ଦେବଗଡ଼ : ପ୍ରେମ ହେଲା କାଳ। ପ୍ରେମିକାଙ୍କ ପରିବାର ଲୋକଙ୍କ ଆକ୍ରୋଶର ଶିକାର ହେଲେ ପ୍ରେମିକଙ୍କ ପରିବାର ଲୋକ। ରକ୍ତମୁଖା ପ୍ରେମିକାଙ୍କ ବାପା ଓ ଭାଇଙ୍କ ସଂଘବଦ୍ଧ ଆକ୍ରମଣରେ ପ୍ରେମିକଙ୍କ ମା’ଙ୍କ ଜୀବନ ଗଲା। ପ୍ରେମିକ ଗୁରୁତର। ଏପରି ବୀଭତ୍ସ ଘଟଣା ଘଟିଛି ଦେବଗଡ଼ ଥାନା ଅନ୍ତର୍ଗତ ଗାଡ଼ପାଳ ଗ୍ରାମରେ। ବୁଧବାର ବିଳମ୍ବିତ ରାତିରେ ପ୍ରେମିକାର ବାପା ଓ ଭାଇମାନେ ଯୁବକଙ୍କ ଘରେ ପଶି ଟାଙ୍ଗିଆ ଓ ଅନ୍ୟ ମାରଣାସ୍ତ୍ରରେ ଅତର୍କିତ ଆକ୍ରମଣ କରିଥିଲେ। ଏବେ ‌ପ୍ରେମିକର ଅବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି। ତାଙ୍କୁ ବୁର୍ଲାରେ ଚିକିତ୍ସା କରାଯାଉଛି।

Advertisment

ମିଳିଥିବା ସୂଚନାନୁଯାୟୀ, ଗାଡ଼ପାଳ ଗ୍ରାମର ନରେନ୍ଦ୍ର ଶବରଙ୍କ ଝିଅ ସେହି ଗ୍ରାମର ପ୍ରୀତମ କୁଲୁଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା। ଏହାକୁ ନରେନ୍ଦ୍ର ଏବଂ ତାଙ୍କ ପୁଅମାନେ ବିରୋଧ କରୁଥିଲେ। ଗତକାଲି ସନ୍ଧ୍ୟାରେ ଉଭୟଙ୍କୁ ନରେନ୍ଦ୍ର ଦେଖି ଦେଇଥିଲେ। ଏହାକୁ ନେଇ ପରିବାର‌ ଲୋକ ଉତ୍ତେଜିତ ହୋଇ ପଡ଼ିଥିଲେ। ବିଳମ୍ବିତ ରାତିରେ ନରେନ୍ଦ୍ର ଓ ତାଙ୍କ ୪ ପୁଅ ମିଳିତ ଭାବେ ପ୍ରୀତମଙ୍କ ଘରେ ପଶି ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଏହା ଦେଖି ପ୍ରୀତମଙ୍କ ମା’ ଦରଥିଆ କୁଲୁ ପୁଅକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ଫଳରେ ରକ୍ତମୁଖା ନରେନ୍ଦ୍ର ଓ ତାଙ୍କ ପୁଅମାନେ ତାଙ୍କୁ ଆକ୍ରମଣ କରିଥିଲେ। ମା’ ଓ ପୁଅଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରି ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଅନ୍ୟପଟେ ପ୍ରୀତମଙ୍କ ବଡ଼ ଭଉଣୀ ପ୍ରିୟା ଅନ୍ୟ ସମ୍ପର୍କୀୟଙ୍କୁ ସୂଚନା ଦେବାରୁ ସେମାନେ ଉଭୟ ପ୍ରୀତମ ଓ ତାଙ୍କ ମା’ଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଦରଥିଆଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ପ୍ରୀତମକୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ଦେବଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ଅନୁସନ୍ଧାନ ଆରମ୍ଭ କରିବା ସହ ଅଭିଯୁକ୍ତ ୫ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।