ବିଂଝାରପୁର : ବାତ୍ୟା ତିତଲି ବେଳେ କ୍ଷୟକ୍ଷତି ତଦନ୍ତ କରାଯାଇଥିଲା। କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ଏଯାବତ ଟଙ୍କାଟିଏ ମିଳିଲା ନାହିଁ। ଏବେ ଫନି ଯାଇଛି। କ୍ଷୟକ୍ଷତି ରିପୋର୍ଟ କରିବାକୁ ଆସିଛ। ତିତଲି କ୍ଷୟକ୍ଷତିର କ୍ଷତିପୂରଣ ନଦେଇ ଲୋକଙ୍କୁ ଭୁଆଁ ବୁଲାଉଛ। ଏମିତି କହି ଉତ୍ତ୍ୟକ୍ତ ଗ୍ରାମବାସୀ ତଦନ୍ତକାରୀ ଅଧିକାରୀଙ୍କୁ େଘରିଛନ୍ତି। ଏମିତିକି ସାଙ୍ଗରେ ଯାଇଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଗଛରେ ବାନ୍ଧି ଦେଇଥିଲେ। ଏଭଳି ଘଟଣା ଦେଖିବାକୁ ମିଳିଛି ପ୍ରୀତିପୁର ସର୍କଲ ଅଧୀନ ଉତ୍ତରକୂଳ ରାଜସ୍ବ ଗ୍ରାମର ପାଇକପଡା ଗ୍ରାମରେ। ଏନେଇ ବିଂଝାରପୁର ଥାନାରେ ଅଭିଯୋଗ ହୋଇଛି ଓ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ମିଳିଥିବା ସୂଚନା ଅନୁଯାୟୀ, ପ୍ରୀତିପୁର ସର୍କଲ ଅଧୀନ ଉତ୍ତରକୂଳ ରାଜସ୍ବ ଗ୍ରାମର ପାଇକପଡା ଗ୍ରାମରେ ଗତ ବୁଧବାର ଫନି କ୍ଷୟକ୍ଷତି ତଦନ୍ତ କରିବାକୁ ପ୍ରୀତିପୁର ଆରଆଇ ଅନୀତା ସାମାଡ ଏବଂ ତାଙ୍କର ଚତୁର୍ଥ ଶ୍ରେଣୀ କର୍ମଚାରୀ ପ୍ରମୋଦ କୁମାର ନାଥଶର୍ମା ଯାଇଥିଲେ। ଗ୍ରାମର ଅଚ୍ୟୁତ ପ୍ରଧାନଙ୍କ ସମେତ ଅନ୍ୟ କେତେକ ଆରଆଇ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ତୁରନ୍ତ ଗାଁରୁ ଫେରିଯିବାକୁ ଧମକ ଦେଇଥିଲେ। ତିତଲିରେ କରିଥିବା ତଦନ୍ତରେ ବିପନ୍ନଙ୍କୁ ଏପର୍ଯ୍ୟନ୍ତ କୌଣସି ସହାୟତା ମିଳିଲା ନାହିଁ। ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ତୁମେ ତଦନ୍ତ କରୁଛ ବୋଲି ପ୍ରଶ୍ନ କରିଥିଲେ। ଆରଆଇ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀ ଆରଆଇଙ୍କୁ ଟଣା ଓଟରା କରିବା ସହ ଗାଡିର ଚାବି ଛଡାଇ ନେଇଥିଲେ। ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଏକ ନଡିଆ ଗଛରେ ବାନ୍ଧି ଦେଇଥିଲେ। ଏହିପରି ଭାବେ ଉଭୟ କର୍ମଚାରୀଙ୍କୁ ଦୀର୍ଘ ୪ଘଣ୍ଟା ଅପମାନିତ ହେବାକୁ ପଡିଥିଲା। ପରେ ତହସିଲଦାରଙ୍କ ହସ୍ତକ୍ଷେପରେ ଅଳକୁଣ୍ଡ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଠାରୁ ମୁକୁଳାଇ ଥିଲା। ଆଜି ଏନେଇ ଆରଆଇ ଅନୀତା ସାମାଡ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶ୍ରୀ ନାଥଶର୍ମା ଅଚ୍ୟୁତ ପ୍ରଧାନଙ୍କ ସମେତ ଅନ୍ୟ ୪ଜଣଙ୍କ ନାମରେ ବିଂଝାରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ସଂପର୍କରେ ଆଇଆଇସି ଶିବ ଚରଣ ବେହେରାଙ୍କୁ ପଚାରିବାରୁ ଅଭିଯୋଗ ଆଧାରରେ ତଦନ୍ତ ଚାଲିଥିବା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/Jajpur-Photo-Binjhapur-Bandha.jpg)