ଜୟ ନାରାୟଣ ମିଶ୍ରଙ୍କ ଗାଡ଼ି ଭାଂଗିଲେ ଦୁବୃର୍ତ୍ତ

ସମ୍ବଲପୁର : ଆଜି ସନ୍ଧ୍ୟାରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ସ୍କର୍ପିଓ ଗାଡ଼ି ଭଂଗାରୁଜା କରାଯିବା ସହିତ ଦଳୀୟ କାର୍ଯ୍ୟାଳୟକୁ ଟେକାପଥର ଫିଙ୍ଗାଯାଇଥିବା ଜଣାପଡ଼ିଛି। କେଉଁମା‌ନେ ଓ କ’ଣ ପାଇଁ ଏଭଳି କାଣ୍ଡ ଭିଆଇଛନ୍ତି, ତାହା କିନ୍ତୁ ସ୍ପଷ୍ଟ ହୋଇପାରିନାହିଁ।

ପ୍ରାପ୍ତ ସୂଚନା ଅନୁସାରେ, ବିଧାୟକ ଜୟ ନାରାୟଶ ମିଶ୍ରଙ୍କ ଗାଡ଼ି ପ୍ରାୟତଃ କଚେରି ରୋଡ୍‌ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ରଖାଯାଇଥାଏ। ଦଳୀୟ କାର୍ଯ୍ୟାଳୟକୁ ସବୁବେଳେ କର୍ମୀମାନଙ୍କ ଯିବାଆସିବା ଲାଗି ରହିଥାଏ। ଲକ୍‌ଡାଉନ୍ ଯୋଗୁ ଆଜି ଦଳୀୟ କାର୍ଯ୍ୟାଳୟକୁ କର୍ମୀମାନ‌େ ଆସିନଥିଲେ। ଏହାର ସୁ‌ଯୋଗ ନେଇ ଅପରାହ୍‌ଣ ୪ଟାରୁ ୫ଟା ମଧ୍ୟରେ କେତେକ ବ୍ୟକ୍ତି ବିଜେପି ଜିଲ୍ଲା କାର୍ଯ୍ୟାଳୟ ଉପରକୁ ଟେକାପଥର ମାଡ଼ କରିଥିଲେ। ଏଥିରେ କାର୍ଯ୍ୟାଳୟ ସମ୍ମୁଖରେ ଲାଗିଥିବା ବିଶାଳ ବ୍ୟାନର ଚିରି ଯାଇଥିବା ବେଳେ ବିଧାୟକ ଶ୍ରୀ ମିଶ୍ରଙ୍କ ସ୍କର୍ପିଓ ଗାଡ଼ିର ଗୋଟିଏ ପାର୍ଶ୍ବର କାଚ ମଧ୍ୟ ଭାଂଗିଯାଇଛି।

ଘଟଣା ସଂକ୍ରାନ୍ତରେ ଜଣାପଡ଼ିବା ପରେ ଜିଲ୍ଲା ବିଜେପି ସଭାପତି ଗିରୀଶ ପଟେଲଙ୍କ ସହିତ କାର୍ଯ୍ୟାଳୟ ସଂପାଦକ ସଂଜୟ ଷଡ଼ଂଗୀ ଟାଉନ ଥାନାକୁ ଯାଇ ଏକ ସଂକ୍ରାନ୍ତରେ ଅଭିଯୋଗ କରିଛନ୍ତି। ବିଜେପି କାର୍ଯ୍ୟାଳୟ ପରିସରରେ ଆଗରୁ କେବେ ଏଭଳି ଘଟଣା ଘଟିନଥିଲା। ପଶ୍ଚିମବଂଗ ନିର୍ବାଚନରେ ବିଜେପି ପ୍ରଦର୍ଶନରେ ଈର୍ଷା ପରାୟଣ ହୋଇ ସେଠାରେ ହିଂସା, ଜଳାପୋଡ଼ା କରାଯାଉଥିବା ବେଳେ ସମ୍ବଲପୁରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଏକ ନିର୍ଦିଷ୍ଟ ସଂପ୍ରଦାୟର କିଛି ବ୍ୟକ୍ତି ଏହି ଘଟଣା ଘଟାଇଥିବା ଏତଲାରେ ଦର୍ଶାଯାଇଛି। ଘଟଣାରେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଟାଉନ ପୁଲିସକୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର