ସାମ୍ବାଦିକଙ୍କୁ ଆକ୍ରମଣ ନେଇ ଉଦ୍‌ବେଗ, କାର୍ଯ୍ୟାନୁଷ୍ଠାନ ଦାବି କଲେ ଧର୍ମେନ୍ଦ୍ର, ନିରଞ୍ଜନ

ପ୍ରଣବ, ମାନସ ବି ନିନ୍ଦା କଲେ, ନିର୍ବାଚନ କମିସନର୍‌ଙ୍କୁ ଭେଟିଲେ ସାମ୍ବାଦିକ

ଭୁବନେଶ୍ବର: ବିଞ୍ଝାରପୁର ବ୍ଲକର ବାଛୋଳ ପଞ୍ଚାୟତରେ ତିନି ଜଣ ସାମ୍ବାଦିକଙ୍କୁ ହୋଇଥିବା ଆକ୍ରମଣ ଘଟଣାକୁ ଚାରି ଆଡ଼ୁ ନିନ୍ଦା କରାଯାଇଛି। ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ ଘଟଣାର ଦୃଢ ନିନ୍ଦା କରିବା ସହ ଦୋଷୀଙ୍କୁ ତୁରନ୍ତ ଗିରଫ କରିବା ସହ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ଡିଜି ଏବଂ ଯାଜପୁର ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। କେବଳ ନିର୍ବାଚନ କମିସନ ନୁହେଁ ସମସ୍ତ ପ୍ରମୁଖ ରାଜନୈତିକ ଦଳ ଓ ବିଭିନ୍ନ ସଂଗଠନ ମଧ୍ୟ ଏହାର ତୀବ୍ର ନିନ୍ଦା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍‌ କରି କହିଛନ୍ତି ଯେ ଗଣତନ୍ତ୍ର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ଉପରେ ବାରମ୍ବାର ଆକ୍ରମଣ ରାଜ୍ୟ ପାଇଁ ଶୁଭଙ୍କର ନୁହେଁ। ଯାହା ଦୁଃଖ ଓ ପରିତାପର ବିଷୟ। ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ସାମ୍ବାଦିକଙ୍କ ଉପରେ ଅମାନୁଷିକ ଆକ୍ରମଣର ଦୃଶ୍ୟ ମୋତେ ବ୍ୟଥିତ କରିଛି। ରାଜନୀତିରେ ବାଦବିବାଦ ରୁହେ। କିନ୍ତୁ ହିଂସାର ସ୍ଥାନ ନାହିଁ। ଲୋକଙ୍କ ସମସ୍ୟା ଓ ନିର୍ବାଚନ ସହ ଜଡ଼ିତ ଖବର ସଂଗ୍ରହ କରୁଥିବା ସାମ୍ବାଦିକ ଭାଇମାନଙ୍କ ଉପରେ ହେଉଥିବା ବାରମ୍ବାର ଆକ୍ରମଣ ଘଟଣା ନିର୍ବାଚନ ପରିଚାଳନା, ଆମର ଗଣତାନ୍ତ୍ରିକ ବ୍ୟବସ୍ଥା ତଥା ରାଜ୍ୟର ଆଇନଶୃ୍ଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାଜ୍ୟ ନିର୍ବାଚନ ଆୟୋଗ ନିର୍ବାଚନୀ ହିଂସା ଏବଂ ସାମ୍ବାଦିକଙ୍କ ଉପରେ ହେଉଥିବା ଆକ୍ରମଣକୁ ଗୁରୁତ୍ବର ସହ ନେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।

ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଟୁଇଟ୍‌ କରି କହିଛନ୍ତି ଯେ, ମତଦାନ ପ୍ରକ୍ରିୟାକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ସାମ୍ବାଦିକ ତଥା ରାଜନୈତିକ ବିରୋଧୀଙ୍କ ଉପରେ ହୋଇଥିବା ଆକ୍ରମଣ ଗଣତନ୍ତ୍ର ଏବଂ ନାଗରିକ ସମାଜ ଉପରେ ଉପରେ ଆକ୍ରମଣ ସହ ସମତୁଲ୍ୟ। ଓଡ଼ିଶାରେ ନିର୍ବାଚନ ସମୟରେ ବିଜେଡି ଏହା ପ୍ରତିଥର କରେ। ଓଡ଼ିଶା କଂଗ୍ରେସ ଏହି ହିଂସାତ୍ମକ ଘଟଣାଗୁଡ଼ିକୁ ଘୋର୍‌ ନିନ୍ଦା କରୁଛି। କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ରଙ୍କ ନେତୃତ୍ବରେ ଯାଇଥିବା ଏକ ପ୍ରତିନିଧି ଦଳ ନିର୍ବାଚନ କମିସନଙ୍କ ନିକଟରେ ଦାବି କରିଛି ଯେ, ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କୁ ଏନ୍‌ଏସ୍‌ଏ ଲଗାଇ ଗିରଫ କରାଯାଉ। ଏସ୍‌ପିଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ନିଆଯାଉ। ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି ଯେ ସାମ୍ବାଦିକମାନଙ୍କୁ ହୋଇଥିବା ଆକ୍ରମଣ ଘଟଣାକୁ ନିନ୍ଦା କରୁଛି। ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ। ଏପରି କାର୍ଯ୍ୟ କରିଥିବା ସମସ୍ତ ବ୍ୟକ୍ତିଙ୍କ ବିରୋଧରେ ପୁଲିସ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ଟୁଇଟ୍‌ କରି କହିଛନ୍ତି ଯେ, ଗଣତନ୍ତ୍ରରେ ହିଂସା ଗ୍ରହଣୀୟ ନୁହେଁ। ସାମ୍ବା‌ଦିକମାନଙ୍କ ଉପରେ ଆକ୍ରମଣକୁ ମୁଁ ନିନ୍ଦା କରୁଛି। ଦୋଷୀ ନିଶ୍ଚୟ ଦଣ୍ଡ ପାଇବେ। ସେହିପରି ବିଭିନ୍ନ ଗଣମାଧ୍ୟମ ସଂସ୍ଥାର ସମ୍ପାଦକ ଓ ସାମ୍ବାଦିକମାନେ ରାଜ୍ୟ ନିର୍ବାଚନ କମିସନଙ୍କୁ ଭେଟି ସାମ୍ବାଦିକଙ୍କ ଉପରେ ହେଉଥିବା ଆକ୍ରମଣ ଘଟଣା ବିଷୟରେ ଅବଗତ କରାଇବା ସହ ଉଦ୍‌ବେଗ ପ୍ରକାଶ କରିଛନ୍ତି। ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି, କନକ ନ୍ୟୁଜ୍‌ର ସମ୍ପାଦକ ମନୋରଞ୍ଜନ ମିଶ୍ର, କଳିଙ୍ଗ ଟିଭିର ସମ୍ପାଦକ ସୌମ୍ୟଜିତ ପଟ୍ଟନାୟକ, ଅର୍ଗସ୍‌ ନ୍ୟୁଜ୍‌ର ମୁଖ୍ୟ ସମ୍ପାଦକ ସଞ୍ଜୟ ଜେନା ନିର୍ବାଚନ କମିସନଙ୍କୁ ଭେଟି ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ନିର୍ବାଚନ ପରିଚଳନାରେ ଭାଗ ନେଉଥିବା ଅଧିକାରୀଙ୍କୁ ଆକ୍ରମଣ ବେଳେ ଯେଉଁ ଦଫା ଲଗାଯାଉଛି ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣ ସମୟରେ ସେହିଭଳି କାର୍ଯ୍ୟାନୁଷ୍ଠାନ ନେବା ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ କହିଛନ୍ତି। ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟ ନିର୍ବାଚନ କମିସନର ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର