ବାଲେଶ୍ବର/ସୋର : ଟଙ୍କା ଚୋରି ଅଭିଯୋଗରେ ସୋର ଉତ୍ତେରେଶ୍ବରରେ ଜଣେ ନାବାଳକକୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ଘଟଣାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ଭଦ୍ରକ ଅଞ୍ଚଳର ଏହି ନାବାଳକ ଜଣକୁ ଚୋରି ହୋଇଥିବା ପରିବାର ଲୋକ ଖୁଣ୍ଟରେ ବାନ୍ଧି ପିଟୁଥିବା ବେଳେ ଶହଶହ ଦେଖଣାହାରୀ ଏହାର ପ୍ରତିବାଦ ନ କରି ମଜା ନେଉଥିବା ଦେଖିବାକୁ ମିଳିଛି। ଖବରପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସମ୍ପୃକ୍ତ ନାବାଳକକୁ ପିଟିଥିବା ପରିବାର ଅପହରଣ କରି ନେଇଛନ୍ତି। ଏ ସମୁଦାୟ ଘଟଣାରେ ସୋର ପୁଲିସ ନିଦାବିଷ୍ଣୁ ସାଜିଛି। ଏତେ‌ବଡ଼ ଘଟଣାଟିଏ ଘଟିଯାଇଥିଲେ ରାତି ୯ଟା ସୁଦ୍ଧା ଜିଲ୍ଲା ପୁଲିସର ବରିଷ୍ଠ ଅଧିକାରୀମାନେ ଏପରି ସମ୍ବେଦନଶୀଳ ଘଟଣା ବିଷୟରେ ଜାଣିନପାରିବା ପାରିବାପଣିଆ ଓ ଯୋଗାଯୋଗର ଅଭାବକୁ ଦର୍ଶାଉଛି।

Advertisment

publive-image

ସୂଚନା ଅନୁସାରେ, ସୋର ବ୍ଲକ ଶିଙ୍ଗାଖୁଣ୍ଟା ଗ୍ରାମର ବିଶନ ସିଂଙ୍କ ଘରୁ କିଛି ଦିନ ତଳେ ୧୨ ହଜାର ଟଙ୍କା ଓ ଏକ ନୂଆ ସାଇକେଲ ଚୋରି ହୋଇଥିଲା। ଏହା ପରେ ପୁଣି ବିଶନର ଭଉଣୀଙ୍କର ୧ ହଜାର ଟଙ୍କା ଚୋରି ହୋଇଥିଲା। ତାଙ୍କର ସମ୍ପର୍କୀୟ ଭଦ୍ରକ ଅ‌ଳର ଜଣେ ନାବାଳକ ଏହି ଚୋରି କରିଥିବା ସନ୍ଦେହ କରି ପିଲାଟିକୁ ଅନ୍ୟକଥା କହି ସୋରକୁ ଡକାଇଥିଲେ। ଉତ୍ତରେଶ୍ବର ଗଳାପୋଲ ପାଖରେ ପିଲାଟି ପହ‌ଞ୍ଚିବା ପରେ ବିଶନ ଘରଲୋକମାନେ ତାକୁ ଖୁଣ୍ଟରେ ବାନ୍ଧି ପକାଇ ନିସ୍ତୁକ ମାଡ଼ ମାରିଥିଲେ। ନାବାଳକ ଯେତେ କାକୁତିମିନତି ହେଲେ ବି ଛାଡ଼ି ନଥିଲେ। ଶହଶହ ଲୋକଙ୍କ ସାମନାରେ ଏପରି ନିର୍ଦ୍ଦୟ କାରବାର ଚାଲିଥିବା ବେଳେ କେହି ପ୍ରତିବାଦ କରିନଥିଲେ। କୌଣସି ସୂତ୍ରରୁ ଖବର ପାଇ ସୋର ପୁଲିସ ଗଳାପୋଲ ନିକଟରେ ପହଞ୍ଚିଥିଲା। ମାତ୍ର ପୁଲିସ ଆସୁଥିବା ସୂଚନା ପାଇ ବିଶନ ସିଂର ପରିବାର ପିଲାଟିକୁ ନିଜ ଗାଁ ଶିଙ୍ଗାଖୁଣ୍ଟାକୁ ଅପହରଣ କରିନେଇଥିଲେ। ସେଠାରେ ପିଲାଟିକୁ ବନ୍ଧକ ରଖି ତା’ର ପରିବାରକୁ ଖବର ଦେଇଥିଲେ। ଚୋରି ଯାଇଥିବା ଟଙ୍କା ଓ ସାଇକଲ ଫେରିପାଇଲେ ନାବାଳକକୁ ଛଡ଼ାଯିବ ବୋଲି ଧମକ ଦେଇଥିଲେ। ଶେଷ ଖବର ମୁତାବକ ନାବାଳକର ବଡ଼ଭାଇ ଭଦ୍ରକରୁ ଆସୁଥିବା ଜଣାପଡ଼ିଛି।

ଏହି ଘଟଣା ଆଜି ଦିନତମାମ୍‌ ସୋର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ପୁଲିସ କିନ୍ତୁ କିଛି ଜାଣିପାରୁନି। ଦିନବ୍ୟାପୀ ବୈଦ୍ୟୁତିକ ଗଣମାଧ୍ୟମରେ ଏହି ଖବର ଶୀର୍ଷକ ପାଲଟିଥିବା ବେଳେ ପୁଲିସ କିନ୍ତୁ ରିପୋର୍ଟ ହୋଇନାହିଁ ବୋଲି ନିଦକରେ ବସିଛି। ଏପରି ସମ୍ବେଦନଶୀଳ ଘଟଣାରେ ସୋର ପୁଲିସର ଏପରି ଆଭିମୁଖ୍ୟକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି।