ଲୋଇସିଂହା/ ଝାରମୁଣ୍ଡା: ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନାଠାରୁ ପ୍ରାୟ ୩ କି.ମି ଦୂର ବୁର୍ଡା ଛକଠାରେ ସ୍ଥାନୀୟ ବିଧାୟକ ଡ. ମୁକେଶ ମହାଲିଙ୍ଗ ଗାଡ଼ିକୁ କିଛି ଦୁର୍ବୃତ୍ତ ଅଟକାଇବା ସହ ତାଙ୍କ ଡ୍ରାଇଭର ଓ ପିଏସ୍‌ଓଙ୍କୁ ଆକ୍ରମଣ ହୋଇଛି। ମଙ୍ଗଳବାର ସାଢ଼େ୧୧ଟା ସମୟରେ ଡ. ମହାଲିଙ୍ଗ ନିଜ ଗାଡ଼ିରେ ବାଦିବାହାଲ ଗ୍ରାମରୁ ଫ‌େରୁଥିଲେ। ବୁର୍ଡା ଛକ ନିକଟରେ ୨ଜଣ ଯୁବକ ଆସି ସେମାନଙ୍କ ବାଇକ୍‌କୁ ବିଧାୟକଙ୍କ କାର୍‌ ଆଗରେ ରଖିଦେଇଥିଲେ। ଡ୍ରାଇଭର ବାଇକ୍ ଘୁଞ୍ଚାଇବାକୁ କହିବା ପରେ ବି ‌ଶୁଣିନଥିଲେ। ମାତ୍ର କାର୍‌ ଯିବା ପାଇଁ ରାସ୍ତା ନ ଥିବାରୁ ପିଏସ୍‌ଓ ଶଙ୍କର ବରିହା ଗାଡ଼ିରୁ ଓହ୍ଲାଇ ବାଇକ୍‌ ହଟାଇବା ପାଇଁ କହିବାରୁ ସେମାନେ ତାଙ୍କ ସହ ଯୁକ୍ତିତର୍କ କରିଥିଲେ। ଏହିସମୟରେ ଡ୍ରାଇଭର ଦେବରଜ ନାଗ ଗାଡ଼ି ବନ୍ଦକରି ଓହ୍ଲାଇବା ପରେ ଉଭୟ ଦୁର୍ବୃତ୍ତ ସେମାନଙ୍କୁ ଆକ୍ରମଣ କରିଥିଲେ।

Advertisment

ଆକ୍ରମଣରେ ଡ୍ରାଇଭର ଓ ପିଏସ୍‌ଓ ଆହତ ହୋଇଛନ୍ତି। ବିଧାୟକ ଶ୍ରୀ ମହାଲିଙ୍ଗଙ୍କଠାରୁ ଫୋନ୍‌ ଯୋଗେ ସୂଚନା ପାଇ ସ୍ଥାନୀୟ ଥାନା ଅଧିକାରୀ ସଂଗ୍ରାମ ପଟ୍ଟନାୟକ ଘଟଣାସ୍ଥଳକୁ ପହଞ୍ଚିବା ପୂର୍ବରୁ ଉଭୟ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ। ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ ଥାନାରେ ମାମଲା ରୁଜୁ କରି ଜଣେ ଅଭିଯୁକ୍ତ ବିକି ଛତ୍ରିଆ ଓ ବାଇକ ମାଲିକ ଶ୍ରୀକାନ୍ତ ତାଣ୍ଡିଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛନ୍ତି। ଅନ୍ୟ ଜଣେ ଅଭିଯୁକ୍ତ ଫେରାର୍‌ ଥିବା ଜଣାଯାଇଛି। ଅନ୍ୟପକ୍ଷରେ ଡ୍ରାଇଭର ଶ୍ରୀ ନାଗ ଲୋଇସିଂହା ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି।