ଆଳିରେ ଖାରବେଳଙ୍କୁ ଆକ୍ରମଣ ଘଟଣା : ଡିଜିଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି

କଟକ : କେନ୍ଦ୍ରାପଡ଼ା ଆଳିରେ ତାଙ୍କ ଉପରେ ‌େହାଇଥିବା ଆକ୍ରମଣ ଘଟଣାକୁ ନେଇ ଉତ୍କଳ ଭାରତ ପାର୍ଟିର ରାଜ୍ୟ ସଭାପତି ଖାରବେଳ ସ୍ବାଇଁ ଆଜି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଡାକ୍ତର ରଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହି ଆକ୍ରମଣ ଘଟଣାରେ ବିଜେଡି କର୍ମୀଙ୍କ ସଂପୃକ୍ତି ଥିବା ଅଭିଯୋଗ ଆଣି ସେମାନଙ୍କୁ ଗିରଫ କରିବା ପାଇଁ ଶ୍ରୀ ସ୍ବାଇଁ ଦାବି କରିଛନ୍ତି।

ସୂଚନା ଅନୁଯାୟୀ, ଆଳି ନୂଆବଜାର ଅଞ୍ଚଳରେ ବୁଧବାର ଅପରାହ୍ନ ପ୍ରାୟ ୩ଟା ବେଳେ ଖାରବେଳ ‘ଓଡ଼ିଶା ଭାଗ୍ୟ ପରିବର୍ତ୍ତନ ଯାତ୍ରା’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଦେବେନ୍ଦ୍ର ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଥିଲେ। ଏହି ସମୟରେ କିଛି ଯୁବକ ସେଠାରେ ପହଞ୍ଚି ଖାରବେଳଙ୍କୁ ଆକ୍ରମଣ କରିବା ସହିତ ହତ୍ୟା ଧମକ ଦେଇଥିଲେ। ଏହା ସହିତ ତାଙ୍କ ଗାଡ଼ି ଡ୍ରାଇଭର‌୍‌ ଏବ˚ ସହଯୋଗୀ ଦିଲ୍ଲୀପ କୁମାର ମଲ୍ଲିକଙ୍କୁ ଆକ୍ରମଣ କରାଯାଇଥିବା ଶ୍ରୀ ସ୍ବାଇଁ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି।

ଶ୍ରୀ ସ୍ବାଇଁ କହିଛନ୍ତି, ଗତକାଲି ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଏସ୍‌ପିଙ୍କୁ ଲିଖିତ ଏତଲା ଦିଆଯାଇଥିଲା। ଆଜି ଡିଜିଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି। ଭବିଷ୍ୟତରେ ବୈଠକ ଆୟୋଜିତ ହେଲେ ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ପୁଲିସ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବାକୁ ଡିଜି ପ୍ରତିଶ୍ରୁତି ଦେଇଥିବା ଶ୍ରୀ ସ୍ବାଇଁ କହିଛନ୍ତି।

ସମ୍ବନ୍ଧିତ ଖବର