆଉକିଛି ଅଘଟଣ ଘଟାଇବା ପୂର୍ବରୁ ପୁଲିସ ସେମାନଙ୍କୁ ଘଉଡ଼ାଇ ଦେଇଥିଲା। ଉତ୍ତେଜନା ଲାଗି ରହିଥିବାରୁ ଘଟଣାସ୍ଥଳରେ ପୁଲିସ ଫୋର୍ସ ମୁତୟନ କରାଯିବା ସହ ୧୪୪ଧାରା ଜାରି କରାଯାଇଛି।

ସୂଚନା ମୂତାବକ; ବାଲିଆପାଳ ଥାନାଠାରୁ ଏକ କିମି ଦୂର ଇଡ୍‌କୋ ଛକ ନିକଟରେ ରହିଛି ରାଜଧାନୀ ଢାବା। ଆଜି ସକାଳେ ଢାବାରେ କାର୍ଯ୍ୟ କରୁଥିବା କମର୍ଦ୍ଦା ଥାନା ଉଲୁଡ଼ା ଗ୍ରାମର ଦେବେନ୍ଦ୍ର ଦଳାଇଙ୍କ ନାବାଳକ ପୁଅ ବିଜୟ(୧୬)ଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ବିକ ପରିସ୍ଥିତିରୁ ବିଜୟକୁ ମାରି ଟାଙ୍ଗି ଦିଆଯାଇଥିବା ସନ୍ଦେହ କରିଥିଲେ। ଖବର ପାଇ ବାଲିଆପାଳ ଥାନା ଆଇଆଇସି ପ୍ରଭୁକଲ୍ୟାଣ ଆଚାର୍ଯ୍ୟ ସକାଳ ୭ଟା ସମୟରେ ସାଦା ପୋଷାକରେ ସେଠାରେ ପହଞ୍ଚିଥିଲେ ମଧ୍ୟ ଘଟଣାକୁ ହାଲୁକା ଭାବରେ ନେଇଥିଲେ। ସେ‌େତବେଳେ ଢାବାର ଅନ୍ୟ କର୍ମବାରୀ ତଥା ଢାବା ମାଲିକ ଉପସ୍ଥିତ ଥିଲେ ମଧ୍ୟ ଆଇଆଇସି ଢାବା ମାଲିକ ସାହାବୁଦ୍ଦିନ ସାହାଙ୍କ ସହ କଥାବାର୍ତ୍ତା କରୁଥିବା ଲୋକେ ଦେଖିବାକୁ ପାଇଥିଲେ। ପରେ ଘଟଣାସ୍ଥଳରେ ଦୁଇଜଣ କନେଷ୍ଟବଳ ରଖି ଶ୍ରୀ ଆଚାର୍ଯ୍ୟ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଏହି ଢାବାରେ ଦୀର୍ଘଦିନ ହେଲା ନିଶା କାରବାର ସାଙ୍ଗକୁ ଅନୈତିକ କାର୍ଯ୍ୟ ଚାଲୁଥିବା ଅଭିଯୋଗ ହୋଇ ଆ‌ସୁଥିଲାବେଳେ କୌଣସି କାରଣରୁ ବିଜୟକୁ ହତ୍ୟାକରି ଟାଙ୍ଗି ଦିଆଯାଇଥିବା ଲୋକେ ଅଭିଯୋଗ କରିଥିଲେ। ତେଣୁ ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ସଂପର୍କୀୟଙ୍କ ସହ ସ୍ଥାନୀୟ ଲୋକେ ବସ୍ତା-ବାଲିଆପାଳ ମୁଖ୍ୟ ରାସ୍ତାକୁ ଟାୟାର ଜାଳି ଅବରୋଧ କରିଥିଲେ। କ୍ରମଶଃ ଲୋକଙ୍କ ଗହଳି ବଢ଼ିବା ସହ ସେଠାରେ ଉତ୍ତେଜନା ବୃଦ୍ଧି ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଢାବା ଭଙ୍ଗାରୁଜା ଆରମ୍ଭ କରିବା ସହ ଆସବାବପତ୍ର ପୋଡ଼ିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପୁଣିଥରେ ଆଇଆଇସି କିଛି ପୁଲିସ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ଭଙ୍ଗାରୁଜା କରୁଥିବା ଲୋକଙ୍କୁ ଆସବାବପତ୍ର ନ ଭାଙ୍ଗିବାକୁ ତାଗିଦ କରିଥିଲେ। ଏଥିରେ ଅସନ୍ତୋଷର ନିଆଁ ଆହୁରି ଜଳିଥିଲା। ପୁଲିସ ଢାବା ମାଲିକଠାରୁ ଟଙ୍କା ନେଇ ସେମାନଙ୍କୁ ସମର୍ଥନ କରୁଥିବା ଅଭିଯୋଗକରି ଲୋକେ ଆଇଆଇସିଙ୍କ ସହ ଯୁକ୍ତିତର୍କ ଆରମ୍ଭ କରିଥିଲେ ଏବଂ ଅଭିଯୁକ୍ତଙ୍କୁ କ’ଣ ପାଇଁ ଗିରଫ କରାଯାଇ ନାହିଁ ବୋଲି ପ୍ରଶ୍ନ କରିଥିଲେ। ଲୋକେ ଆଇଆଇସିଙ୍କ ପ୍ରତି ଆକ୍ରମଣାତ୍ମକ ହେଉଥିବା ଲକ୍ଷ୍ୟକରି ସେ ଘଟଣାସ୍ଥଳରୁ ଦୌଡ଼ି ଯାଇ ଏକ ବାଇକ୍‌ରେ ବସି ପଳାଇଯିବାକୁ ଉଦ୍ୟମ କରୁଥିବା ବେଳେ ପଛପଟୁ ଶହଶହ ପୁରୁଷ ଓ ମହିଳା ଠେଙ୍ଗାବାଡ଼ି ତଥା ଚପଲ ଧରି ଗୋଡ଼ାଇଥିଲେ। ଆଇଆଇସି ପଳାଇଯାଉଥିବା ବାଇକ୍‌କୁ ଗୋଇଁଠା ମାରି ପକାଇଦେବା ସହ ତାଙ୍କୁ ଗଡ଼ାଇତଡ଼ାଇ ମାଡ଼ ମାରିଥିଲେ। ଶ୍ରୀ ଆଚାର୍ଯ୍ୟ ତଳେ ପଡ଼ିଯାଇ ପାଣି ପାଣି ଚିତ୍କାର କରିବାରୁ ସ୍ଥାନୀୟ କିଛି ଲୋକେ ତାଙ୍କୁ ଉଦ୍ଧାର କରି ବାଲିଆପାଳ ଡାକ୍ତରଖାନାକୁ ନେଇ ଆସିଥିଲେ। ଏହାପରେ ଘଟଣାସ୍ଥଳରେ ହଜାର ହଜାର ଲୋକ ପହଞ୍ଚି ଢାବାରେ ଥିବା ସମସ୍ତ ଆସବାବପତ୍ର ଭାଙ୍ଗି ରାସ୍ତା ଉପରକୁ ଆଣି ନିଆଁ ଲଗାଇ ଦେଇଥିଲେ।

ସୂଚନ‌ା ପାଇ ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ବାଲେଶ୍ବର ଏସ୍‌ପି ବି ଯୁଗଳକିଶୋର, ବସ୍ତା ଏସ୍‌ଡିପିଓ ରଞ୍ଜିତ ପୃଷ୍ଟି, ଜଳେଶ୍ବର ଏସ୍‌ଡିପିଓ ସୁଦର୍ଶନ ଦାସ, ବସ୍ତା ଆଇଆଇସି ଧନେଶ୍ବର ସାହୁ, ସିଂଲା ଆଇଆସି ସୁବ୍ରତ ବେହେରାଙ୍କ ସମେତ ଚାରି ପ୍ଲାଟୁନ ପୁଲିସ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରତିଶ୍ରୁତି ଦେବାପରେ ଅପରାହ୍ନ ୩ଟାରେ ରାସ୍ତାରୋକ ହଟିଥିଲା। ଏହାପରେ ସ୍ଥାନୀୟ ତହସିଲଦାରଙ୍କ ଉପସ୍ଥିତିରେ ନାବାଳକର ଶବ ବାହାର କରାଯାଇ ତଦନ୍ତ କରିବାରୁ ନାବାଳକର ଗୁପ୍ତାଙ୍ଗ କାଟି ଦିଆଯାଇଥିବା ଦେଖିବାକୁ ମିଳିଥିଲା। ଏହି ଖବର ପ୍ରଚାରିତ ହେବା ପରେ ସଂଧ୍ୟାରେ ପୁଣି ଶହ ଶହ ଉତ୍ତ୍ୟକ୍ତ ଲୋକ ଢାବାମାଲିକ ସାହାବୁଦ୍ଦିନ ସାହାଙ୍କ କଚୁଆପଡ଼ା ଘରକୁ ଯାଇ ଭଙ୍ଗାରୁଜା କରିବା ସହ ଆସବାବପତ୍ରରେ ନିଆଁ ଲଗାଇ ଦେଇଥିଲେ। ସେହିପରି ଢାବାରେ ମଧ୍ୟ ଉତ୍ୟକ୍ତ ଲୋକେ ନିଆଁ ଲଗାଇଦେଇଥିଲେ। ପୁଲିସ ଉଭୟସ୍ଥାନରେ ଲୋକଙ୍କୁ ଘଉଡ଼ାଇବା ପରେ ସେଠାରେ ଫୋର୍ସ ମୁତୟନ ହୋଇଥିଲା। ଏହି ଘଟଣାରେ ମୃତ ନାବାଳକଙ୍କ ମା’ ଶାନ୍ତିଲତାଙ୍କ ଅଭିଯୋଗକ୍ରମେ ବାଲିଆପାଳ ଥାନାରେ କେସ୍‌ ନମ୍ବର ୧୪୭/୧୯ରେ ଢାବାମାଲିକ ସାହାବୁଦ୍ଦିନ ସାହା ଏବଂ ସମସ୍ତ କର୍ମଚାରୀଙ୍କ ନାମରେ ମାମାଲା ରୁଜୁ ହୋଇଛି। ପୁଲିସ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ସହ ଆଇନକୁ ହାତକୁ ନେଇଥିବା ଲୋକଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି ଯୁଗଳକିଶୋର କହିଛନ୍ତି। ଅନ୍ୟପକ୍ଷରେ ସଂଧ୍ୟାରେ ପୁଣି ଜାମକୁଣ୍ଡା ଛକରେ ସାହାବୁଦ୍ଦିନଙ୍କ ବାପା କରିଥିବା ଚୁଡ଼ିଦୋକାନକୁ ଭଙ୍ଗାରୁଜା ‌ଓ ପୋଡ଼ିବା ପାଇଁ ଉତ୍ତ୍ୟକ୍ତ ଲୋକେ ଉଦ୍ୟମ କରିଥିଲେ। ପୁଲିସ ସେମାନଙ୍କୁ ଘଉଡ଼ାଇଦେବା ସହ ସେହି ଅଞ୍ଚଳରେ ୧୪୪ ଧାରା ଜାରି କରିଥିଲା।

ସର୍ବଶେଷ ଖବର ଅନୁସାରେ ଡିଆଇଜି ଅମିତେନ୍ଦ୍ର ସିହ୍ନା ୪ ପ୍ଲାଟୁନ୍ ପୁଲିସ ଫୋର୍ସ ସହ ଘଟଣା ସ୍ଥଳରେ ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର