ଶ୍ରମିକ ନେତାଙ୍କ ଘର ଜାଳିଦେଲେ, ଗାଡ଼ି, ଆସବାବପତ୍ର ଭସ୍ମୀଭୂତ

ଅଳ୍ପକେ ବର୍ତ୍ତିଲେ ୪ ପରିବାରର ୧୫

ରାଉରକେଲା: ମିଳିତ ଟ୍ରେଡ ୟୁନିୟନ ପକ୍ଷରୁ ବନ୍ଦ ଡାକରା ସମୟରେ ରାଉରକେଲାଠାରେ ଜଣେ ଶ୍ରମିକ ନେତାଙ୍କ ଘରେ ଦୁର୍ବୃତ୍ତ ନିଅାଁ ଲଗାଇ ଦେଇଛନ୍ତି। ତାଙ୍କର ଗାଡ଼ି, ଆସବାବପତ୍ର ଭସ୍ମୀଭୂତ ହୋଇଯାଇଥିବାବେଳେ ପରିବାର ଲୋକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ରାତି ପ୍ରାୟ ସାଢ଼େ ୧୨ଟାରେ ୩/୪ ଅଜ୍ଞାତ ଯୁବକ ଜଗଦାଠାରେ ରହୁଥିବା ଶ୍ରମିକ ନେତା ଚକ୍ରଧର ମହାତୋଙ୍କ ଘର ଭିତରକୁ ପଶିଥିଲେ। ପ୍ରଥମେ ଚକ୍ରଧରଙ୍କ ପରିବାର ରହୁଥିବା ଘର ଏବଂ ଭଡ଼ାରେ ରହୁଥିବା ଅନ୍ୟ ୩ଟି ପରିବାରଙ୍କ ଘରର କବାଟଗୁଡ଼ିକୁ ବାହାର ପଟୁ ବନ୍ଦ କରି ଦେଇଥିଲେ। ତା’ପରେ ଘର ବାରଣ୍ଡାରେ ରହିଥିବା ଗୋଟିଏ ବାଇକ୍ ଓ ତିନିଟି ସ୍କୁଟିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇ ଫେରାର ହୋଇଯାଇଥିଲେ। ସମ୍ମୁଖ ଦ୍ବାରା ବନ୍ଦ ଥିବାରୁ ଜଳୁଥିବା ଗାଡ଼ିଗୁଡ଼ିକର ନିଆଁ ଲିଭାଇବାକୁ ଘରୁ ବାହାରି ନ ପାରି ଭିତରେ ଥିବା ସମସ୍ତେ ପାଟି କରିଥିଲେ। ପଡୋଶୀମାନେ ପହଞ୍ଚି ଅଗ୍ନିଶମ ବିଭାଗକୁ ସୂଚନା ଦେବା ସହ ଘର ଭିତରେ ବନ୍ଦୀ ଥିବା ଲୋକଙ୍କୁ ବାହାରକୁ ବାହାର କରିବାକୁ ଚେଷ୍ଟା କରିଥିଲେ। ହେଲେ ଘରଗୁଡ଼ିକ ସାମ୍‌ନାରେ ଗାଡ଼ିଗୁଡ଼ିକ ଜଳୁଥିବାରୁ ସେମାନେ ମଧ୍ୟ ଭିତରକୁ ଯାଇ ପାରି ନ ଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ବେଳକୁ ଚାରିଟି ଗାଡି, ଦୁଇଟି କୁଲର୍‌ ସମେତ ଘରର ଝରକାଗୁଡ଼ିକ ଜଳିପୋଡି ପାଉଁଶ ହୋଇଯାଇଥିଲା। ପରେ ପଡୋଶୀମାନେ ବାହାର ପଟୁ ବନ୍ଦ କରାଯାଇଥିବା କବାଟଗୁଡ଼ିକ ଖୋଲି ଘରେ ଭିତରେ ବନ୍ଦୀ ଥିବା ଲୋକ ଓ ପିଲାଛୁଆଙ୍କୁ ଉଦ୍ଧାର କରିଥିଲେ। ପଡୋଶୀଙ୍କ ସହାୟତା ଯୋଗୁଁ ଶ୍ରମିକ ନେତା ଚକ୍ରଧରଙ୍କ ସମେତ ଭଡାରେ ରହୁଥିବା ୪ ପରିବାର ୧୫ ସଦସ୍ୟ ଅଳ୍ପକେ ରକ୍ଷା ପାଇ ଯାଇଥିଲେ। ନିକଟରେ ଏକ କାର୍‌ ଓ ଗ୍ୟାସ ସିଲିଣ୍ଡର୍ ମଧ୍ୟ ଥିଲା। ତେବେ ସେଗୁଡ଼ିକ ନିଆଁ ଦାଉରୁ ବର୍ତ୍ତି ଯାଇଥିଲା। ପୂର୍ବ ଶତ୍ରୁତାରୁ ଏହିଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର