‘ପ୍ରାୟୋଜିତ ଆକ୍ରମଣ, ଦୁର୍ଭାଗ୍ୟଜନକ’

ଉତ୍କଳ ଭାରତର ସଭାପତି ଖାରବେଳ ସ୍ବାଇଁଙ୍କ ଉପରେ ଆକ୍ରମଣ ମାମଲା

ଭୁବନେଶ୍ବର : ଉତ୍କଳ ଭାରତର ସଭାପତି ଖାରବେଳ ସ୍ବାଇଁଙ୍କୁ ରାୟଗଡ଼ା ଜିଲ୍ଲାରେ ଆକ୍ରମଣ କରାଯିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ବିରୋଧୀ ଦଳଗୁଡ଼ିକ ଏ ନେଇ ଶାସକ ବିଜେଡି ଓ ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ବିଜେଡି ବି ଏହାକୁ ନିନ୍ଦା କରିବା ସହ ଶସ୍ତା ରାଜନୀତି ନ କରିବା ପାଇଁ ବିରୋଧୀଙ୍କୁ ଜବାବ ଦେଇଛି।

‌େକନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍ କରି କହିଛନ୍ତି, ଖାରବେଳ ସ୍ବାଇଁଙ୍କ ଉପରେ ହିଂସାତ୍ମକ ଆକ୍ରମଣ ଗଣତାନ୍ତ୍ରିକ ବିଧିବ୍ୟବସ୍ଥାର ପରିପନ୍ଥୀ। ପୂର୍ବରୁ ଶ୍ରୀ ସ୍ବାଇଁଙ୍କ ଉପରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଶାରୀରିକ ଆକ୍ରମଣ ହୋଇଥିଲା। ରାୟଗଡ଼ା ଜିଲ୍ଲାରେ ତାଙ୍କ ଉପରେ ଆକ୍ରମଣ ରାଜ୍ୟ ଆଇନ୍‌ଶୃଙ୍ଖଳା ବ୍ୟବସ୍ଥାର ଦ୍ରୁତ ଅବନତିର ପ୍ରମାଣ। ଗଣତନ୍ତ୍ରରେ ଭିନ୍ନମତକୁ ସମ୍ମାନ ଦେବା ବଦଳରେ ରାଜନୈତିକ ଅସହିଷ୍ଣୁତା ନିନ୍ଦନୀୟ। ରାଜ୍ୟରେ ଗୃହ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ଶାସକ ଦଳର ଅସହିଷ୍ଣୁତାକୁ ପ୍ରୋତ୍ସାହନ ଦେବା ପରି ସ୍ଥିତିରୁ କ୍ଷାନ୍ତ ରହିବାକୁ ଶ୍ରୀ ପ୍ରଧାନ କହିଛନ୍ତି।

ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି, ଶାସକ ଦଳର ଏହି ପ୍ରାୟୋଜିତ ଆକ୍ରମଣ ଦୁର୍ଭାଗ୍ୟଜନକ। ରାଜ‌େନୖତିକ ପ୍ରତିପକ୍ଷଙ୍କୁ ହିଂସାତ୍ମକ ଉପାୟରେ ବଳପ୍ରୟୋଗ କରି କଣ୍ଠରୋଧ କରିବା ଅତ୍ୟନ୍ତ ନିନ୍ଦନୀୟ। ସବୁବେଳେ ଅହିଂସାର କଥା କହୁଥିବା ମୁଖ୍ୟମନ୍ତ୍ରୀ ହିଂସାକୁ ଆପଣାଇଛନ୍ତି। ତୃଣମୂଳ ସ୍ତରରେ ବିରୋଧୀଙ୍କୁ ଦମନ କରିବା ଲାଗି ବିଜୁ ଯୁବ ବାହିନୀର ଗୁଣ୍ଡାମାନେ ସକ୍ରିୟ ଭୂମିକା ନିଭାଉଛନ୍ତି। ଖାରବେଳଙ୍କୁ ଦୁଇ ଦୁଇଟି ସଭାରେ ଅପମାନିତ କରାଯିବା ତଥା ମାଡ଼ ମରାଯିବା ଘଟଣା ରାଜ୍ୟ ସରକାରଙ୍କୁ ହିଂସାତ୍ମକ ମନୋଭାବକୁ ପ୍ରକାଶ କରୁଛି।

ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଗଣତାନ୍ତ୍ରିକ ବିଧିବ୍ୟବସ୍ଥାରେ ହିଂସାର କୌଣସି ସ୍ଥାନ ନାହିଁ ବୋଲି ବିଜେଡି ବିଶ୍ବାସ କରେ। ଏହି ଘଟଣାରେ ଆକ୍ରମଣକାରୀକୁ ପୁଲିସ୍ ଅଟକ ରଖିଛି ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ସେହି ବ୍ୟକ୍ତି ବିରୋଧରେ ନିଆଯିବ। କିନ୍ତୁ ଶ୍ରୀ ସ୍ବାଇଁ ପ୍ରତ୍ୟେକଟି ବିଷୟକୁ ବିଜୁ ଜନତା ଦଳ ଆଡ଼କୁ ଇଙ୍ଗିତ କରି ଆକ୍ଷେପ କରିବା ଅନୁଚିତ। ସମାନ ଭାବରେ ବିଜେପି ମଧ୍ୟ ଅଭ୍ୟାସଗତ ନିନ୍ଦୁକ ପାଲଟିଥିବା ବେଳେ ସବୁ ସମୟରେ ଶସ୍ତା ରାଜନୀତି କରିବା ପାଇଁ ବିନା କୌଣସି ତଥ୍ୟ ପ୍ରମାଣରେ ବିଜେଡିକୁ ଆକ୍ଷେପ କରିବା ଉଚିତ ନୁହେଁ।

ସମ୍ବନ୍ଧିତ ଖବର