ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟ ହଷ୍ଟେଲରୁ ତଡ଼ା ଖାଇବେ ଅଣଛାତ୍ର। ପାଠପଢ଼ା ଶେଷ କରିଥିବା ଛାତ୍ରମାନଙ୍କୁ କ୍ୟାମ୍ପସରେ ରହିବାକୁ ଅନୁମତି ଦିଆଯିବ ନାହିଁ। ପର୍ଯ୍ୟାୟକ୍ରମେ ବିଭିନ୍ନ ହଷ୍ଟେଲ ଉପରେ ଚଢ଼ଉ କରାଯାଇ ଅଣଛାତ୍ରଙ୍କୁ ଚିହ୍ନଟ କରାଯିବା ସହ ବିଦା କରାଯିବ। ଗତକାଲିର ଘଟଣା ପରେ କ୍ୟାମ୍ପସକୁ ଅଣଛାତ୍ରମୁକ୍ତ କରିବା ଲାଗି ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର୍ ସବିତା ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ସୋମବାର ଦିନ ବସିଥିବା ଶୃଙ୍ଖଳା କମିଟି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି।
କ୍ୟାମ୍ପସକୁ ଅଣଛାତ୍ରମୁକ୍ତ କରିବା ଲାଗି ବୈଠକରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଏଣିକି ହଷ୍ଟେଲ୍ ଭିତରକୁ ଅଣଛାତ୍ରଙ୍କୁ ପଶିବାକୁ ଦିଆଯିବ ନାହିଁ। ହଷ୍ଟେଲ୍ଗୁଡ଼ିକରେ ପରିଚୟପତ୍ର ବାଧ୍ୟତାମୂଳକ ହେବା ସହ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଯିବ। ପ୍ରବେଶ ପଥରୁ ଆରମ୍ଭ କରି କ୍ୟାମ୍ପସର ବିଭିନ୍ନ ସ୍ଥାନରେ ସିସିଟିଭି ଲାଗିବ। ହଷ୍ଟେଲଗୁଡ଼ିକରେ ଲାଗିଥିବା ସିସିଟିଭିଗୁଡ଼ିକୁ ମରାମତି କରାଯିବ। କ୍ୟାମ୍ପସର ବିଭିନ୍ନ ସ୍ଥାନରେ ସିସି କ୍ୟାମେରା ଲଗାଯାଇ ନଜର ରଖାଯିବ ବୋଲି ବୈଠକରେ ସ୍ଥିର ହୋଇଛି।
କୁଳପତି ପ୍ରଫେସର ଆଚାର୍ଯ୍ୟ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଆମେ ସବୁବେଳେ ଗୁରୁତ୍ବ ଦେଇ ଆସିଛୁ। ଗତକାଲିର ଘଟଣା ଦୁର୍ଭାଗ୍ୟଜନକ ଥିଲା। ଅଣଛାତ୍ରଙ୍କ ପ୍ରବେଶ ଯୋଗୁଁ ଏଭଳି ଘଟଣା ହୋଇଥିବା ଶୃଙ୍ଖଳା କମିଟି ବୈଠକରେ ଆଲୋଚନା ହୋଇଛି। ତେଣୁ ଏବେ କ୍ୟାମ୍ପସକୁ ଅଣଛାତ୍ରମୁକ୍ତ କରିବା ଦିଗରେ ଏକାଧିକ ପଦକ୍ଷେପ ନେବାକୁ ସ୍ଥିର ହୋଇଛି। ଘଟଣାରେ ଯେଉଁମାନେ ସଂପୃକ୍ତ ଥିଲେ, ସେମାନଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଛି। ତେଣୁ ଆମେ ଏବେ କ୍ୟାମ୍ପସରେ ଶୈକ୍ଷିକ ବାତାବରଣ ଫେରାଇ ଆଣିବା ଦିଗରେ ପଦକ୍ଷେପ ନେଉଛୁ। କେଉଁ ହଷ୍ଟେଲରେ ଅଣଛାତ୍ର ରହୁଛନ୍ତି, ତାହାର ଚିହ୍ନଟ ପ୍ରକ୍ରିୟା ଖୁବ୍ଶୀଘ୍ର ହେବ। ଅଣଛାତ୍ରଙ୍କ ପ୍ରବେଶ ଉପରେ ରୋକ୍ ଲଗାଇବା ଲାଗି କ୍ୟାମ୍ପସର ବିଭିନ୍ନ ସ୍ଥାନରେ ସିସି କ୍ୟାମେରା ଲଗାଯିବ। ଏଥର ଅଣ୍ଡରଗ୍ରାଉଣ୍ଡ୍ କେବଲିଂ କରିବାକୁ ନିଷ୍ପତ୍ତି ହୋଇଛି। କେଉଁଠି କେତେ କ୍ୟାମେରା ଲାଗିବ, ତାହାର ତାଲିକା ମଧ୍ୟ ପ୍ରସ୍ତୁତ ସରିଥିବା ସେ ସୂଚନା ଦେଇଛନ୍ତି।
