ଅନଶନସ୍ଥଳରେ ସାମ୍ବାଦିକଙ୍କୁ ଆକ୍ରମଣ, ଦଶପଲ୍ଲା ପ୍ରେସ୍ କ୍ଲବ୍ ସଭାପତି ଗୁରୁତର

ନୟାଗଡ଼ : ଦଶପଲ୍ଲା ବିଧାୟକ ଓ ପୁଲିସ ଉପସ୍ଥିତରେ ଦଶପଲ୍ଲାର ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଏଥିରେ ଦଶପଲ୍ଲା ପ୍ରେସ୍‌ କ୍ଲବ୍‌ର ସଭାପତି ସୁରେଶ ମିଶ୍ର ଗୁରୁତର ଭାବେ ଆହତ ହୋଇଥିବା ବେଳେ ଅନ୍ୟ ସାମ୍ବାଦିକମାନଙ୍କୁ ବିଧାୟକଙ୍କ ସମର୍ଥକ ଗାଳିଗୁଲଜ କରିବା ସହିତ ଧମକ ଦେଇଛନ୍ତି।

ଘଟଣାରୁ ପ୍ରକାଶ, କିଛି ଦିନ ତଳେ ସ୍ଥାନୀୟ ଟାକେରା ହାଇସ୍କୁଲ୍‌କୁ ସ୍ଥାନୀୟ ଅଞ୍ଚଳର ତିନି ଜଣ ସାମ୍ବାଦିକ ଖବର ସଂଗ୍ରହ କରିବା ପାଇଁ ଯାଇଥିବା ବେଳେ ଉକ୍ତ ସ୍କୁଲ୍‌ର ଦୁଇ-ତିନି ଜଣ ଶିକ୍ଷକ ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ। ଏଥି ନେଇ ସାମ୍ବାଦିକମାନେ ପୁଲିସ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଦଶପଲ୍ଲା ପୁଲିସ ଶିକ୍ଷକଙ୍କ ବିରୋଧରେ କୌଣସି କାର୍ଯାନୁଷ୍ଠାନ ନେଇନଥିଲା।

ଏହାର ପ୍ରତିବାଦରେ ସାମ୍ବାଦିକମାନେ ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରିବା ସହ ଦଶପଲ୍ଲା ଥାନା ଆଇଆଇସିଙ୍କ ବଦଳି ଦାବିରେ ଧାରଣାରେ ବସିଥିଲେ। କିଛି ଦିନ ତଳେ ନୟାଗଡ଼ ଅତିରିକ୍ତ ଏସ୍‌ପି ଦିଲୀପ କୁମାର ସାହାଣୀ ଘଟଣାସ୍ଥଳରେ ପହଞ୍ଚି ସମସ୍ୟାର ସମାଧାନ ନେଇ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ପ୍ରତିଶ୍ରୁତି ପାଳନ କରାନଯିବାରୁ ଗତ ଚାରି ଦିନ ହେବ ସାମ୍ବାଦିକମାନେ ଦଶପଲ୍ଲା ଥାନା ସମ୍ମୁଖରେ ଅନଶନରେ ବସିଥିଲେ। ଆଜି ସକାଳେ ବିଧାୟକ ରମେଶ ବେହେରା ଓ ତାଙ୍କର ଶତାଧିକ ସମର୍ଥକ ପହଞ୍ଚି ଶିକ୍ଷକଙ୍କୁ ଗିରଫ ଓ ଆଇଆଇସିଙ୍କୁ ବଦଳି କରିବା ନେଇ ପ୍ରତିଶ୍ରୁତି ଦେବା ସହ ଅନଶନ ଭାଙ୍ଗିବାକୁ କହିଥିଲେ। କିନ୍ତୁ ସାମ୍ବାଦିକମାନେ ପ୍ରଥମେ ଶିକ୍ଷକଙ୍କୁ ଗିରଫ କର, ତାହା ପରେ ଅନଶନରୁ ଉଠିବୁ ବୋଲି କହିଥିଲେ। ଏହା ପରେ ବିଧାୟକ ଓ ତାଙ୍କ ସମର୍ଥକ ପୁନର୍ବାର ଅପରାହ୍ଣ ଚାରିଟା ସମୟରେ ଆସି ସାମ୍ବାଦିକମାନଙ୍କୁ ଧାରଣାରୁ ଉଠିବାକୁ କହିଥିଲେ ଏବଂ ଶିକ୍ଷକମାନଙ୍କୁ ଗିରଫ କରାଯାଇଛି ଓ ସେମାନେ ଥାନାରେ ଅଛନ୍ତି ବୋଲି କହିଥିଲେ। କିନ୍ତୁ ଥାନା କର୍ତ୍ତୃପକ୍ଷ କହିଥିଲେ, ଆମେ ଶିକ୍ଷକମାନଙ୍କୁ ଆଲୋଚନା କରିବାକୁ ଡାକିଛୁ। ଗିରଫ କରିନାହୁଁ। ଫଳରେ ସାମ୍ବାଦିକମାନେ ଅନଶନରୁ ଉଠିପଡ଼ିଥିଲେ ମଧ୍ୟ ଧାରଣା ଜାରି ରହିବ ବୋଲି ସଭାପତି ଶ୍ରୀ ମିଶ୍ର କହିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ତାଙ୍କୁ ବିଧାୟକଙ୍କ ସମର୍ଥକ ଆକ୍ରମଣ କରିଥିଲେ। ଶ୍ରୀ ମିଶ୍ର ଗୁରୁତର ଅବସ୍ଥାରେ ବର୍ତ୍ତମାନ ଭୁବନେଶ୍ବରରେ ଚିକିତ୍ସାଧୀନ ଅଛନ୍ତି। ଘଟଣା ସଂପର୍କରେ ମତାମତ ପାଇଁ ବିଧାୟକ ଓ ଆଇଆଇସିଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେମାନେ ଫୋନ୍‌ ଉଠାଇ ନଥିଲେ।

ସମ୍ବନ୍ଧିତ ଖବର