ନବରଙ୍ଗପୁର: ନବରଙ୍ଗପୁର ସହରରେ ଦୁର୍ଗାପୂଜା ଭସାଣିରେ ଛୁରାମାଡ଼ରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ଏଥିସହ ଜଣେ ଗୁରୁତର ହୋଇଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଦଣ୍ଡାସି ସାହି ଛକ ତଥା ଜାତୀୟ ରାଜପଥରେ ଶବ ରଖି ରାସ୍ତାରୋକ କରିଛନ୍ତି ସ୍ଥାନୀୟ ବାସିନ୍ଦା।
ସୂଚନା ଅନୁଯାୟୀ, ଗତକାଲି ରାତି ନବରଙ୍ଗପୁର ସହରର ୮ଟି ଦୁର୍ଗା ପୂଜା କମିଟିର ଏକାକାଳୀନ ଦୁର୍ଗାପୂଜା ଭସାଣି ଉତ୍ସବ ଚାଲିଥିଲା। ଭସାଣି ଯାତ୍ରା ସହର ଅତିକ୍ରମ କରିବା ପରେ ରାତି ପ୍ରାୟ ସାଢ଼େ ୧୦ଟାରୁ ୧୧ଟା ମଧ୍ୟରେ ପୌର କାର୍ଯ୍ୟାଳୟ ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ କୌଣସି କାରଣକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଧୀରେ ଧୀରେ ଏହା ଉଗ୍ର ରୂପ ଧାରଣ କରିଥିଲା। ଏହି ସମୟରେ ଗୋଟିଏ ଗୋଷ୍ଠୀର ଛୁରାମାଡ଼ରେ ନବରଙ୍ଗପୁର ଦଣ୍ଡାସି ସାହିର ନାବାଳକ କିରଣ ଗାଦବା ଓ ତେଜାବ ହରିଜନ ଗୁରୁତର ହୋଇଥିଲେ। ପରେ ଉଭୟଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିରଣଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାରୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ସେହିପରି ତେଜାବଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ କୋରାପୁଟ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଆଜି ସକାଳେ କିରଣଙ୍କ ମୃତ୍ୟୁକୁ ନେଇ ଚିକିତ୍ସାଳୟ ପରିସରରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା।
ଏସ୍ପି ମିହିର କୁମାର ପଣ୍ଡା ଚିକିତ୍ସାଳୟରେ ପହଞ୍ଚି ଘଟଣା ସଂପର୍କରେ ପଚାରି ବୁଝିଥିଲେ। ଘଟଣାକୁ କେନ୍ଦ୍ର କରି ଦଣ୍ଡାସି ସାହିର ଶତାଧିକ ମହିଳା ଓ ପୁରୁଷ ଚିକିତ୍ସାଳୟରେ ଏକତ୍ରିତ ହୋଇ ମୃତକଙ୍କ ପରିବାରରକୁ ନ୍ୟାୟ ପ୍ରଦାନ ଓ କ୍ଷତିପୂରଣ ଦେବାକୁ ଅଡ଼ି ବସିଥିଲେ। ପରବର୍ତ୍ତୀ ସମୟରେ ଏ ନେଇ ନବରଙ୍ଗପୁର ଥାନାରେ ଏତଲା ଦେବା ସହ ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବିରେ ଥାନା ସମ୍ମୁଖରେ ହୋହଲ୍ଲା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ଦଣ୍ଡାସି ସାହି ଛକ ତଥା ଜାତୀୟ ରାଜପଥରେ ଅପରାହ୍ନ ସାଢ଼େ ଗୋଟାଏରେ ଶବ ରଖି ସ୍ଥାନୀୟ ବାସିନ୍ଦା ରାସ୍ତାରୋକ କରିଥିଲେ। ଏଥିସହ ନବରଙ୍ଗପୁର ବସ୍ଷ୍ଟାଣ୍ଡ ଚତୁଃପାର୍ଶ୍ବ, ମହିଳା ମହାବିଦ୍ୟାଳୟ ଛକ ଓ ଲୋହରା ସାହି ନିକଟରେ ଚକା ଜାମ କରି ରଖିବାରୁ ଯାତ୍ରୀମାନେ ହଇରାଣ ହୋଇଥିଲେ।
ଖବର ପାଇ ଅତିରିକ୍ତ ଜିଲ୍ଲାପାଳ ମହେଶ୍ବର ନାୟକ, ସ୍ଥାନୀୟ ତହସିଲଦାର, ନବରଙ୍ଗପୁର ଏସ୍ଡିପିଓ କୃଷ୍ଣ ଚନ୍ଦ୍ର ଭତ୍ରା, ପାପଡ଼ାହାଣ୍ଡି ଏସ୍ଡିପିଓ ମୀନାକ୍ଷୀ ଠାକୁର ଓ ଥାନା ଅଧିକାରୀ ସମ୍ବିତ କୁମାର ବେହେରା ପହଞ୍ଚି ବୁଝାସୁଝା କରିବା ସହ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ସହ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ନେଇ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୁ ଶବ ଉଠାଇଥିଲେ। ଏ ନେଇ ନବରଙ୍ଗପୁର ଥାନା କେଶ୍ ନଂ- ୪୦୫/୨୪ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ସହରର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୭ ଜଣଙ୍କୁ ଉଠାଇ ଆଣି ପଚରାଉଚରା କରୁଛି। ତଦନ୍ତ ପରେ ଏହି ମାମଲାରେ ସମ୍ପୃକ୍ତ ଯୁବକମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଏସ୍ଡିପିଓ ଶ୍ରୀ ଭତ୍ରା ପ୍ରକାଶ କରିଛନ୍ତି। ଅନ୍ୟପଟେ ଦଶରାପଦା ଓ ବଡ଼ ହରିଜନ ସାହିରେ ପୁଲିସ ପକ୍ଷରୁ ଫ୍ଲାଗ୍ମାର୍ଚ୍ଚ କରାଯାଇଛି। ଏହି ଫ୍ଲାଗମାର୍ଚ୍ଚରେ ଅତିରିକ୍ତ ଏସ୍ପି ବଟକୃଷ୍ଣ ମିଶ୍ର ଯୋଗ ଦେଇଥିଲେ।