/sambad/media/post_attachments/wp-content/uploads/2021/12/14-16.jpg)
ଅନ୍ୟପକ୍ଷରେ ରବିବାର ଛୁଟିଦିନରେ କ୍ୟାମ୍ପସରେ କାର୍ଯ୍ୟକ୍ରମ କରିବାକୁ ଅନୁମତି ଦେବାକୁ ନେଇ ବିବାଦ ଦେଖାଦେଇଛି। ବିଶ୍ବବିଦ୍ୟାଳୟ ପିଜି କାଉନସିଲ୍ ହଲ୍ରେ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଗତ ୮ ତାରିଖରେ ‘ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହ୍ୟୁମାନ ରାଇଟ୍ସ ଏଜୁକେସନ’ ନାମକ ଏକ ସଂସ୍ଥାକୁ ଅନୁମତି ପ୍ରଦାନ କରାଯାଇଥିଲା। ବିଶ୍ବବିଦ୍ୟାଳୟ ଅର୍ଥନୀତି ବିଭାଗର ଜଣେ ପ୍ରଫେସର ଏହି ଅନୁମତି ନେଇଥିଲେ। ମାତ୍ର ‘ସିଟିଜେନ୍ ଫୋରମ୍ ଓଡ଼ିଶା’ ନାମକ ଏକ ସଂସ୍ଥା କିଭଳି କାର୍ଯ୍ୟକ୍ରମ ଆୟୋଜନ କଲା, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗୋଟିଏ ସଂସ୍ଥା ଅନୁମତି ନେଇଥିବା ବେଳେ ଆଉ ଗୋଟିଏ ସଂସ୍ଥା କାହାଠାରୁ ଅନୁମତି ପାଇଲା, ତାହାକୁ ନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଖୋଳତାଡ଼ ଆରମ୍ଭ କରିଛନ୍ତି। ଯେଉଁ ପ୍ରଫେସରଙ୍କ ନାମରେ ଅନୁମତି ଦିଆଯାଇଥିଲା ତାଙ୍କଠାରୁ ସ୍ପଷ୍ଟୀକରଣ ମଗାଯାଇଥିବା ଜଣାପଡ଼ିଛି।
ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସକୁ ଅଣଛାତ୍ରଙ୍କୁ ତଡ଼ିବା ଲାଗି କର୍ତ୍ତୃପକ୍ଷ ନିଷ୍ପତ୍ତି ନେବା ଏହା ପ୍ରଥମ ଘଟଣା ନୁହେଁ। ୨୦୧୯ରେ କ୍ୟାମ୍ପସକୁ ଅଣଛାତ୍ର ମୁକ୍ତ କରିବା ଲାଗି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ବଡ଼ ପଦକ୍ଷେପ ନେଇଥିଲେ। ପୁଲିସ ସହାୟତାରେ ୭ନମ୍ବର ଛାତ୍ରାବାସ ଉପରେ ଚଢ଼ଉ କରାଯାଇ ୬୦ଜଣ ଅଣଛାତ୍ରଙ୍କୁ କାଢ଼ାଯାଇଥିଲା। ତଥାପି ଅଣଛାତ୍ର ମୁକ୍ତ ହୋଇପାରିନି ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ। ୨୦୧୯ରେ ୭ନମ୍ବର ଛାତ୍ରାବାସ ଚଢ଼ଉ ସମୟରେ ଯେଉଁମାନଙ୍କୁ ତଡ଼ା ଯାଇଥିଲା, ସେମାନେ ଏବେ ପୁଣିଥରେ ଡେରା ପକାଇଲେଣି। ବିଭିନ୍ନ ହଷ୍ଟେଲରେ ରହୁଛନ୍ତି। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ କ୍ୟାମ୍ପସରେ ନିଜର ଦବ୍ଦବା ଜାହିର କରୁଛନ୍ତି। ହଷ୍ଟେଲଗୁଡ଼ିକରେ ଆଡ଼ା ଜମାଇ ବସିଛନ୍ତି। ହଷ୍ଟେଲ ନମ୍ବର ୧, ୨, ୩ ଓ ୪ରେ ଏମାନଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ପ୍ରାୟ ୨୦ଟି ରୁମ୍ରେ ଛାତ୍ରଙ୍କ ସହ ଅଣଛାତ୍ରମାନେ ରହୁଥିବା ସୂଚନା ମିଳିଛି। ସେମାନଙ୍କୁ ଚିହ୍ନଟ କରି କ୍ୟାମ୍ପସରୁ ତଡ଼ିବା ଏବେ କର୍ତ୍ତୃପକ୍ଷଙ୍କ ଲାଗି ଆହ୍ବାନ ସୃଷ୍ଟି କରିଛି।