ନୟାଗଡ : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଏନ୍‌ଏସି ନିର୍ବାଚନ ଚାଲିଥିବାବେଳେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖାଯାଇଛି। ସହରାଞ୍ଚଳ ମହିଳା ମହାବିଦ୍ୟାଳୟ ବୁଥ୍‌ ସମ୍ମୁଖରେ ଖଣ୍ଡପଡ଼ା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଶିଶିର କୁମାର ସାହୁଙ୍କୁ ଆକ୍ରମଣ ହୋଇଛି। ଶ୍ରୀ ସାହୁ ଓ ଖଣ୍ଡପଡ଼ା ବ୍ଲକ ବିଜେଡି ସଭାପତି ସୁଶାନ୍ତ କୁମାର ମିଶ୍ର ଏକ କାର୍ ଯୋଗେ ଯାଉଥିବାବେଳେ ତାଙ୍କ ଉପରେ ଏଭଳି ଆକ୍ରମଣ ହୋଇଛି। ଖଣ୍ଡପଡ଼ା ଏନ୍‌ଏସି ଅଧ୍ୟକ୍ଷା ପଦବି ନିମନ୍ତେ ଲଢୁଥିବା ସ୍ବାଧୀନ ପ୍ରାର୍ଥୀ ଆରତି ପ୍ରଧାନଙ୍କ ସ୍ବାମୀ ବିଧାନଚନ୍ଦ୍ର ପ୍ରଧାନ ଏଭଳି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣ ନେଇ ଉଭୟ ପକ୍ଷରୁ ଖଣ୍ଡପଡ଼ା ଥାନାରେ ମାମଲା ରୁଜୁ ହୋଇଛି।

Advertisment

ସୂଚନା ଅନୁସାରେ; ଶ୍ରୀ ସାହୁ ମହାବିଦ୍ୟାଳୟ ସାମ୍ନାଦେଇ ଅତିକ୍ରମ କରୁଥିବାବେଳେ ବିଧାନଚନ୍ଦ୍ର ଓ ତାଙ୍କର କିଛି ସମର୍ଥକ ଉପାଧ୍ୟକ୍ଷ ଶ୍ରୀ ସାହୁଙ୍କ କାର୍‌କୁ ପ୍ରଥମେ ଅଟକାଇଥିଲେ। ଯାହାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରଥମେ ବଚସା ଓ ପରେ ସଂଘବଦ୍ଧ ଭାବେ ଶ୍ରୀ ସାହୁଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ଆସିଛି। ଘଟଣାସ୍ଥଳରେ ପୁଲିସ ଉପସ୍ଥିତ ଥିଲେ ମଧ୍ୟ ବିଧାନଚନ୍ଦ୍ରଙ୍କ ସମର୍ଥକମାନେ ଦୀର୍ଘସମୟ ଧରି ଆତଙ୍କରାଜ ଚଳାଇ ମତଦାନରେ ବିଭ୍ରାଟ କରିବାକୁ ଚେଷ୍ଟା କରିଥିଲେ। ଏଭଳି ଉତ୍ତେଜନାମୂଳକ ପରିସ୍ଥିତିର ଖବର ପାଇ ଅତିରିକ୍ତ ଏସ୍‌ପି ସୁଷମା ପ୍ରଧାନ, ଖଣ୍ଡପଡ଼ା ଏସ୍‌ଡିପିଓ ପ୍ରଭାତ କୁମାର ମଲ୍ଲିକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ପୁଲିସ ପକ୍ଷରୁ ଏକ ଟିମ୍‌ ଗଠନ କରାଯାଇ ଘଟଣାର ଅନୁସନ୍ଧାନ କରାଯାଉଛି। ତେବେ ଗଣ୍ଡଗୋଳ ଘଟାଇଥିବା ବିଧାନଚନ୍ଦ୍ର ପ୍ରଧାନ ଓ ସହଯୋଗୀଙ୍କ ନାମରେ ପୂର୍ବରୁ ବିଭିନ୍ନ ସମୟରେ ଖଣ୍ଡପଡ଼ାରେ ଗଣ୍ଡଗୋଳରେ ଲିପ୍ତଥିବା ସ୍ଥାନୀୟବାସିନ୍ଦାଙ୍କଠାରୁ ସୂଚନା ମିଳିଛି। ଏହି ଘଟଣାକୁ ବିଜେଡି ସହ ଅନ୍ୟ ପ୍ରମୁଖ ରାଜନୈତିକ ଦଳ ଓ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ଘଟଣାର ତଦନ୍ତ ଚାଲିଛି। ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି ସିଦ୍ଧାର୍ଥ କଟାରିଆ ସୂଚନା ଦେଇଛନ୍ତି।