ବିଧାୟକ ପ୍ରକାଶଙ୍କ କାର୍‌ ଉପରେ ଆକ୍ରମଣ

କିଶନନଗର: କଟକସଦରର ନବନିର୍ବାଚିତ ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ସେଠୀଙ୍କ କାର୍‌ ଉପରେ ଆଜି ରାତିରେ ଆକ୍ରମଣ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଯୁବକକୁ ପୁଲିସ ଧରି ଥାନାରେ ଅଟକ ରଖିଛି। ଏହା ଜଣାପଡ଼ିବା ପରେ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସୂଚନା ମୁତାବକ, ଆଜି ରାତି ପ୍ରାୟ ୧୧ଟାରେ କିଶୋରନଗରରେ ଆୟୋଜିତ କଟକସଦର ରଜ ମହୋତ୍ସବ ଶେଷ ହେବା ପରେ ବିଧାୟକ ଶ୍ରୀ ସେଠୀ ସୋମପୁର ପାଲା ମଣ୍ଡପରେ ଆୟୋଜିତ ଏକ ଉତ୍ସବରେ ଯୋଗଦେବା ପାଇଁ ଯାଇଥିଲେ। ସେଠାରୁ ରାତି ପ୍ରାୟ ସାଢ଼େ ୧୧ଟାରେ ସେ ଫେରୁଥିଲା ବେଳେ ସୋମପୁର ନିକଟରେ ବାଇକ୍‌ରେ ଜଣେ ଯୁବକ ପଛପଟୁ ଆସି କାର୍‌ କବାଟ ଓ କାଚ ଉପରେ ଆକ୍ରମଣ କରିଥିଲା। ଶ୍ରୀ ସେଠୀ ସଂଗେ ସଂଗେ ଘଟଣା ସମ୍ପର୍କରେ କିଶନନଗର ଥାନାକୁ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରୀ ଯୁବକକୁ ଧରି ଥାନାରେ ଅଟକ ରଖିଥିବା ଜଣାପଡ଼ିଛି। ଖବର ପାଇ ବିଧାୟକଙ୍କ ସମର୍ଥକମାନେ କିଶନନଗର ଥାନାରେ ପହଞ୍ଚିଛନ୍ତି। ସେଠାରେ ଉତ୍ତେଜନା ଲାଗି ରହିଥିବା ଖବର ମିଳିଛି।

ସମ୍ବନ୍ଧିତ ଖବର